ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଂହ ଏବଂ ମୂଷା

ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ ମୂଷାଟିକୁ ଧରିବାପାଇଁ ଚେଷ୍ଟା କଲା । ସିଂହଟି ତାକୁ ଗୋଡାଇବାରୁ ମୂଷା ସଂଗେ ସଂଗେ ପର୍ବତ ନିକଟରେ ଥିବା ଗାତରେ ପଶିଗଲା ।

         ମୂଷା ଗାତରେ ପଶିଯିବାର ଦେଖି ସିଂହ ସଂଗେ ସଂଗେ ଏକ ବିରାଡି ନିକଟକୁ ସାହାଯ୍ୟ ପାଇଁ ଚାଲିଲା । କିଛି ବାଟ ଯିବାପରେ ବିରାଡି ସହିତ ତାର ସାକ୍ଷାତ ହେଲା । ସିଂହ ମହାରାଜଙ୍କ ଠାରୁ ସବୁ କଥା ଶୁଣିସାରିବାପରେ ବିରାଡିଟି ମୂଷାକୁ ମାରିବାପାଇଁ ରାଜି ହେଲା । ବିରାଡିକୁ ସାଙ୍ଗରେ ଧରି ସିଂହ ତାର ଗୁମ୍ଫା ନିକଟକୁ ଆସିଲା । ଖାଇବାକୁ ପିଇବାକୁ ଦେଇ ବିରାଡିକୁ ପାଖରେ ରଖିଲା । ସିଂହ ସହିତ ଏକ ବିରାଡିକୁ ଦେଖି ମୂଷା କିଛି ଦିନପାଇଁ ଗାତରୁ ବାହାରିଲା ନାହିଁ । ମୂଷା ଗାତରୁ ନବାହାରିବାରୁ ସିଂହ ମଧ୍ୟ କିଛି ଦିନ ତା’ର ଚଗଲାମିରୁ ରକ୍ଷା ପାଇ ଶାନ୍ତିରେ ଶୋଇ ବସି ପାରିଲା । ସିଂହ କିନ୍ତୁ ବିରାଡିକୁ ଖାଇବାକୁ ଦେଇ ତାକୁ ଖୁବ୍ ଆନନ୍ଦରେ ରଖିଥାଏ । ମୂଷାଟି ମଧ୍ୟ ଏଣେ କେତେଦିନ ଗାତ ଭିତରେ ରହିବ? ଗାତରେ ପଶି ରହିଲେ ଖାଇବା ସଂଗ୍ରହ କରିବ କିପରି? ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ବାହାରିଲେ ବିରାଡି ମାରିଦେବ । ତେଣୁ କ’ଣ କରିବ, ମୂଷାଟି କିଛି ଚିନ୍ତା କରିପାରୁନଥାଏ । କିଛି ଦିନ ପରେ ଭୋକ ସହି ନପାରି ମୂଷାଟି ଗାତରୁ ବାହାରିଲା । ମୂଷା ବାହାରକୁ ଆସିବା ମାତ୍ରକେ ବିରାଡି ସଂଗେ ସଂଗେ ତାକୁ ମାରିଦେଲା । ଯେମିତି ମୂଷା ମରିଯାଇଛି ସିଂହର ଉଦ୍ଧେଶ୍ୟ ପୂରଣ ହେଲା । ଏହାପରେ ସିଂହ ଆଉ ବିରାଡିକୁ ଖାଇବାକୁ ଦେଲା ନାହିଁ । କିଛି ଦିନ ଗଲାପରେ ବିରାଡି ଖାଦ୍ୟ ଅନ୍ୱେଷଣରେ ବାହାରିଲା । କିନ୍ତୁ କେଉଁଠାରେ ହେଲେ ଖାଦ୍ୟ ପାଇଲା ନାହିଁ । ଶେଷରେ ଭୋକରେ ଆଉଟୁ ପାଉଟୁ ହୋଇ ବିରାଡିଟି ମଧ୍ୟ ମରିଗଲା ।

         ତେଣୁ ଅନ୍ୟର କଥାରେ ଭାସିଯାଇ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ । ବୁଝି ବିଚାରି ନିଜେ ଯାହା ଠିକ୍ ବୋଲି ଅନୁଭବ କରିବ, ତାହା କରିବା ଉଚିତ୍ । ଅନ୍ୟ କଥାରେ କାର୍ଯ୍ୟ କଲେ, ବିରାଡି ପରି ପରିଣାମ ଭୋଗ କରିବାକୁ ପଡିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