ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବ ପୁରାଣ

ବଜ୍ରାଙ୍ଗର ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ତା’ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ, “ତୁମେ ଯାହା ବର ମାଗିବାକୁ ଚାହଁ ମାଗ ।”

                ବଜ୍ରାଙ୍ଗ ହାତ ଯୋଡି କହିଲା “ମହାତ୍ମନ୍, ମୋର ପତ୍ନୀ ଏକ ବଳଶାଳୀ ପୁତ୍ର କାମନା କରେ ଯିଏକି ଦେବତାଙ୍କ ଉପରେ ମଧ୍ୟ  ବିଜୟଲାଭ କରିପାରିବ । ତା’ର ଇଚ୍ଛା ପୂର୍ଣ୍ଣ କରନ୍ତୁ ।”

                ତା’ପରେ ବ୍ରହ୍ମା ପ୍ରସନ୍ନତା ସହିତ “ତଥାସ୍ତୁ” ବୋଲି କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ବଜ୍ରାଙ୍ଗ ଗୃହକୁ ପ୍ରତ୍ୟାବର୍ତ୍ତନ କରି ଏ ସମ୍ବାଦ ନିଜ ପତ୍ନୀକୁ ଦେଲା ।

                ଯଥା ସମୟରେ ବରାଙ୍ଗୀର ପୁଅଟିଏ ଜନ୍ମ ହେଲା । ତା’ର ଜନ୍ମ ବେଳେ ପୃଥିବୀ କମ୍ପି ଉଠିଲା । ଚାରିଆଡେ ଅଗ୍ନୁତ୍ପାତ ଦେଖାଦେଲା । ସମୁଦ୍ର ମାଡି ଆସିଲା ଓ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଲା ।

                ପିତାମାତା ସେହି ପିଲାର ନାମ “ତାରକ” ଦେଲେ । କ୍ରମେ ସେ ବାଲ୍ୟବସ୍ଥାରୁ ଯୌବନାବସ୍ଥା ପ୍ରାପ୍ତ କଲା । ତା’ର ଶରୀର ପର୍ବତାକାର ଥିଲା ଓ ସେ ଅତ୍ୟନ୍ତ ବଳଶାଳୀ ଥିଲା ।

ତାରକକୁ ଯିଏ ଦେଖୁଥାଏ । ସିଏ ଭୟରେ କୁଆଡେ ହେଲେ କୁଆଡେ ପଳାଇବ ଠିକ୍ କରି ପାରୁ ନଥାଏ । ବଣ ଭିତରର ପଶୁପକ୍ଷୀମାନେ ତାରକର ରଡି ଶୁଣିଲେ ପ୍ରାଣମୂର୍ଚ୍ଛା ଦୌଡି ପଳାଇ ଯାଉଥାନ୍ତି । ମଣିଷମାନେ ତା’ ପାଖ ପଶିବାକୁ କେବେବି ସାହସ କରୁ ନଥାନ୍ତି । ତାରକର ରଡିରେ ପାହାଡ ପର୍ବତ ପ୍ରକମ୍ପିତ ହେଉଥାଏ । ବୃକ୍ଷଲତାରୁ ପତ୍ରମାନ ଝଡି ପଡୁଥାନ୍ତି । ତାରକ ନଦୀରେ ପଶି ସନ୍ତରଣ କଲେ ନଦୀର ଢେଉ କୂଳ ଲଂଘନ କରି ଦୁଇ ତୀରବର୍ତ୍ତୀ ଗଛଲତା ଦେହରେ ବାଡେଇ ହୋଇ ଯାଉଥାନ୍ତି ।

ବରାଙ୍ଗୀ ଏ ବଳବାନ ପୁଅକୁ ଦେଖି ବହୁତ ଖୁସି ହେଉଥାଏ । ସେ ପୁଅ ଟିକିଏ ବଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ ।

ଦିନେ ବରାଙ୍ଗୀ ତା’ ପୁତ୍ରକୁ ଡାକି କହିଲା, “ପୁଅ, ତୁ ଯାଇ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବୁ ଓ ତାଙ୍କଠାରୁ ଏପରି ବର ମାଗିବୁ ଯେଉଁଥିରେକି ତୁ ଏ ତିନିଲୋକରେ ବୀରମାନଙ୍କର ଅଗ୍ରଗଣ୍ୟ ହେବୁ ।”

ତାରକ କୌତୁହଳୀ ହୋଇ ପଚାରିଲା “ମା ଏ ବ୍ରହ୍ମା କିଏ? ପୁଣି ତପସ୍ୟା କିପରି ଭାବରେ କରିବାକୁ ହୁଏ?”

ମା କହିଲେ “ବାପା, ବ୍ରହ୍ମା ଅତ୍ୟନ୍ତ ଶକ୍ତିଶାଳୀ ମହାନ୍ ଦେବତା । ତୁ ତାଙ୍କୁ ଭକ୍ତି ସହକାରେ ମନେ ମନେ ଧ୍ୟାନ କରିବୁ । ତାଙ୍କ କଥା ବ୍ୟତୀତ ଅନ୍ୟ କୌଣସି କଥା ମଧ୍ୟ ତୁ ତୋ ଚିନ୍ତା ରାଜ୍ୟକୁ ଆଣିବୁ ନାହିଁ । ମନକୁ ବିଚଳିତ କରିବୁ ନାହିଁ । ଖରା, ବର୍ଷା, ପବନ ଏସବୁ ପ୍ରତି ତୁ ମୋଟେ ଖାତିର କରିବୁ ନାହିଁ ।”

ମା’ର କଥା ଶୁଣି ତାରକ ତପସ୍ୟା କରିବାକୁ ଗଲା । ତା’ର ତପସ୍ୟା ଅତ୍ୟନ୍ତ ଉଗ୍ର ଥିଲା । ସେହି ତପସ୍ୟାର ପ୍ରତାପରେ ଚାରିଦିଗରେ ଖାଲି ଅଗ୍ନି ଦେଖା ଦେଲା । ଦେବତାମାନେ ବ୍ରହ୍ମାଙ୍କୁ ଭେଟି କହିଲେ, “ମହାତ୍ମନ୍, ଆପଣ ଶୀଘ୍ର ଯାଇ ସେ ତାରକର ତପସ୍ୟା ବନ୍ଦ କରାନ୍ତୁ ନଚେତ୍ ଏ ତିନିଲୋକ ଜଳିଯିବ ।”

ବ୍ରହ୍ମା ତାରକ ସମ୍ମୁଖରେ ଆବିର୍ଭାବ ହୋଇ କହିଲେ, “ମୁଁ ତୋର ତପସ୍ୟାରେ ଖୁବ୍ ସନ୍ତୁଷ୍ଟ ହୋଇଛି । ଅଭିଳଷିତ ବର ମାଗି ନେ ।”

ତାରକ ଆନନ୍ଦିତ ହୋଇ ହାତ ଯୋଡି କହିଲା, “ମହାତ୍ମନ, ଆପଣଙ୍କ ଅନୁଗ୍ରହରେହିଁ ମୋର ଏ ତପସ୍ୟା ଆଜି ସଫଳ ହୋଇଛି । ମୋତେ ଏଇ ବର ଦିଅନ୍ତୁ ଯେ ଶିବଙ୍କ ଅଂଶ ବ୍ୟତୀତ ମୁଁ ଆଉ କାହାରି ହାତରେ ମଧ୍ୟ ମରିବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