ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା ।
ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା ହେଉଛନ୍ତି ସାକ୍ଷାତ୍ ଭଗବାନ୍ । ସେଥିରେ ସେ ରାଜା ଅତ୍ୟନ୍ତ ଗର୍ବରେ ଫୁଲି ଉଠିଲେ ।
ଥରେ ବାଘପୁରକୁ ଜଣେ ଯୋଗୀ ଆସିଲେ । ଲୋକମାନେ ବଡ ଭକ୍ତିଭାବରେ ତାଙ୍କର ବଚନ ସବୁ ଶୁଣୁଥାନ୍ତି ଓ ତାଙ୍କୁ ସମ୍ମାନବି ଦେଖାଉଥାନ୍ତି । ରାଜାଙ୍କ ଗୁପ୍ତଚର ମାନେ ରାଜାଙ୍କୁ କହିଲେ ଯେ ସେ ଯୋଗୀ ଭଗବାନଙ୍କ ବିଷୟରେ ଯାହାସବୁ କହୁଛି ତାହା ରାଜାଙ୍କ କଥା ବିରୁଦ୍ଧରେ ଯିବ । ରାଜା ତତ୍କ୍ଷଣାତ୍ ଆଦେଶ ଦେଲେ ଯୋଗୀଙ୍କୁ ଦରବାରକୁ ନେଇ ଆସିବାକୁ । ସୈନିକମାନେ ଆଦେଶ ପାଳନକଲେ ।
ଯୋଗୀଙ୍କୁ ଦେଖି ରାଜା ଆଖି ଲାଲ୍ କରି ପଚାରିଲେ, “ତମେ ଜାଣକି ମୁଁ ଏଠାକାର ରାଜା? ରାଜା ସମ୍ରାଟ ମଧ୍ୟ ହୋଇପାରେ । ଆମ ଦରବାରର ପଣ୍ଡିତ ଚୁଡାମଣି କହିଛନ୍ତି ଯେ ଯିଏ ରାଜ୍ୟ ପାଳନ କରେ ସେ ସାକ୍ଷାତ୍ ଭଗବାନ୍ । ମୁଁ ଶୁଣିଲି ତୁମେ ଅନ୍ୟ କେଉଁ ଭଗବାନ୍ଙ୍କ ବିଷୟରେ ପ୍ରଜାମାନଙ୍କୁ କିଛି କହୁଛ ତଦ୍ୱାରା ତୁମେ ମୋର ଘୋର ଅପମାନ କରିଛ । ମୁଁ ତୁମକୁ ଏବେ ମୃତ୍ୟୁଦଣ୍ଡ ଦେଇ ତୁମର ପ୍ରଚାର ସମାପ୍ତ କରି ଦେଉଛି ।”
ରାଜାଙ୍କ କଥା ଶୁଣି ସେ ହସି ହସି କହିଲେ, “ରାଜନ୍, ମୁଁ ଶୁଣିଛି ଆପଣଙ୍କ ଦରବାରରେ ଏହି ପଣ୍ଡିତ ଚୁଡାମଣିଙ୍କ ବ୍ୟତୀତ ଆଉ ଦୁଇଜଣ ବିବେକବାନ୍ ମନ୍ତ୍ରୀ ଅଛନ୍ତି । ମୁଁ ସେମାନଙ୍କୁ କିଛି ପ୍ରଶ୍ନ ପଚାରିବି । ତା’ପରେ ପଛେ ଆପଣ ମୋତେ ମୃତ୍ୟୁ ଦଣ୍ଡ ଦେଇ ପାରନ୍ତି ।”
ରାଜା ତାଙ୍କ କଥା ସ୍ୱୀକାର କଲେ । ତା’ପରେ ଯୋଗୀରାଜ ତିନିଟି ତାଳପତ୍ର ଉପରେ ଏକହିଁ ପ୍ରଶ୍ନ ଲେଖିଲେ, “ମାଟିର ଅର୍ଥ କ’ଣ?” ଜଣେ ମନ୍ତ୍ରୀ ଲେଖିଥିଲେ, “ମାଟିରେହିଁ ପୃଥିବୀ ନିର୍ମିତ ହୋଇଛି ।” ଦ୍ୱିତୀୟ ମନ୍ତ୍ରୀ ଲେଖିଲେ, “ମାଟି ଜଳ ଠାରୁ ଭିନ୍ନ ଏକ ପଦାର୍ଥ ।” କିନ୍ତୁ ପୂର୍ବୋକ୍ତ ସର୍ବଜ୍ଞ ବ୍ରାହ୍ମଣ ପଣ୍ଡିତ ଲେଖିଥିଲେ, “ମାଟି ଏପରି ଏକ ପଦାର୍ଥ ଯାହା ସମସ୍ତ ପ୍ରାଣୀଙ୍କୁ ଚଳଅଚଳ ସମସ୍ତ କିଛିକୁ ଆଶ୍ରୟ ଦେଇଥାଏ ।”
ଯୋଗୀରାଜ ସେଗୁଡିକ ରାଜାଙ୍କୁ ଦେଖାଇ କହିଲେ, ମହାରାଜ, ଏବେ ଆପଣ ସ୍ୱୟଂ ଦେଖନ୍ତୁ । ବିବେକବାନ୍ ଓ ପ୍ରକାଣ୍ଡ ବିଦ୍ୱାନ ଏକ ସାଧାରଣ ଜିନିଷକୁ ମଧ୍ୟ ଭିନ୍ନ ରୂପ ଦିଅନ୍ତି । ଭଗବାନ୍ ତ ସର୍ବୋତ୍ତମ କର୍ତ୍ତା । ତାଙ୍କ ବିଷୟରେ କ’ଣ କିଛି ଅଛି?
ଏକଥା ଶୁଣି ବ୍ୟାଘ୍ରେଶ୍ୱର କିଛି ସମୟ ପାଇଁ ଚୁପ୍ ରହିଲେ । ତା’ପରେ ସିଂହାସନରୁ ଓହ୍ଲାଇ ଧୀରେ ଧୀରେ ଯୋଗୀଙ୍କ ପାଖକୁ ସେ ଆସିଲେ । ତା’ପରେ ତାଙ୍କ ପାଦରେ ପ୍ରଣାମ କରି ସେ କହିଲେ, “ମହାତ୍ମା ଆପଣ ଏକ ସାଧାରଣ ପ୍ରଶ୍ନ ଦ୍ୱାରା ମୋର ଆଖି ଖୋଲି ଦେଲେ । ମୁଁ ଏବେ ସତ୍ୟ ଉପଲବ୍ଧି କରୁଛି । ମୋତେ ଆପଣଙ୍କ ଶିଷ୍ୟ ଭାବରେ ଗ୍ରହଣ କରି ଆଶିର୍ବାଦ ଦିଅନ୍ତୁ ।”
ଯୋଗୀରାଜଙ୍କର ରାଜାଙ୍କ ପ୍ରତି ସ୍ନେହ ଭାବ ଆସିଲା ସେ ତାଙ୍କୁ ଆଲିଙ୍ଗନ କଲେ । ତା’ପରେ ଯୋଗୀରାଜଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଜଣେ ମହାନ୍ ରାଜା ହୋଇ ଉଠିଲେ, ତଥା ଭଲଭାବରେ ପ୍ରଜା ପାଳନ କଲେ ।