ଖରାଦିନେ ସକାଳୁ ବୁଦାମୂଳେ ବସି କେତୋଟି ଝିଂଟିକା ମନ ଖୁସିରେ ଝିଂଝିଂ ସୁର ଛାଡିଥିଲେ । ଠିକ୍ ଏହି ସମୟରେ ଗୋଟାଏ ଗଧ ସେଠାରେ ପହଁଚି କାନ ଡେରି ଶୁଣିଲା । ତାକୁ ଏ ଝିଂଟିକାଙ୍କ ଗୀତ ଭାରି ମିଠା ଲାଗିଲା । ତେଣୁ ସେ ଗଧ ପଚାରିଲା ତମେମାନେ କିପରି ଏତେ ସୁନ୍ଦର ଗାଇ ପାରୁଛ?
ଏ ଝିଂଟିକାମାନେ ତ ବହୁ ଆଗରୁ ଜାଣିଥିଲେ ଯେ ଗଧ ଗୋଟିଏ ବୋକା । ତେଣୁ ତାକୁ କହିଲେ – ଏଇ ଘାସପତ୍ରରେ ଯେଉଁ ଶିଶିର ପଡିଛି ଦେଖୁଛ, ଆମେ କେବଳ ତାକୁ ହିଁ ପିଉ । ସେଥିପାଇଁ ଆମ କଣ୍ଠ ଏପରି ମିଠା ହୋଇଛି ।
ଏକଥା ଶୁଣି ଗଧ ଖୁବ୍ ଖୁସି ହୋଇଗଲା । ତା’ପରେ ସେ ସ୍ଥିର କଲା, ଏଣିକି ସେ କେବଳ ଘାସପତ୍ରରେ ଲାଗିଥିବା ଶିଶିର ହିଁ ଚାଟିବ । ତା’ହେଲେ ଯାଇ ତା’ର ଗଳା ମଧୁର ହେବ । ମାତ୍ର କିଛିଦିନ ଖାଦ୍ୟ ପେଟକୁ ନ ଯିବାରୁ ଉପାସରେ ସେ ଗଧର ମୃତ୍ୟୁ ହେଲା ।
ଆଖି ବୁଜି ଅନ୍ୟ କଥାରେ ଭାସି ଯାଅନି ।