ଗୋଟିଏ ଗ୍ରାମରେ ଜଣେ ଦୁଷ୍ଟ ସୁଧଖୋର୍ ଲୋକ ଥିଲା । ସେ ଭୂତପ୍ରେତଙ୍କୁ ମଧ୍ୟ ଭୟ କରେ ନାହିଁ । ସେହି ଗ୍ରାମର ଏକ ଦରିଦ୍ର ସ୍ତ୍ରୀକୁ ସେ କିଛି ଟଙ୍କା କରଜ ଦେଇଥିଲା । ସେ ସ୍ତ୍ରୀ ଲୋକଟିର ସ୍ୱାମୀ ମୃତ, ଛଅଟି ଛୁଆ । ସେମାନଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବ ବୋଲି ଘର ବନ୍ଧା ରଖି ମାତ୍ର ତିରିଶଟି ଟଙ୍କା କରଜ କରିଥିଲା ।
ପରବର୍ଷ ସେ କରଜ ତ ଶୁଝିପାରିଲା ନାହିଁ । ପୁଣି ଅଧିକ ପନ୍ଦରଟଙ୍କା କରଜ ନେଲା । ସୁଧଖୋର୍ ଲୋକଟି କରଜର ସୁଧ ଲଗାଇଲା, ସୁଧ ଉପରେ ପୁଣି ଅଧିକା ସୁଧ ଲଗାଇଲା । ଏମିତି ହୋଇ ତାହା ଆସି ଶହେ ଟଙ୍କାରେ ପହଁଚିଲା । ସ୍ତ୍ରୀ ଲୋକଟିର ସମ୍ପତ୍ତି ବୋଲି ସେହି ଘରଟି; ଶହେ ଟଙ୍କାରୁ କିଛି ବେଶି । କରଜ ଟଙ୍କା ସୁଧ ସହ ନ ଶୁଝିଲେ ଘର ଦଖଲ କରିବ ବୋଲି ସୁଧଖୋର୍ ଧମକାଇଲା ।
ଏସବୁ ମନ ମଧ୍ୟରେ ରଖି ଦିନେ ସକାଳୁ ସୁଧଖୋର୍ ଘରୁ ବାହାରି ଯାଉଛି, ଦେଖିଲା ବାଟରେ ପିଶାଚଟିଏ । ସୁଧଖୋର୍ ପଚାରିଲା “କୁଆଡେ ଯାଉଛ? କ’ଣ କାହାର ଶେଷ ସମୟ ହୋଇ ଗଲାଣି କି?”
ପିଶାଚ ହସି ଦେଇ କହିଲା, “ଏହି ଗ୍ରାମକୁ ମୋର ଆଗମନ ବହୁଦିନ ପରେ ହେଉଛି । କୌଣସି ସ୍ଥାନରେ ଭୋଜନ ମିଳିବ କି? କିନ୍ତୁ ତୁମେ କୁଆଡେ ଯାଉଛ?”
ସୁଧଖୋର୍ କହିଲା ଯେ ଜଣେ ସ୍ତ୍ରୀ ଲୋକର ସମ୍ପତ୍ତି ନେବା ପାଇଁ ମୁଁ ଯାଉଛି । କାରଣ ସେ ସ୍ତ୍ରୀ ବହୁତ ଟଙ୍କା କରଜ ନେଇ ପରିଶୋଧ କରୁନାହିଁ କି କରିବାର କୌଣସି ଆଶା ମଧ୍ୟ ନାହିଁ । ପିଶାଚ କହିଲା “ବାପରେ ବାପ୍ ଦୁଇବର୍ଷ ଆଗରୁ ସୁଧ ମୂଳଠାରୁ ବେଶି ହୋଇଗଲା? ତମେ ମଣିଷମାନେ ସିନା ଆମକୁ ଖରାପ ବୋଲି କହିଥାଅ । କିନ୍ତୁ ମୁଁ ଯାହା ଦେଖୁଛି ତୁମେ ସବୁ ବେଶି ଖରାପ ଓ ନିଷ୍ଠୁର ଲୋକ ।”
ପିଶାଚ କଥା ଶୁଣି ସୁଧଖୋର୍ଙ୍କୁ ଆଦୌ ରାଗ ଲାଗିଲା ନାହିଁ । ବାଟରେ ଯାଉ ଯାଉ ଶୁଣିଲେ, ଜଣେ ସ୍ତ୍ରୀଲୋକ ତା’ ପୁଅକୁ ଗାଳି ଦେଉ ଦେଉ କହୁଛି, “ଆରେ ଅଳସୁଆ ଗଧ ତୋତେ କେଉଁ ପିଶାଚ ଭଲା ଖାଇଯାନ୍ତା, ତେବେ ଖୁବ୍ ଭଲ ହୁଅନ୍ତା; ମୁଁ କହିଥିଲି କି କବାଟ ବନ୍ଦ କରି ଦେ । ତୁ କଲୁନାହିଁ । ଦେଖିଲୁ ତ ବିଲେଇ ପଶି ସବୁ ଦୁଧତକ ପିଇ ଯାଇଛି ।”
ସୁଧଖୋର୍ କାନରେ ଏକଥା ପଡିବା ମାତ୍ରେ ସେ ପିଶାଚକୁ କହିଲା, “ନିଅ, ତୁମର ତ ଭୋଜନର ବ୍ୟବସ୍ଥା ହୋଇଗଲା । ସେ ସ୍ତ୍ରୀଲୋକଟା ଚାହେଁ କି ତୁମେ ତା’ ପୁଅକୁ ଗିଳିପକାଅ । ଯାଅ, ଖାଲିରେ ଆଉ ଭୋକିଲା କାହିଁକି ରହିବ?”
