ପ୍ରାଚୀନ କାଳରେ ଭୀମସିଂହ ନାମରେ ଜଣେ ରାଜା ଥିଲେ । ସେ ଜଣେ ଆଦର୍ଶ ଶାସକ ଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥାଆନ୍ତି । ଏହି କାରଣରୁ ଭୀମ ସିଂହଙ୍କ ଉପରେ ପ୍ରଜାମାନେ ସନ୍ତୁଷ୍ଟ ଥିଲେ । ହେଲେ ରାଜାଙ୍କ ମନରେ ସବୁ ସମୟରେ ଗୋଟିଏ ଦୁଃଖ । ଦୁଃଖର କାରଣ ହେଉଛି ରାଜା ନିଃସନ୍ତାନ ଥିଲେ । ପ୍ରଜାମାନେ ରାଜାଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ ପ୍ରତ୍ୟେକ ଜନତା ପ୍ରତିଦିନ ମନ୍ଦିର ଯାଇ ରାଜାଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ରାଜା ମଧ୍ୟ ସ୍ଥାନେ ସ୍ଥାନେ ଯଜ୍ଞ କରୁଥାଆନ୍ତି । ସାଧୁ ସନ୍ଥ ଫକୀର ମାନଙ୍କୁ ଦାନ ଦକ୍ଷିଣା ଆଦି ଦେଉଥାଆନ୍ତି । ଏହିପରି ବିଭିନ୍ନ ଧାର୍ମିକ କାର୍ଯ୍ୟ ରାଜା କରୁଥାଆନ୍ତି ।
କିଛି ଦିନ ପରେ ରାଜା ରାଣୀ ଲୀଳାବାଈଙ୍କୁ ସାଙ୍ଗରେ ଧରି ତୀର୍ଥ କରିବାପାଇଁ ବାହାରିପଡିଲେ । ତୀର୍ଥ ଯାତ୍ରା କରି ପୁଣ୍ୟ ଅର୍ଜନ କଲେ ହୁଏତ ରାଣୀ ଗର୍ଭବତୀ ହେବେ । ସେହି ଉଦ୍ଧେଶ୍ୟରେ ରାଜା ତୀର୍ଥ ଯାତ୍ରା କରିବାପାଇଁ ବାହାରିଲେ । କିଛି ଦିନ ତୀର୍ଥ କଲାପରେ ରାଜା ଓ ରାଣୀ ସ୍ୱଦେଶ ପ୍ରତ୍ୟାବର୍ତନ କଲେ । ପ୍ରଜାମାନେ ରାଜା, ରାଣୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ଉତ୍ସବ ର ଆୟୋଜନ କଲେ । ସମସ୍ତେ ରାଜା, ରାଣୀଙ୍କର ଜୟ ଜୟକାର କରିବାକୁ ଯାଇ କହୁଥାଆନ୍ତି, “ମହାରାଜାଙ୍କର ଜୟ ହେଉ । ମହାରାଜାଙ୍କର ଏକ ପୁତ୍ର ସନ୍ତାନ ହେଉ । ଭଗବାନ ଯଥାଶୀଘ୍ର ଆମ୍ଭମାନଙ୍କୁ ଏକ ରାଜକୁମାର ଦିଅନ୍ତୁ ।” ଏହିପରି କଥା ସମସ୍ତ ପ୍ରଜାମାନଙ୍କ ମୁଖରୁ ବାହାରୁଥାଏ । ପ୍ରକୃତରେ ଭଗବାନ ଜନତାଙ୍କର ଆକୁଳ ନିବେଦନ ଶୁଣି ସାରିଥିଲେ । ତୀର୍ଥ ଯାତ୍ରା ସମୟରେ ରାଣୀ ଗର୍ଭବତୀ ଥିଲେ । ପ୍ରଜାମାନେ ଏ ଖବର ଶୁଣିବା ପରେ ତ’ ଖୁସିରେ ନାଚିଗଲେ, ଚାରିଆଡେ ନାନାଦି ଉତ୍ସବ ର ଆୟୋଜନ କରାଗଲା । ନିର୍ଦ୍ଧାରିତ ସମୟରେ ରାଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଓ ରାଜ୍ୟବାସୀଙ୍କୁ ତାଙ୍କର ରାଜକୁମାର ମିଳିଗଲା । ପଣ୍ଡିତମାନଙ୍କୁ ଡକାଇ ରାଜା ଭୀମସିଂହ ରାଜକୁମାରଙ୍କର ନାମ କରଣ କଲେ ‘ଅର୍ଜ୍ଜୁନ ସିଂହ’ ।