ବୁଢୀଟିଏ ଥାଏ; ସେ ବହୁତ ଧନସମ୍ପତ୍ତିର ମାଲିକାଣୀ । କିନ୍ତୁ ନାତୁଣୀଟି ବ୍ୟତୀତ ତା’ର ଏ ସଂସାରରେ ନିଜର ବୋଲି ଆଉ କେହି ବି ନଥିଲେ । ବୁଢଟି ତା ନାତୁଣୀକୁ ସର୍ବଦା କଡା ଶାସନ ଭିତରେ ରଖିଥାଏ । ତାକୁ ସେ ବାହାରକୁ କେବେବି ଖେଳିବାକୁ ଛାଡେନାହିଁ ବା ବାହାରୁ କିଏ ସାଙ୍ଗଝିଅ ଆସିବାକୁ ଚାହିଁଲେ ସେ ବୁଢୀ ମନା କରିଦିଏ । ଏହିପରି ଭାବେ ସେ ନାତୁଣୀଟି ତା’ ଜେଜେମା ପାଖରେ ଡରିମରି ଥାଏ ।
ଯେପରିକି ନାତୁଣୀ ପାଇଁ ସେ ଘରଟି ଏକ ସାକ୍ଷାତ୍ ବନ୍ଦୀ ଶାଳା । ଜେଜେମା ଓ ଶୁଆଟିଏ ଛଡା ଆଉ କାହାକୁ ବି ସେ ଘରେ ଦେଖିବା ଭାରି କଷ୍ଟ । ଝରକା ଖୋଲି ଦେଇ ସେ ଦେଖେ ବାହାରେ ପିଲାମାନେ ଆନନ୍ଦରେ ଖେଳୁଛନ୍ତି । ତେଣୁ ସେ ମନେ ମନେ ବୁଢୀ ଉପରେ ଭାରି ଚିଡେ । କିନ୍ତୁ ଡରରେ କିଛି ହେଲେ ବି ସେ କହି ପାରେନାହିଁ । ସେ ବୁଢୀ ଯେତେବେଳେ କୌଣସି କାମ ପାଇଁ ଘର ବାହାରକୁ ଯାଏ ନାତୁଣୀ ସେତେବେଳେ ସବୁ ରାଗତକ ସାରି ବଡପାଟିରେ କହେ, “ଛି, ମରୁନି ଏ ବୁଢୀଟା ।”
ଏଇକଥାଟି ବାରମ୍ବାର ଶୁଣି ସେ ଶୁଆ ମଧ୍ୟ ଶିଖି ନେଇଥାଏ । ଦିନେ ବୁଢୀ ସହିତ କଥା କହୁ କହୁ ଶୁଆ କହିଲା, “ଛି, ମରୁନି ଏ ବୁଢୀଟା ।” ଏହା ଶୁଣି ତ ସେ ବୁଢୀ ହଠାତ୍ ରାଗରେ ନିଆଁ । ଭାବିଲା ଶୁଆକୁ ଏଭଳି କଥା କିଏ ଶିଖାଇଲା । ନାତୁଣୀ ତ ସବୁବେଳେ ଭୟରେ ଚୁପ୍କରି ବସିଥାଏ । ତେବେ ତାକୁ ଏ ଭାଷା କିଏ ଶିଖାଇଲା । ବହୁତ ଭାବିଚିନ୍ତି କିଛି କୂଳକିନାରା ନପାଇ ଶେଷରେ ସେ ଚୁପ୍ ହୋଇ ରହିଲା । ଦିନେ ସେ ବୁଢୀ ପାଖକୁ ପଡୋଶୀ ଘରର ଆଉ ଜଣେ ବୁଢୀ ବୁଲି ଆସିଥାଏ । ଦୁହେଁ ବହୁ ସମୟ କଥାବାର୍ତ୍ତା ଓ ସୁଖ-ଦୁଃଖ ହେଲେ । ଶୁଆର ମଧ୍ୟ କଥା କହିବାକୁ ଇଚ୍ଛା ହେଲା । ସେ କହିଲା, “ଛି, ମରୁନି ଏ ବୁଢୀଟା ।”
