ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’
ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ ସଂଗେ ସଂଗେ ଯାଇ ଧରିଆଣିବି କିଛି ତ’ କହିଲେ ନାହିଁ । ଏହିକଥା ଚିନ୍ତା କରି କର୍ମଚାରୀ ଜଣକ ପ୍ରାସାଦରେ ଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜଣାଇଲା । ହେଲେ କେହି ଏକଥା ବୁଝି ପାରିଲେ ନାହିଁ ।
ଶେଷରେ କର୍ମଚାରୀଟି ଯାଇ ବିରବଲଙ୍କ ପାଖରେ ପହଁଚିଲା । ବିରବଲ କର୍ମଚାରୀର କଥା ଶୁଣି ତାକୁ ପଚାରିଲେ – “ରାଜା କ’ଣ କରୁଥିବା ସମୟରେ ଏକଥା କହିଲେ?” କର୍ମଚାରୀଟି କହିଲା – “ରାଜା ଯେତେବେଳେ ତାଙ୍କ ମୁଖମଣ୍ଡଳକୁ ଦର୍ପଣ ସମ୍ମୁଖରେ ଠିଆ ହୋଇ ସଫା କରୁଥିଲେ, ସେହି ସମୟରେ ମୋତେ ଏକଥା କହିଲେ ।” ବିରବଲ କହିଲେ – “ତାହେଲେ ଠିକ୍ ଅଛି । ରାଜା ତୁମକୁ ବାରିକକୁ ଡାକିବା ପାଇଁ କହିଛନ୍ତି । ହୁଏତ ରାଜା କେଶ କାଟିବା ପାଇଁ କିମ୍ବା କ୍ଷୌର ହେବା ପାଇଁ ବାରିକକୁ ଆଣିବା ପାଇଁ କହିଛନ୍ତି । ତେଣୁ ତୁମେ ସଂଗେ ସଂଗେ ଯାଇ ରାଜାଙ୍କୁ କ୍ଷୌର କରୁଥିବା ବାରିକକୁ ନେଇ ଆସ ।”
ବିରବଲଙ୍କ କଥାଶୁଣି କର୍ମଚାରୀଜଣକ କିଛି ସମୟ ପରେ ବାରିକକୁ ନେଇ ଆସି ପହଁଚିଗଲା । ରାଜା ଆକବର କର୍ମଚାରୀ ସାଂଗରେ ବାରିକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କର୍ମଚାରୀକୁ ପଚାରିଲେ – “ମୁଁ ତ’ ତୁମକୁ ବାରିକକୁ ଆଣିବା ପାଇଁ କହି ନଥିଲି । ତୁମେ କିପରି ଜାଣିଲ ଯେ ମୁଁ ବାରିକକୁ ଖୋଜୁଛି?” କର୍ମଚାରୀଜଣକ କହିଲା – “ମହାରାଜ! ଆପଣ ମୋତେ ଯାହା କହି ଥିଲେ ମୁଁ ତାହା ବୁଝି ପାରିଲି ନାହିଁ । ଦରବାରରେ କୌଣସି କର୍ମଚାରୀ ମଧ୍ୟ ଆପଣଙ୍କ କଥାକୁ ବୁଝିପାରିଲେ ନାହିଁ । ଶେଷକୁ ଆଉ କୌଣସି ଉପାୟ ନପାଇ ମୁଁ ବିରବଲଙ୍କ ପାଖରେ ପହଁଚି ତାଙ୍କୁ ସମସ୍ତ କଥା କହିଲି । ତାଙ୍କରି କହିବା ଅନୁଯାୟୀ ମୁଁ ବାରିକକୁ ଧରି ଆପଣଙ୍କ ପାଖକୁ ନେଇଆସିଲି ।
କର୍ମଚାରୀ ମୁହଁରୁ ଏକଥା ଶୁଣି ଆକବର ବିରବଲଙ୍କର ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ ।