ଯଶୋବର୍ମା ବିମଳପୁରୀ ରାଜ୍ୟର ଶାସକ ଥା’ନ୍ତି । ରାଜା ପ୍ରଜାଙ୍କର ମଙ୍ଗଳ ପାଇଁ ସଦା ସର୍ବଦା ଚେଷ୍ଟା କରିଥା’ନ୍ତି । ପ୍ରଜାଙ୍କର କିଛି ସମସ୍ୟା ପଡିଲେ ରାଜା ଆହାରନିଦ୍ରା ଭୁଲି ତାକୁ ସମାଧାନ କରନ୍ତି । ରାଜାଙ୍କ ପାଖଲୋକମାନେ ଓ ମନ୍ତ୍ରୀଗଣ ଯେତେବେଳେ ଏ ବିଷୟରେ ରାଜାଙ୍କୁ କିଛି ପଚାରନ୍ତି, ସେ କହନ୍ତି, “ପ୍ରଜାଙ୍କ ସମସ୍ୟାକୁ ନେଇ ମୁଁ ତ ଶାନ୍ତିରେ ଆହାର ନିଦ୍ରା କରିପାରିବି ନାହିଁ । ବରଂ ସମସ୍ୟାର ମୂଳ ଉତ୍ସ ବାହାର କରି ତାକୁ ସମୂଳେ ଉତ୍ପାଟନ କରିବା ଏକ ରାଜାର ଧର୍ମ ।”
ଥରେ ତାଙ୍କ ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତିନିବର୍ଷ ଧରି ଯଥେଷ୍ଟ ବର୍ଷା ନ ହେବାରୁ ଏପରି ହେଲା । ଏଣେ ପ୍ରଜାମାନଙ୍କର ନାନା ସମସ୍ୟା ଦେଖା ଦେଉଥାଏ । ଏପରି ସୁଯୋଗ ଦେଖି ପଡୋଶୀ ରାଜ୍ୟର ରାଜା ବିମଳପୁରୀ ଉପରେ ଯୁଦ୍ଧ ଘୋଷଣା କଲେ । ଗୋଟିଏ ସମସ୍ୟା ଥିଲା ପୁଣି ତା’ ଉପରେ ଆଉ ଏକ ସମସ୍ୟା; ରାଜା ଏଥିରେ ବଡ ଚିନ୍ତିତ ହୋଇ ପଡିଲେ । ମନ୍ତ୍ରୀମାନଙ୍କ ସହିତ ଏ ବିଷୟରେ ପରାମର୍ଶ କଲେ । ମନ୍ତ୍ରୀମାନେ ଏକ ସ୍ୱରରେ କହିଲେ, “ମହାରାଜ, ଦୁର୍ଭିକ୍ଷ ଯୋଗୁଁ ଦେଶରେ ବଡ ଦୁଃଖ ଓ ଅଶାନ୍ତି ଦେଖା ଦେଇଛି । ତା’ ଉପରେ ଆମେ ଯଦି ଯୁଦ୍ଧ କରିବା ତେବେ ସୈନ୍ୟମାନେ ଅଯଥାରେ କଷ୍ଟ ପାଇବେ ଓ ଅକାରଣରେ ରକ୍ତପାତ ଓ ଲୋକକ୍ଷୟ ହେବ । ତେଣୁ ଏ କ୍ଷେତ୍ରରେ ସନ୍ଧି ଆବଶ୍ୟକ । ତଦ୍ୱାରା ଆମର ମଙ୍ଗଳ ହେବ ।”
ରାଜା କହିଲେ “ସନ୍ଧି କରିବାର ପ୍ରସ୍ତାବ ମୋ ମନକୁ ଆଦୌ ପାଉନାହିଁ । ଆପଣମାନେ କ’ଣ ଜାଣନ୍ତି ନାହିଁ ଯେ ଯୁଦ୍ଧ ରୂପୀ ସମସ୍ୟାର ସନ୍ଧି କେବେ ସମାଧାନ ହୋଇପାରେନା ବୋଲି? ଅନ୍ୟ ଭାବରେ କହିଲେ ଆମେ ଯୁଦ୍ଧକୁ ଦେଖି ଭୟ କରି ସନ୍ଧି କରୁଛୁ । ଆପଣମାନେ ତ ମୋର ଚିନ୍ତାଧାରା ସହିତ ବହୁଦିନରୁ ପରିଚିତ । ମୋର ମତ ହେଉଛି ସନ୍ଧି କରିବାଠାରୁ ଯୁଦ୍ଧ କରିବା ଭଲ, ହାର୍ଜିତ୍ରେ କ’ଣ ଅଛି?”