ଏପରି ଏକ କଥା ଶୁଣି ସେ ପଡୋଶୀ ବୁଢୀର ମୁହଁ ହଠାତ୍ ଫିକା ପଡିଗଲା । ତା’ପରେ ସେ ରାଗରେ ଗରଗର ହୋଇ ଏ ବୁଢୀକୁ କିଛି ବି ନକହି ନିଜ ଘରକୁ ପଳାଇଲା । ଏଣେ ଏ ବୁଢୀକୁ ବହୁତ ଅପମାନ ଲାଗିଲା । ଶୁଆର ଭାଷା ବଦଳାଇବା ପାଇଁ ସେ ବୁଢୀ ବହୁତ ଚିନ୍ତା କଲା । ବୁଢୀ ରହୁଥିବା ଗଳିରେ ରାମଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା’ନ୍ତି । ତାଙ୍କ ଘରେ ମଧ୍ୟ ଶୁଆଟିଏ ଥାଏ । ବୁଢୀ ଭାବିଲା ପଣ୍ଡିତଙ୍କର ଶୁଆମାନଙ୍କ ବିଷୟରେ ନିଶ୍ଚୟ ବହୁତ ଜ୍ଞାନ ଥିବ । ସେହିଦିନହିଁ ସେ ପଣ୍ଡିତଙ୍କୁ ଦେଖାକରି କହିଲା, “ଶାସ୍ତ୍ରୀଜୀ, ଆମ ଶୁଆର ଭାଷା ବଡ ଖରାପ । କେହି ଆମ ଘରକୁ ଆସିଲେ ଶୁଆ ଖରାପ ଭାଷାରେ କଥା କହୁଛି । ସେସବୁ ଶୁଣି ମୋତେ ବଡ ଅସୁବିଧା ଲାଗୁଛି । ଏହି କାରଣରୁ ଲଜ୍ଜାରେ ମୁଁ ଆଉ କାହା ସହିତ ବସି ଭଲକରି ଦୁଇପଦ କଥା କହି ପାରୁନାହିଁ । ଶୁଆ ଯେପରି ଭଲ କଥା କହିବ, ସେଥିପାଇଁ ଆପଣ ମୋତେ କିଛି ଉପାୟ କୁହନ୍ତୁ ।”
ଏକଥା ଶୁଣି ସେ ପଣ୍ଡିତ ଅଳ୍ପ ହସି କହିଲେ, “ଇଏ ଅବା କି ବଡ କଥା । ଆମ ଶୁଆ ଭଲ ଭଲ କଥା କହୁଛି । ଦୁଇ ତିନିଦିନ ତୁମ ଶୁଆ ସାଥିରେ ଆମ ଶୁଆ ରହିଲେ ତୁମ ଶୁଆ ଭଲ ଭାଷା ଓ କଥା ଶିଖିଯିବ ଯେ । ଆଜି ତମେ ଆମ ଶୁଆକୁ ନେଇ ଯାଅ ତୁମ ଶୁଆ ଭଲ କଥା ଶିଖି ସାରିଲେ ଯାଇ ଆମ ଶୁଆକୁ ତମେ ଫେରାଇ ଦେବ ।”
ଏହାପରେ ବୁଢୀ ସେ ପଣ୍ଡିତଙ୍କୁ ବହୁତ କୃତଜ୍ଞତା ଜଣାଇ ଶୁଆଟି ଧରି ଘରକୁ ଫେରିଲା ଓ ନିଜ ଶୁଆ ସହିତ ସେହି ପଞ୍ଜୁରୀରେ ତାକୁ ବି ରଖିଲା । ନୂଆ ଶୁଆକୁ ଦେଖି ବୁଢୀର ଶୁଆ ରାଗରେ ଆଖି ବୁଲାଇଲା ଓ କହିଲା, “ଛି, ମରୁନି ଏ ବୁଢୀଟା ।” ତତ୍କ୍ଷଣାତ୍ ପଣ୍ଡିତଙ୍କ ଶୁଆ କହିଲା, “ତଥାସ୍ତୁ ।”
ବୁଢୀ ରାଗିଯାଇ ସେ ପଞ୍ଜୁରୀର କବାଟ ସଙ୍ଗେ ସଙ୍ଗେ ଖୋଲିଦେଲା ଶୁଆ ଦୁହେଁ ସେଠାରୁ ଖୁସିରେ ଉଡିଗଲେ । ସେମାନଙ୍କୁ ଦେଖି ବୁଢୀ କହିଲା, “ଯା, ଏବେ ମର ଦୁଇଜଣ ଯାକ । ଦୁଷ୍ଟ କେଉଁଠିକାର ।”