ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ ।
ଏକଦା ରମଣଙ୍କୁ ଏକ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ସେ ଅତ୍ୟନ୍ତ ସମୟାନୁବର୍ତ୍ତୀ ଥିବାରୁ ସଭାସ୍ଥଳରେ ଠିକ୍ ସମୟରେ ଯାଇ ପହଁଚିଗଲେ ।
ମହୀଶୂର ରାଜ୍ୟର ଜଣେ କୌଣସି ଉଚ୍ଚ ପଦାଧିକାରୀ ରମଣ ପହଁଚିବାର କିଛି କ୍ଷଣ ପୂର୍ବରୁ ସେଠାରେ ପହଁଚିଥାନ୍ତି । ମାତ୍ର ସେଦିନ ସଭାରେ ଅଧ୍ୟକ୍ଷତା କରିବାକୁ ଥିବା ଅଧ୍ୟକ୍ଷ ମହୋଦୟଙ୍କର ଆସିବାର କୌଣସି ଚିହ୍ନବର୍ଣ୍ଣ ନ ଥାଏ । ସୁତରାଂ ରମଣଙ୍କୁ ସଭାରେ ଅଧ୍ୟକ୍ଷତା କରିବାକୁ କୁହାଗଲା ।
ସଭା କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ଦିଷ୍ଟ ସମୟରେ ରମଣ ମହାଶୟ ଉଠିଲେ ଏବଂ ସଭାକୁ ସମ୍ବୋଧନ କରିବା ଆରମ୍ଭ କରିଦେଲେ । ଏ ପର୍ଯ୍ୟନ୍ତ ପହଁଚିପାରିନଥିବା ଏଇ ସଭାର ଅଧ୍ୟକ୍ଷ ମହୋଦୟ କହି ସଭାକୁ ସମ୍ବୋଧିତ କରିବାବେଳେ ସଭାରେ କରତାଳି ମାଡ ସହିତ ବେଶ୍ ହାସ୍ୟରୋଳ ବି ସୃଷ୍ଟି ହେଲା ।
ଠିକ୍ ଏତିକିବେଳେ ସଭାର ଅଧ୍ୟକ୍ଷ ମହୋଦୟ ପହଁଚି ଏକଥା ଶୁଣି ପାରିଲେ । ହେଲେ ସେ ଲାଜରେ ମୁଣ୍ଡ ଉପରକୁ ଆଉ ଉଠାଇପାରିଲେ ନାହିଁ । ସଙ୍କୋଚବଶତଃ ସଭାମଂଚର ପଛପଟେ ଯାଇ ସେ ବସିରହିଲେ । ଏକଥା ଯେତେବେଳେ ରମଣଙ୍କ ଦୃଷ୍ଟିକୁ ଆସିଲା ସେତେବେଳେ ସେ ସମ୍ମାନର ସହିତ ତାଙ୍କୁ ପଛରୁ ଉଠାଇ ଆଣି ଆଗରେ ବସାଇଦେଲେ ।