ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

(“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ।”)

                ଏହି ସବୁ ଘଟଣା ଘଟୁଥିବା ସମୟରେ, ପଦ୍ମମୁଖୀ ତ ଶୋଇଥିଲେ । ବହୁକୀର୍ତ୍ତି ତାଙ୍କ ଶୟନାଗାରକୁ ଯାଇ ତାଙ୍କୁ ଉଠାଇ କହିଲେ, “ଉଠ, ଉଠ, ଶୋଇବାର ସମୟ ଇଏ ନୁହଁ, ତୁମର ପତି ଆସି ସବୁ ଦୁଷ୍ଟଙ୍କୁ ସଂହାର କରିସାରିଲେଣି । ତୁମର ସୁଖର ଦିନ ପୁଣି ଫେରି ଆସିଛି ।”

                ହଠାତ୍ ପଦ୍ମମୁଖୀ, ଶୁଣୁଥିବା ଏହିଭଳି କଥାକୁ ଆଦୌ ବିଶ୍ୱାସ କରି ପାରିଲେ ନାହିଁ । ସନ୍ଦେହାଛନ୍ନ ହୋଇ ସେ କହିଲେ, “ଭଗବାନଙ୍କର ଲୀଳା, ବଡ ବିଚିତ୍ର । ଚାଲିଲୁ, ଦେଖିବା କିଏ ସେହି ଭଦ୍ରଲୋକ, ଯିଏକି ଦୁଷ୍ଟମାନଙ୍କର ସଂହାର କରିଛନ୍ତି ।” ଏପରି କହି ବୃଦ୍ଧାଦାସୀ ସହିତ ସେ ତଳକୁ ଆସି ଦେଖିଲେ, ରୂପଧର ଏକ ଆସନ ଉପରେ ବସିଛନ୍ତି । ରୂପଧରଙ୍କର ଧାରଣା ଥିଲା, ତାଙ୍କୁ ଦେଖି ପଦ୍ମମୁଖୀ ଖୁସିରେ ଉଚ୍ଛୁଳି ଉଠିବେ । କିନ୍ତୁ ପଦ୍ମମୁଖୀ ନୀରବ ରହିଲେ । ତାଙ୍କର ନୀରବତାରେ ସେ ବିସ୍ମିତ ହେଲେ । ପଦ୍ମମୁଖୀଙ୍କର ଏପରି ବ୍ୟବହାରର ରହସ୍ୟ କେହିବି ବୁଝିପାରୁ ନ ଥିଲେ । ସେ ଭଲ ରୂପେ ଜାଣିଥିଲେ, ପଦ୍ମମୁଖୀ ତାଙ୍କୁ ପ୍ରାଣାଧିକ ଭଲ ପାଆନ୍ତି । ସେହି କାରଣରୁ ସେ ନାନା ପ୍ରକାର ବାହାନା ଦେଖାଇ, ଦୁଷ୍ଟ ରାଜକୁମାରମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଏବେ କାହିଁକି ତାଙ୍କୁ ସେ ଗ୍ରହଣ କରିପାରୁନାହାଁନ୍ତି?

                ଧୀରମତି ଆଉ ସମ୍ଭାଳି ନ ପାରି ପଚାରିଲେ “ମା’ ତୁମେ ମଣିଷ ନା ପଥର? ପିତାଙ୍କ ସହିତ କଥା ନ ହୋଇ ନୀରବରେ ଏମିତି କାହିଁକି ବସିରହିଛ?”

                ଏକଥା ଶୁଣିବା ମାତ୍ରେ ପଦ୍ମମୁଖୀ ଭଗ୍ନହୃଦୟରେ କହିଲେ “କେଉଁ କଥା କହିବି ପୁତ୍ର? ମୋର ହୃଦୟରେ ଆଉ ସେ ଆବେଗ ନାହିଁ । ଯଦି ଏହି ବ୍ୟକ୍ତି ପ୍ରକୃତରେ ତୋର ପିତା, ତେବେ ମୁଁ ସ୍ୱୀକାର କରୁଛି ଯେ, ମୁଁ ତାଙ୍କୁ ଚିହ୍ନିପାରୁନାହିଁ । ଏଇ ଘରେ ଏପରି ଅନେକ ରହସ୍ୟ ରହିଛି, ଯାହା କେବଳ ତୋ ପିତା ଓ ମତେହିଁ ଜଣା । ତାହା କ’ଣ ସେ ମନେ ପକାଇ ପାରିବେ?”

