ଚନ୍ଦ୍ରପୁର ନାମକ ନଗରରେ ଚକ୍ରଦତ ନାମକ ରାଜା ରାଜୁତି କରୁଥିଲେ । କୌଣସି କାରଣ ବଶତଃ ସେ ନିଜ ପୁତ୍ର ମଦନପାଳକୁ ରାଜ୍ୟରୁ ବାହାର କରି ଦେଲେ । ରାସ୍ତାରେ ଖର୍ଚ୍ଚ ପାଇଁ କିଛି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଦେଇଥାନ୍ତି । ପୁତ୍ର ପିତାଙ୍କ ଆଜ୍ଞା ପାଳି ସେଠାରୁ ବାହାରି ଗଲା । କେତେ ଦିନ ପରେ ଜଣେ ସାଧୁ ଆଶ୍ରମରେ ଯାଇ ପହଁଚିଲା । ସାଧୁଙ୍କୁ ନିଜର ପରିଚୟ ଦେଲା । ମହାତ୍ମା ରାଜ କୁମାରଙ୍କୁ ସ୍ୱାଗତ କଲା । ଭବିଷ୍ୟତରେ କାମରେ ଲାଗିଲା ଭଳି ଚାରି ଗୋଟି କଥା କହିଲେ ।
ସାଧୁ କହିଲେ, ବେଟା ବିଦେଶରେ ଏଇ ଚାରି ଗୋଟି କଥା ପ୍ରତି ଧ୍ୟାନ ଦେଇ ଥିବୁ । ତେବେ ବିପଦରେ ପଡିବୁ ନାହିଁ ।
୧) ଏକା ଏକା ବାଟ ଚାଲିବୁ ନାହିଁ । ପାଖରେ ସାଥି ରଖି ଥିବୁ ।
୨) ଖାଇବା ଅନ୍ନକୁ ପରୀକ୍ଷା କରି ଖାଇବୁ ।
୩) ପରା ହୋଇଥିବା ଶେଯକୁ ପରୀକ୍ଷା କରି ଶୋଇବୁ ।
୪) ଶତ୍ରୁର କବଳରେ ପଡିଗଲେ ଅଧୈର୍ଯ୍ୟ ହୋଇ ଯିବୁନି ।
ମଦନ ପାଳ ସାଧୁଙ୍କ ମୁହଁରୁ ଏହି ଚାରି କଥା ଶୁଣି ଆଗେଇ ଗଲେ । ଏମିତି ଚାଲୁ ଚାଲୁ ଘୋର ଜଙ୍ଗଲରେ ପହଁଚିଲେ । ଆକାଶରେ ଚିଲଟିଏ ଉଡୁ ଥିଲା । ତା ପଞ୍ଝାରେ ଥିଲା କଇଁଛ ଛୁଆଟିଏ । କେମିତି ଅସତର୍କ ହେବାରୁ ତାହା ତଳକୁ ଢାଳି ପଡିଲା । ମଦନ ପାଳ ସେଇ କଇଁଛଟିକୁ ଉଠାଇ ନିଜ ମୁଣିରେ ସାଇତି ରଖିଲା ପୁଣି ଆଗକୁ ମାଡି ଚାଲିଲା । ଏମିତି ଚାଲୁ ଚାଲୁ କେତେ ଦିନ ବିତି ଗଲା । ପୁଣି ଏକ ଜଙ୍ଗଲରେ ପହଁଚିଲା । ସେଠି ଏକ ବଡ ପୋଖରୀ ଥିଲା । ଖାଇ ରାସ୍ତା କଡରେ ଥିବା ଅଶ୍ୱତ୍ଥ ଗଛ ଛାଇରେ ଶୋଇ ଗଲା । ସେଇ ଗଛ ଉପରେ ଗୋଟିଏ ସାପ ରହୁଥାଏ । ତାର ସାଥି ହୋଇ ଥାଏ କାଉଟିଏ । ସେ ଦୁହିଁଙ୍କର ଅଭ୍ୟାସ ହେଉଛି ଗଛ ତଳେ ଯଦି କେହି ବାଟୋଇ ଶୋଇବେ ତେବେ ସାପ ଚୁପ୍ କରି ଆସି କାମୁଡି ଦିଏ ଆଉ କାଉ ବାଟୋଇର ଆଖି କଣା କରି ଦିଏ ।