ପିଶାଚ ପୁଣି ଥରେ ହସି କହିଲା, “ତମେ ତ ବଡ ଅଦ୍ଭୁତ ଲୋକ ମୁଁ କ’ଣ ଏଇ ଟିକିଏ କଥା ବୁଝିପାରିଲି ନାହିଁ ବୋଲି ଭାବୁଛ? ସେ ତ ତା’ ଛୁଆକୁ କେବଳ ଡରାଉଛି । ତାକୁ ସେ ମୋର ଭୋଜନ ରୂପରେ ସତରେ ଦେଉନାହିଁ । କେହି ମା’ କ’ଣ କେବେବି ସେପରି ଚାହେଁ?”
ଆଉ କିଛିବାଟ ଯିବାପରେ ସ୍ୱାମୀ ସ୍ତ୍ରୀ ଗୋଟିଏ ଘରେ ଝଗଡା କରୁଥିବାର ଶୁଭିଲା । ସ୍ୱାମୀ କହୁଥାଏ, “ତୁମପରି ଜଣେ କଜିଆଖୋରଣୀ ସ୍ତ୍ରୀକୁ ରାକ୍ଷସ ଖାଇଯାନ୍ତା ତ ଖୁବ୍ ଭଲ ହୁଅନ୍ତା ।”
ସୁଧଖୋର୍ କହିଲା, “ଦେଖ, ପୁଣି ତୁମପାଇଁ ଏକ ସୁଯୋଗ; ଏ ସୁଯୋଗ ଛାଡନାହିଁ । ଚାହିଁଲେ, ଦୁଇଜଣଙ୍କୁ ଏକାଠି ଖାଇ ପାର ।” କିନ୍ତୁ ପିଶାଚ କହିଲା, “ଆରେ ସେମାନେ ତ ପରସ୍ପରଙ୍କୁ ଗାଳି ଦେଉଛନ୍ତି ମାତ୍ର । ତମେ ବୋଧେ ପ୍ରକୃତ କଥା ବୁଝିପାରୁନାହଁ?”
ସେମାନେ ପୁଣି କିଛିବାଟ ଯିବାପରେ ଗରିବ ସ୍ତ୍ରୀର ଘର ଆସିଗଲା । ସୁଧଖୋର୍ ତା’ର କବାଟ ବାଡେଇଲା, ସେ ବାହାରକୁ ଆସି ପଚାରିଲା, “କଥା କ’ଣ ପୁଅ?”
ସୁଧଖୋର୍ର ତ ଲଜ୍ଜା ବୋଲି କିଛି ନଥିଲା, ଚଟାପଟ ସେ କହିଦେଲା, “ଆମ୍ମା, କିଛି ନୁହେଁ, ତୁମ କରଜ ଟଙ୍କା ଓ ସୁଧ ଟଙ୍କା ମିଶି ତ ବଢି ବଢି ଚାଲିଛି । ଏବେ ସବୁମିଶି ଶହେ ଟଙ୍କା ହୋଇଗଲାଣି । ଦୁଇବର୍ଷ ମଧ୍ୟରେ ତ ପଇସାଟିଏ ମଧ୍ୟ ଶୁଝିନାହଁ । ଶୁଝିବ ବା କିପରି? ତେବେ ଟଙ୍କା ଶୁଝି ଯଦି ନପାରିବ ସେହି ବାବଦରେ ମୋତେ ତୁମ ଘରଟି ଦେଇଦିଅ । ଶୀଘ୍ର ଏ ଘର ଖାଲି କର । ମୁଁ ଘରଟି ନେଇ ନେବି ।”
ସୁଧଖୋର୍ର କଥା ଶୁଣି ସେ ସ୍ତ୍ରୀ ଲୋକ ରାଗି ତମତମ ହୋଇଗଲା ଓ କହିଲା, “ଆରେ ନିର୍ଲଜ, ତୋର ତ ଟିକିଏ ବୋଲି ଲଜ୍ଜା ନାହିଁ । ତୋ ଭଳି ଲୋକକୁ ପିଶାଚ ଖାଇଯାଏ ତ ମୋତେ ଟିକିଏ ଶାନ୍ତି ମିଳିବ । ପଇଁଚାଳିସ୍ ଟଙ୍କା ଦେଇ ମୋର ସାରାଘର ଖାଇଯିବାକୁ ଚାହୁଁଛୁ, ପାପୀ କେଉଁଠିକାର?”
ଏତିକି କହି ସେ ଝାଡୁ ଆଣିବାକୁ ଭିତରକୁ ଗଲା । ଝାଡୁ ନେଇ ବାହାରକୁ ଆସି ଦେଖିଲା କି ସୁଧଖୋର୍ ସେଠାରେ ଆଉ ନାହିଁ । ସେ ଭାବିଲା ବୋଧହୁଏ ସେ ଡରରେ ପଳାଇଛି ।
କିନ୍ତୁ ପ୍ରକୃତରେ ସୁଧଖୋର୍କୁ ପିଶାଚ, ସ୍ତ୍ରୀଲୋକର ଗାଳିର ସତ୍ୟତା ରକ୍ଷା କରିବା ପାଇଁ ଖାଇ ଦେଇସାରିଥିଲା ।