ରାଜା ଶିକାର କରିବାକୁ ଗଲେ । ସେତେବେଳେ ତାଙ୍କ ସାଥିରେ ଜଣେ ଅମାତ୍ୟ ବି ଥିଲେ । ରାଜା ସେହି ବଣ ଭିତରେ ଚାରି ପାଂଚଘଂଟା ବିତାଇ ମଧ୍ୟ ଗୋଟାଏ ବି ଶିକାର ପାଇଲେ ନାହିଁ । ସୁତରାଂ ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥାଏ ।
ହଠାତ୍ ହରିଣ ଛୁଆଟାଏ ଦେଖାଗଲା । ରାଜା ତରବରିଆ ଭାବେ ତୀର ଯୋଖିଲେ ଓ ମାରିଲେ । କିନ୍ତୁ ସେହି ତୀରଟି ହରିଣଛୁଆଠୁଁ ପ୍ରାୟ ଦୁଇଗଜ ଛାଡି ପଡିଲା ।
ଅମାତ୍ୟ କହିଲେ “ସାବାସ୍ ମହାରାଜ!”
ରାଜା ଅପମାନ ଓ କ୍ରୋଧରେ ଲାଲ୍ ଦେଖାଗଲେ ଓ ସେ ଅମାତ୍ୟ ଆଡେ କଟମଟ କରି ଅନାଇଲେ । କିନ୍ତୁ ଅମାତ୍ୟ ନିଜକୁ ନିଜେ କହିଲା ଭଳି ଗୁଣୁ ଗୁଣୁ ହୋଇ କହୁଥାନ୍ତି, “ମହାରାଜଙ୍କ ହୃଦୟରେ ଦୟା ଦେଖ! ବଣକୁ ଆସି ତୀର ନ ମାରିଲେ ହାତ କଲବଲ କରିବ ବୋଲି ସେ ତୀର ମାରିଲେ, କିନ୍ତୁ ହରିଣଟା ଛୁଆ ବୋଲି ତାକୁ ଯେମିତି ସେ ତୀରଟି ନ ବାଜିବ, ସେମିତି ଭାବରେ ସେ ମାରିଲେ!”
ଏପରି କଥା ଶୁଣି ସେ ରାଜା ଅତି ଖୁସି ହୋଇଗଲେ ଓ କହିଲେ, “ଅମାତ୍ୟ, କେବଳ ତମେହିଁ ମୋ ମନ୍ତ୍ରୀ ହେବାକୁ ଯୋଗ୍ୟ ।”