ରାମଚନ୍ଦ୍ର ନାମକ ଜଣେ ଧାନ ବ୍ୟବସାୟୀ ବାଲା ଗ୍ରାମରେ ରହୁଥା’ନ୍ତି । ସେ ଥରେ ତାଙ୍କର କୌଣସି ଏକ କାମ ପାଇଁ ସହରକୁ ଯାଇଥା’ନ୍ତି । ସେଠାରେ ପହଁଚି ସେ ନିଜର କାମଦାମ ଶେଷ କରି ଭାବିଲେ ଏବେ ସେ ରହିବେ କେଉଁଠି, ଠିକ୍ ସେତିକିବେଳେ ହଠାତ୍ ତାଙ୍କର ମନେ ପଡିଲା କି ତାଙ୍କ ଭଉଣୀ ଭାରତୀ ଓ ତା’ର ସ୍ୱାମୀ ସୁଭାଷ ସେହି ସହରରେ ରହୁଛନ୍ତି । ତା’ପରେ ସେ ରାମଚନ୍ଦ୍ର ଆଗ ପଛ କିଛି ବିଚାର ନ କରି ସିଧା ଯାଇ ସେଠି ପହଁଚିଲେ ।
ରାମଚନ୍ଦ୍ରକୁ ଦେଖି ତାଙ୍କ ଭିଣୋଇ ସୁଭାଷ କହିଲେ, “ଆରେ ଭାଇ, ଏପରି ସମୟରେ ତୁମେ ହଠାତ୍ କୁଆଡୁ ଆସିଲ? କିନ୍ତୁ ଭଲ ବେଳାରେ ଆସିଛ; ଆମେ ଖାଇବାକୁ ଯାଉଛୁ । ତୁମେ ମଧ୍ୟ ହାତ ମୁହଁ ଧୋଇ ଆସ ଆମେ ସବୁ ଏକାଠି ଖାଇବା ।”
ଏଣେ ସେ ରାମଚନ୍ଦ୍ର ତ ସକାଳୁ ଖଟି ଖଟି ଭୋକିଲା ହୋଇଥିଲେ । ତେଣୁ କୌଣସି ମତେ ହାତଗୋଡ ଧୋଇ ସେ ଖାଇବାକୁ ବସିଗଲେ । କିନ୍ତୁ ଏ ସେ କ’ଣ ଦେଖୁଛନ୍ତି? ତିନୋଟି ଥାଳି ତ ଆଗରୁ ବଢା ହୋଇଛି । ଏସବୁ ଦେଖି ରାମଚନ୍ଦ୍ର ନିଜ କୌତୁହଳ ସମ୍ବରଣ କରି ନପାରି ପଚାରିଲେ, “ତିନୋଟି ଥାଳି ଏଠାରେ କିପରି ବଢା ହୋଇଛି । ମୁଁ ତ ଏଠାକୁ ଆସିବି ବୋଲି ଆଗରୁ ଖବର ସୁଦ୍ଧା ବି ଦେଇ ନଥିଲି?”
ରାମଚନ୍ଦ୍ରଙ୍କ ମନର ସଂଶୟ ଦୂର କରିବାକୁ ଯାଇ ସୁଭାଷ ଅଳ୍ପ ହସି ଦେଇ କହିଲେ, “ଇଏ ମୋ ମା’ଙ୍କ ପାଇଁ ବଢା ହୋଇଛି । ସେ ତ ସବୁଦିନ ଆମ ସାଥିରେ ଖାଆନ୍ତି ।”
ଭିଣୋଇଙ୍କ କଥା ଶୁଣି ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲେ – “ଏଁ ତୁମ ମା’? ହେଲେ ସିଏ ତ ପ୍ରାୟ ଦୁଇବର୍ଷ ପୂର୍ବରୁ ମରି ଯାଇଛନ୍ତି?”
ତହୁଁ ସୁଭାଷ କହିଲେ, “ତା ତ ଠିକ୍ କଥା; କିନ୍ତୁ ଆମେ ଅନୁଭବ କରୁ ଯେ ସେ ଏବେ ମଧ୍ୟ ଆମ ସହିତ ଅଛନ୍ତି । ଆମେ ତାଙ୍କୁ ସିନା ଦେଖି ପାରୁନାହୁଁ, ମାତ୍ର ଭାରତୀକୁ ସେ ଦେଖା ଦେଉଛନ୍ତି ଓ ସମସ୍ତ ଭଲମନ୍ଦ ଘଟଣାରେ ସେ ମଧ୍ୟ ଭାରତୀକୁ ବୁଦ୍ଧି ବତାଇ ଦିଅନ୍ତି ।”
ରାମଚନ୍ଦ୍ର ପଚାରିଲେ “ଆଚ୍ଛା ତେବେ ଏ ଥାଳୀରେ ଥିବା ଖାଦ୍ୟ ସେ କେତେବେଳେ ଖାଆନ୍ତି?”
ଭାରତୀ ଜବାବ୍ ଦେଲା “ଆମେ ଏ ଥାଳୀ ଉପରେ ଆଉ ଗୋଟିଏ ଥାଳୀ ଘୋଡାଇ ଦେଉ । ଆଉ ସକାଳୁ ଉଠି ଦେଖୁ ଯେ ରାତିରେ ସେସବୁ କିଏ ଖାଇ ଦେଇଛି । ହୁଏତ ସେଇ ରାତିରେ ଆସି ସେ ଖାଇ ଦିଅନ୍ତି ।”
ଭଉଣୀର ସବୁକଥା ଶୁଣି ରାମଚନ୍ଦ୍ର ଭାରତୀକୁ ପଚାରିଲେ “ଠିକ୍ ଅଛି । ହେଲେ ମୁଁ ଏ ଖାଦ୍ୟ ଖାଇଦେଲେ ସେ ରାତିରେ ଆସି କ’ଣ ଖାଇବେ?”
ଏହାଶୁଣି ଭାରତୀ କହିଲା “ଭାଇ, ତୁମେ ଆଦୌ ଚିନ୍ତା କରନାହିଁ । ମୁଁ ତାଙ୍କ ପାଇଁ ଅଧିକା ରାନ୍ଧି ଦେବି ।”
ଏହାପରେ ସେ ତିନିଜଣ ଯାକ ଖାଇବା ଆରମ୍ଭ କଲେ ଓ ଶେଷ ବି କଲେ । ଭାରତୀ ଖାଇସାରି ଯାଇ ପୁଣି ଖାଦ୍ୟ ତିଆରି କଲା ଓ ଥାଳୀରେ ଘୋଡାଇ ରଖିଲା ।