ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ତୁମେ ଏ ଶ୍ମଶାନ ଭୂମିରେ ଯେଉଁ କଷ୍ଟକର କାର୍ଯ୍ୟ କରୁଛ ତାହା ଦେଖି ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଛି । ମନେ ହେଉଛି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସାଫଲ୍ୟ ପାଇବା ଆଶାରେ ତମେ ଏପରି କାମ କରୁଛ । କୁହାଯାଏ ଯେ ରାଜାମାନେ ଚଂଚଳ ସ୍ୱଭାବର ବ୍ୟକ୍ତି ଏବଂ ଏହା ନିଶ୍ଚିତ ରୂପେ ସତ୍ୟ । ତେଣୁ ତୁମେ ଏ କାମରେ ଯେ ସାଫଲ୍ୟ ପ୍ରାପ୍ତ କରିବ ସେ ବିଷୟରେ ମୋର ଆଦୌ ବିଶ୍ୱାସ ନାହିଁ । ଉଦାହରଣ ସ୍ୱରୂପ ମୁଁ ତୁମକୁ ଚନ୍ଦ୍ରଦେବ ରାଜାଙ୍କ କଥା ଶୁଣାଇବି । ମନଦେଇ ମୋକଥା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।
ଏହାପରେ ସେ ବେତାଳ ଗପିଲା: ଚନ୍ଦ୍ରଦେବ ଦକ୍ଷିଣପୁରୀ ରାଜ୍ୟର ରାଜା ଥିଲେ । ତାଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ । ଲକ୍ଷ୍ମୀପ୍ରିୟା ନାମରେ ଯାହା ଖାଲି ଏକମାତ୍ର କନ୍ୟା ଥିଲେ । ସେ ଦେଖିବାକୁ ଅତି ସୁନ୍ଦର ଓ ବହୁତ ଚତୁର ମଧ୍ୟ ଥିଲେ । ତାଙ୍କ ମଧୁର କଣ୍ଠ ପାଇଁ ମଧ୍ୟ ସେ ଅଦ୍ୱିତୀୟ ଥିଲେ । ସୁଭାଷ ଓ ବୀରବାହୁ ନାମକ ଦୁଇଜଣ ସମ୍ପର୍କୀୟ ଯୁବକ ସେ ରାଜାଙ୍କ ନିକଟରେ ରହୁଥା’ନ୍ତି । ସେ ଯୁବକଦ୍ୱୟ ଦେଖିବାକୁ ଉଭୟ ସୁନ୍ଦର ଓ ବୁଦ୍ଧିମାନ୍ ମଧ୍ୟ । ଦୁହେଁ ରାଜାଙ୍କୁ ଖୁବ୍ ସମ୍ମାନ କରନ୍ତି । ଉଭୟଙ୍କ ଉପସ୍ଥିତି ଯୋଗୁଁ ରାଜମହଲର ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଚଳୁଥାଏ ।
ଦିନେ ରାଣୀ ରାଜାଙ୍କୁ କହିଲେ, “ଆମ ଝିଅଟି ତ କ୍ରମେ ବଡ ହୋଇଗଲାଣି । ଏବେ ତା’ର ବିବାହ କରାଇବା କଥା । ମୋ ମତରେ ସୁଭାଷ ଆଉ ବୀରବାହୁଙ୍କ ମଧ୍ୟରୁ ଜଣକୁ କାହାକୁ ଆମେ ଆମର ଜାମାତା ଭାବରେ ବାଛିବା । ଦୁହେଁ ସୁନ୍ଦର ଓ ବୁଦ୍ଧିମାନ ।”
ରାଜା ରାଣୀଙ୍କୁ ପଚାରିଲେ, “ଦୁହିଁଙ୍କ ଭିତରୁ ତୁମେ କାହାକୁ ପସନ୍ଦ କରୁଛ?”
ତହୁଁ ରାଣୀ କହିଲେ, “ଦୁହେଁ ତ ଯୋଗ୍ୟ, ଓ ଗୁଣବାନ୍ ହେଲେ ମଧ୍ୟ ବୀରବାହୁକୁ ମୁଁ ଅଧିକ ପସନ୍ଦ କରେ କାହିଁକିନା ସେ ସୁଭାଷ ଠାରୁ ଅଧିକ ସୁନ୍ଦର ଓ ତାହାର କିଛି ବିଶେଷ ଗୁଣ ଅଛି । କିନ୍ତୁ ମୁଁ ଆପଣଙ୍କ ପସନ୍ଦକୁ ଅଧିକ ସମ୍ମାନ ଦେବି । ଏବେ କୁହନ୍ତୁ ଆପଣଙ୍କ ଇଚ୍ଛା କ’ଣ?”
ତା’ପରେ ସେ ରାଜା ଅଳ୍ପ ହସି କହିଲେ, “ଦେଖ, ମୋତେ ତ ସୁଭାଷ ଅଧିକ ଭଲ ଲାଗୁଛି । ସ୍ୱଭାବରେ ଯଦି କିଛି ଦୋଷଦୁର୍ଗୁଣ ଥାଏ ତେବେ ବାହ୍ୟ ସୌନ୍ଦର୍ଯ୍ୟ ଦେଖି ବିବାହ ହେବା ଠିକ୍ କଥା ନୁହେଁ । ବରଂ ଗୁଣ ଭଲ ଥିଲେ ସମସ୍ତେ ଆଦର କରିବେ । ଆମେ ଯାହା କରିବା ଚିନ୍ତାକରି, ବିଚାର କରି କରିବା । ମୁଁ ଭାବୁଛି ଆମେ ସେଥିପାଇଁ ଏକ ପରୀକ୍ଷା କରିବା ।”
ପରଦିନ ରାଜା ସେ ଦୁଇଜଣଙ୍କୁ ଡାକି କହିଲେ, “ଆମ ରାଜ୍ୟର ସୀମାନ୍ତରେ ଥିବା ଗ୍ରାମ ଧାନ୍ୟକୁଟ ସମ୍ପର୍କରେ ତୁମେମାନେ ତ ସବୁ ଶୁଣିଛ । ସେଠାରୁ ଆମର କର ଠିକ୍ ସମୟରେ ଆଦାୟ ହୋଇ ପାରୁନାହିଁ । ଦେଖ ବୀରବାହୁ, ଧାନ୍ୟକୁଟର ଉତ୍ତର ପଟରୁ କର ଆଦାୟ କରିବାର ଦାଇତ୍ତ୍ଵ ତୁମର । ଆଉ ସୁଭାଷ ଦକ୍ଷିଣ ପଟରୁ କର ଆଦାୟ କରିବ । ସେଠାକାର ପରିସ୍ଥିତି ଦେଖି, ବିଚାର କରି, କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରି, ଯାହା କିଛି କରିବ । କର ଆଦାୟ ଶେଷ କରି ତୁମେ ଦୁହେଁ ତୁରନ୍ତ ରାଜଧାନୀକୁ ଲେଉଟି ଆସିବ ।”