ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ କହିବାକୁ ଆରମ୍ଭକଲା:
ସବୁଦିନ ପରି ମହାରାଜ ବିକ୍ରମାଦିତ୍ୟ ଦରବାରରେ ବସି ବିଚାର କରୁଥିଲେ । ଜଣେ ସାଧୁ ଆସି ପହଁଚିଲେ ଏବଂ କହିଲେ, “ଆପଣ ଯଦି ଏକ ସୁନାର ମହଲ ତିଆରି କରନ୍ତି ତାହା ଆପଣଙ୍କ ପାଇଁ ଶୁଭଦାୟକ ସାବ୍ୟସ୍ତ ହେବ । ସେଠାରେ ଧନ ବାସ କରିବେ । ପ୍ରଜାମାନଙ୍କ ଘରେ ଧନ ବର୍ଷାହେବ । ସମସ୍ତେ ସୁଖ ଶାନ୍ତିରେ ରହିବେ ଏବଂ ଆପଣଙ୍କ ଯଶଖ୍ୟାତି ଅଧିକ ବ୍ୟାପିଯିବ ।”
ମହାରାଜା କହିଲେ, “ବେଶ୍ ଠିକ୍ ଅଛି । ମୁଁ ମୋ ପାଇଁ ନୁହେଁ, ବରଂ ମୋ ପ୍ରଜାମାନଙ୍କୁ ଧନଧାନ୍ୟରେ ଭରିଦେବା ପାଇଁ ସେ ମହଲ ତିଆରି କରିବି ।” ତା’ପରେ ସାଧୁଙ୍କୁ ବିଦାୟ ଦେଇ ମହାରାଜ ନିଜର ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ଠିକ୍କରି ସୁନାର ମହଲ ତିଆରି କରାଇବା ପାଇଁ ନିର୍ଧେସ ଦେଲେ ।
ପରିଶେଷରେ କ୍ଷିପ୍ରା ନଦୀକୂଳରେ ସ୍ଥାନ ଠିକ୍କରି ନିର୍ଦ୍ଦିଷ୍ଟ ବେଳା ଠିକ କରି ମହଲ ତିଆରି ପାଇଁ ଶୁଭ ଦିଆଗଲା । ବିଭିନ୍ନ ରାଜ୍ୟରୁ ଦକ୍ଷ କାରିଗରଙ୍କୁ ଡାକି କାମରେ ନିଯୁକ୍ତ କରାଗଲା । ଅଳ୍ପକାଳ ମଧ୍ୟରେ ସୁନା, ରୂପା, ହୀରା, ମଣିମୁକ୍ତା ଖଚିତ ବିଶାଳ ମହଲ ତିଆରି ହୋଇଗଲା । ସେଇ ତଥାକଥିତ ସାଧୁଙ୍କୁ ଡକାଇ ପଠାଇ ମହାରାଜ ମହଲ ଦେଖିବାକୁ ଗଲେ ।