ତିନିହଜାର ବର୍ଷ ତଳର କଥା । ଚୀନ୍ର ସମ୍ରାଟ ଚଉଦ ବର୍ଷର ସୁନ୍ଦର ଝିଅଟିଏ ବାହା ହେଲେ । ତା’ର ନାମ ସଲିଙ୍ଗସି ଥିଲା । ସେ ବଡ ଲଜ୍ଜାଶୀଳା ଥିଲା । ତାକୁ ଖୁସି ରଖିବା ପାଇଁ ସମ୍ରାଟ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥା’ନ୍ତି ।
ସବୁ ସତ୍ତ୍ୱେ ମଧ୍ୟ ସିଲିଙ୍ଗସି ସର୍ବଦା ଉଦାସ ରହିଥାଏ । କେବେ ବା ତା’ଆଖିରୁ ଅଶ୍ରୁବିନ୍ଦୁ ସବୁ ଝରିଯା’ନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସେ ଖୁସି ହୁଏ ନାହିଁ । ପ୍ରଥମ କାରଣ ହେଲା ସେ ପିଲାଲୋକ । ଦ୍ୱିତୀୟ କାରଣ ହେଲା ବାପା, ମା’ ଭାଇଭଉଣୀ ଛାଡି ଏକା ରହିଛି ସେଥିପାଇଁ ।
ଦିନେ ସେ ବଗିଚାରେ ବସି କାନ୍ଦୁଥାଏ । ବହୁ ସମୟ ଧରି କାନ୍ଦ ବନ୍ଦ ନ ହେବାରୁ ସମ୍ରାଟଙ୍କୁ ଖବର ଦିଆଗଲା । ସମ୍ରାଟ ନିଜେ ଆସି ପହଁଚିଲେ ଓ ପଚାରିଲେ, “କ’ଣ ହେଲା କାହିଁକି କାନ୍ଦୁଛ? ଦେହ ଖରାପ ହେଲା କି?”
ସିଲିଙ୍ଗସି କହିଲା, “ନା, ସେପରି କିଛି ନୁହେଁ । ଏମିତି ମନ ଭଲ ଲାଗୁନାହିଁ ।”
ସମ୍ରାଟ ଚାଲିଯିବା ପରେ ପରିଚାରିକାମାନେ ମହାରାଣୀଙ୍କ ପାଖରେ ଚାହାପାତ୍ର ଆଣି ରଖିଲେ । ତାଙ୍କ ପୂର୍ବ ଅଭ୍ୟାସ ଅନୁସାରେ ସେ ସମସ୍ତିଙ୍କ ପାଇଁ ଚାହା ତିଆରି କଲେ ଓ ନିଜ ପାଇଁ କପେ ଚା ନେଇ ନେଲେ । ତା’ପରେ ସେ ପିଇବାକୁ ଯାଉଛନ୍ତି ଠିକ୍ ଏହି ସମୟରେ ଗଛ ଉପରୁ କିଛି ଗୋଟାଏ ଟପ୍ କରି ଚାହା ପାତ୍ରରେ ପଡିଲା । ତେଣୁ କିଛି ଚାହା ଛିଟିକି ଯାଇ ମହାରାଣୀଙ୍କ ପୋଷାକରେ ପଡିଲା । କ’ଣ ହେଲା ବୋଲି ପରିଚାରିକାଗଣ ସେଠାକୁ ଦୌଡି ଆସିଲେ ।
ମହାରାଣୀ କହିଲେ, “ମୋ ପୋଷାକ ବିଷୟ ଚିନ୍ତା କରନାହିଁ; ଏବେ ଦେଖ ଚାହା ପିଆଲାରେ କ’ଣ ପଡିଲା ।”
ପରିଚାରିକାମାନେ ଚାହା ପିଆଲାରୁ ଜିନିଷଟି କାଢି ମହାରାଣୀଙ୍କ ହାତରେ ଦେଲେ । ମହାରାଣୀ ସିଲିଙ୍ଗସି ବଡ କୌତୁହଳ ହୋଇ ସେଇଟି ଦେଖିଲେ । ସେଇଟି ଖୁବ୍ ଚକ୍ ଚକ୍ କରୁଥିଲା ଓ ତାହାଥିଲା ରେଶମ ପୋକର ଖୋଳଟିଏ । ସେଥିରୁ କିଛି ଚକ୍ ଚକ୍ ତୁଳାପରି ବାହାରିଥିଲା ।