ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ ପ୍ରକାର ବୁଝାଇଲେ ମଧ୍ୟ, ତାହା ତାଙ୍କ ଉପରେ ପ୍ରଭାବ ପକାଉ ନ ଥାଏ । ତେଣୁ ସେମାନେ ଅନ୍ତରରେ ଖୁବ୍ ବିବଶ ଅନୁଭବ କରୁଥାନ୍ତି ।
ଦିନେ ଜଣେ ସନ୍ନ୍ୟାସୀ, ତାଙ୍କ ଗୃହ ସମ୍ମୁଖରେ ଉଚ୍ଚ ସ୍ୱରରେ ‘ଭିକ୍ଷାଂ ଦେହିଂ’ ଧ୍ୱନି କରିଲେ ।
ଏହି ସମୟରେ ତିନିଜଣଯାକ ଭାଇ କୌଣସି କାର୍ଯ୍ୟ ବଶତଃ ପାଖ ଗ୍ରାମକୁ ଯାଇଥିଲେ । ତିନି ଯାଆ ଏକାଠି ବସି ଦୁଃଖସୁଖ ହେଉଥିଲେ । ସନ୍ନ୍ୟାସୀଙ୍କର କଣ୍ଠସ୍ୱର ଶୁଣି ସେମାନେ ଭାବିଲେ, ନିଶ୍ଚୟ କେହି ନୂଆ ଭିକାରୀ ଏହି ଗ୍ରାମକୁ ଆସିଛି । ନଚେତ୍ ଆମ ଘର ସମ୍ମୁଖରେ ଠିଆ ହୋଇ ଏତେ ବଡପାଟିରେ ଭିକ୍ଷା ପାଇଁ ଚିତ୍କାର କରନ୍ତା କି?
ଏହି ସମୟରେ ସନ୍ନ୍ୟାସୀ ପୁଣିଥରେ ‘ଭିକ୍ଷାଂ ଦେହିଂ’ ଚିତ୍କାର କଲେ ।
ତିନିଜଣ ଯାକ ବାହାରକୁ ଆସି ସନ୍ନ୍ୟାସୀଙ୍କୁ କହିଲେ, “ତୁମକୁ କଣ ଜଣାନାହିଁ ଏ ଘର କାହାର? ଏଠାରେ କାହାକୁ ଭିକ୍ଷା ଦିଆଯାଏ ନାହିଁ ।”
ସନ୍ନ୍ୟାସୀ ଏଥିରେ ନିରାଶ ନ ହୋଇ କହିଲେ, “ତୁମମାନଙ୍କୁ ମୋ ପରିଚୟ ଜଣାନାହିଁ । ସେହି କାରଣରୁ ମୋତେ ଭିକ୍ଷାପ୍ରଦାନ କରିବାକୁ ଅସମ୍ମତ ହେଉଛ । ମୁଁ ସମସ୍ତଙ୍କଠାରୁ ଭିକ୍ଷା ସ୍ୱୀକାର କରେନାହିଁ । ଆଜି ତୁମମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ଅଛି । ତେଣୁ ମୁଁ ଏଠାକୁ ଆସିଛି । ମୋତେ ଭିକ୍ଷା ପ୍ରଦାନ କଲେ ତୁମର ଅଶେଷ କଲ୍ୟାଣ ସାଧିତ ହେବ ।”
ତିନି ଯାଆ ଅନୁଭବ କଲେ, ୟେ କୌଣସି ସାଧାରଣ ଭିକାରୀ ନୁହଁନ୍ତି । କିନ୍ତୁ ଭୟବଶତଃ କିଛି ପ୍ରକାଶ କଲେ ନାହିଁ । କାଳେ କିଛି ଅଘଟଣ ଘଟିଯିବ ଏହା ଆଶଙ୍କା କରି, ବଡ ଯାଆ କହିଲେ, “ତୁମ ପରି କେତେ ଭିକାରୀ ଆସୁଛନ୍ତି । କିନ୍ତୁ ତୁମେ ଯେଉଁ କଲ୍ୟାଣ କଥା କହୁଛ ତାହା ଆଉ ମିଛ ନୁହେଁ ତ? ସ୍ପଷ୍ଟ କରି କହିଲ ତାହା କ’ଣ?”