                ତା’ପରେ ରୂପଧର ତାଙ୍କ ପୁତ୍ରକୁ କହିଲେ, “ତୁମେ ତୁମ ମାତାଙ୍କ ମନକୁ ଦୁଃଖ ଲାଗିବା ପରି କିଛି କୁହନାହିଁ । ସେ ମୋର ପରୀକ୍ଷା ନିଅନ୍ତୁ । ତା’ପରେ ସେ ମୋତେ ଅନାୟାସରେ ଠିକ୍ ଚିହ୍ନିପାରିବେ । ଏବେ ଆମ ଆଗରେ ବଡ ହେଉଛି ଆମର କର୍ତ୍ତବ୍ୟ । ଆମେ ଇଥାକାର ପ୍ରମୁଖ ଯୁବକମାନଙ୍କୁ ମାରିଦେଇଛୁ । ଏହି କଥା ମନେ ଅଛି ତ? ପ୍ରଥମେ ସ୍ନାନାଦି କାର୍ଯ୍ୟସାରି ଉତ୍ତମ ପୋଷାକ ପରିଧାନ କରିବା । ତା’ପରେ ନୃତ୍ୟ ସଙ୍ଗୀତର ଆସର ହେବ । ବାହାରେ ବାଦ୍ୟ ଶୁଣି ଲୋକମାନେ ଭାବିବେ, ଭିତରେ ବିବାହ ଉତ୍ସବ ଚାଲିଛି । ଆମେ ଯେ ସମସ୍ତଙ୍କୁ ହତ୍ୟା କରିଛୁ, ଏ ସମ୍ବାଦ ଅନ୍ୟକେହି ମଧ୍ୟ ଜାଣିବା ପୂର୍ବରୁ ଆମକୁ ଏ ନଗର ଛାଡି ଅରଣ୍ୟ-ନିବାସକୁ ଚାଲିଯିବା ପାଇଁ ପଡିବ ।” ଏହିପରି ଭାବେ ରୂପଧର ତାଙ୍କ ପୁତ୍ରଙ୍କୁ ନିଜ କୌଶଳ ବିଷୟରେ ଜଣାଇଲେ ।

                ରୂପଧରଙ୍କ ଆଦେଶ ଅନୁଯାୟୀ, ସମସ୍ତେ ସ୍ନାନ କରି ଭଲ ପୋଷାକ ପିନ୍ଧିଲେ, ଗହଣାମାନ ପରିଧାନ କରି ନାଚ ଗୀତରେ ମଜ୍ଜିଗଲେ । ବାହାରକୁ ବାଦ୍ୟ ଓ ସଙ୍ଗୀତ ଶୁଭୁଥାଏ । ରାସ୍ତାଘାଟରେ ଯାଉଥିବା ଲୋକମାନେ ମନେକଲେ, ବୋଧହୁଏ ଏତେଦିନ ପରେ, ଏଇ ଘରର ମାଲିକାଣୀ ବିବାହ କରିବା ପାଇଁ ରାଜି ହୋଇଗଲେ । ଯୁଦ୍ଧକୁ ଯାଇଥିବା ପତିଙ୍କୁ ଆଉ ଅଧିକ କାଳ ଅପେକ୍ଷା କରିବାର ଧୈର୍ଯ୍ୟ ତାଙ୍କର ରହିଲା ନାହିଁ ।

                ରୂପଧର ସୁଚାରୁ ରୂପେ ସ୍ନାନ କରି, ଅଙ୍ଗରେ ତୈଳ ମର୍ଦ୍ଦନ କଲେ । ଏବେ ତାଙ୍କର ଚେହେରା ଫୁଟି ଉଠିଲା । ସେ ତାଙ୍କ ପତ୍ନୀ ପଦ୍ମମୁଖୀଙ୍କୁ କହିଲେ, “ତୁମେ କେଉଁ ଧରଣର ସ୍ତ୍ରୀ? କୋଡିଏ ବର୍ଷ ପରେ ଘରକୁ ଫେରିଥିବା ପତିଙ୍କୁ କ’ଣ ଏପରି ବ୍ୟବହାର କରାଯାଏ? ଅନ୍ୟ କେଉଁ ସ୍ତ୍ରୀ ଲୋକ ହୋଇଥିଲେ ଅତି ଆଦରରେ କେତେ ପ୍ରେମ ପୂର୍ଣ୍ଣ କଥା ବଖାଣି ବସନ୍ତା ।” ମାତ୍ର ପଦ୍ମମୁଖୀଙ୍କ ନିକଟରେ କୌଣସି ଭାବାନ୍ତର ଲକ୍ଷ୍ୟ ନ କରି ସେ ବୃଦ୍ଧ ଦାସୀଙ୍କୁ କହିଲେ, “ଧାଇ-ମା, ମୋର ଶୋଇବା ପାଇଁ ଶଯ୍ୟା ବନ୍ଦବୋସ୍ତ କରିଦିଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