ମନ୍ତ୍ରୀଗଣ କହିଲେ, “ଅନ୍ୟ ସମୟ ହୋଇଥିଲେ ଆମେ ବି ଯୁଦ୍ଧ ପାଇଁ ଆହ୍ୱାନ କରୁଥିବା ଦେଶ ସହିତ ନିଶ୍ଚିତ ଭାବରେ ଯୁଦ୍ଧ କରିଥା’ନ୍ତୁ । କିନ୍ତୁ ଆମ ରାଜ୍ୟରେ ଏବେ ଦୁର୍ଭିକ୍ଷ । ପ୍ରଜା ଶକ୍ତିହୀନ; କୌଣସି ମତେ ଜୀବନ ବଂଚାଇଛନ୍ତି । ସେଥିରେ ଯୁଦ୍ଧ କରିବା ଅର୍ଥ ହାରିବା ନିଶ୍ଚିତ ।”
ରାଜା ବୁଝାଇ କହିଲେ “ଅବଶ୍ୟ ଆପଣଙ୍କ କଥା ଠିକ୍ । ଯୁଦ୍ଧ କରିବାକୁ କ’ଣ ମୁଁ ଚାହୁଁଛି ଭାବୁଛନ୍ତି? କିନ୍ତୁ ସମସ୍ୟାଟିଏ ଦେଖି ପଳାୟନ କରିବା ବା ମୁଣ୍ଡ ନୁଆଁଇଦେବା ମଧ୍ୟ ମୋର ସ୍ୱଭାବ ନୁହେଁ । ତେଣୁ ଆଉ କିଛି ସମାଧାନ ପାଇବାକୁ ଚେଷ୍ଟା କରନ୍ତୁ ।”
ନିଜ ନିଜ ଭିତରେ ଆଲୋଚନା ଶେଷ କରିବା ପରେ ମନ୍ତ୍ରୀମାନେ ରାଜାଙ୍କ ପାଖକୁ ଆସି ତାଙ୍କୁ କହିଲେ, “ମହାରାଜ, ଏ ସମସ୍ୟାର ସମାଧାନ ପାଇଁ କିଛି ସମୟ ଦରକାର । କାଲି ଆମେମାନେ ଚିନ୍ତାକରି କହିବୁ ।” ଏତିକି କହି ସେମାନେ ସେଠାରୁ ଚାଲିଗଲେ । ରାଜା ଏକାକୀ ବସି ସେ ସମସ୍ୟାଟି ଉପରେ ଚିନ୍ତା କଲେ ।
ଏହି ସମୟରେ ବିଦୁଷକ ବିଶାରଦ ସେଠାରେ ଆସି ପହଁଚିଲେ । ସେ କହିଲେ, “ମହାରାଜ, ଆପଣ ବଡ ବ୍ୟସ୍ତ ଥିବାଭଳି ଲାଗୁଛନ୍ତି କଥା କ’ଣ?”
ବିଦୁଷକ ଚତୁର ଓ ମିଠାକଥା କହି ରାଜାଙ୍କ ମନ ନେଇ ପାରୁଥିଲେ । ତେଣୁ ତାଙ୍କୁ ଏ ଅସମୟରେ ପାଇ ରାଜା ବଡ ଖୁସି ହେଲେ । ରାଜା କହିଲେ, “ବିଶାରଦ, ଯୁଦ୍ଧ ଏବେ ରାଜ୍ୟ ପାଇଁ ଏକ ବଡ ସମସ୍ୟା ହୋଇ ପଡିଛି; ମୁଁ ଏହାର କୌଣସି ସମାଧାନ ପାଉନାହିଁ । ପୁଣି ଯୁଦ୍ଧକୁ ଭୟ କରି ସନ୍ଧି କରିବା ମଧ୍ୟ ମୋର ଧର୍ମ ନୁହେଁ । ଏଣେ ସାରା ରାଜ୍ୟର ପ୍ରଜାମାନେ ଦୁର୍ଭିକ୍ଷ ପ୍ରପୀଡିତ ତାଙ୍କର ଶରୀରରେ ବଳ ନାହିଁ ପୁଣି ସେଥିଯୋଗୁଁ ମନୋବଳ ମଧ୍ୟ ଭାଙ୍ଗି ପଡିଛି । ବୃଷ୍ଟିହୀନତା ଯୋଗୁଁ ଶସ୍ୟକ୍ଷେତ୍ରମାନ ଶୁଖି ରହିଛି । ଜଳ କେଉଁଠି ହେଲେ ବି ଟିକିଏ ନାହିଁ । ଏପରି ବିପଦ ସମୟରେ ସେ ମୂଢ ରାଜା କିପରି ଚାହୁଁଛି ଏହାର ସୁଯୋଗ ନେଇ ପ୍ରଜାମାନଙ୍କୁ ମାରି ରାଜ୍ୟ ଦଖଲ କରିବ? ଏଣେ ମୋର ମନ୍ତ୍ରୀମାନେ ମୋତେ ସନ୍ଧିପାଇଁ ଉପଦେଶ ଦେଉଛନ୍ତି । ମୁଁ ନାଚାର । ଉଭୟଟାହିଁ ଚିନ୍ତା କରିବାର ଯୋଗ୍ୟ । ଏ କ୍ଷେତ୍ରରେ କ’ଣ କରାଯିବ?”