ଗୋଟିଏ ଛୋଟ ଛେଳି ଛୁଆ ଏକୁଟିଆ ବୁଲୁଥିଲା । ସେତେବେଳେ କେଉଁଠାରୁ ଗୋଟିଏ ହେଟାବାଘ ସେଠାରେ ଆସି ପହଁଚିଗଲା । ହେଟାବାଘ ସେ ଛେଳିକୁ ଯେତେବେଳେ ଖାଇବାକୁ ବାହାରିଲା ଛେଳିଛୁଆ କହିଲା, “ତୁ ମୋତେ ନିଶ୍ଚୟ ଖାଇବୁ, କିନ୍ତୁ ତୁ ଏତେ ଭଲ ବଇଁଶୀ ବଜାଉ ଯେ ତୋଠାରୁ ବଇଁଶୀ ଶୁଣିବାକୁ ମୋର ବହୁତ ଇଚ୍ଛା ହେଉଛି, ତୁ ଆଗ ଟିକେ ବଇଁଶୀ ବଜା, ତାପରେ ପଛେ ମୋତେ ତୁ ଖାଇବୁ” ।
ଏଥିରେ ସେ ହେଟାବାଘ ଅତ୍ୟନ୍ତ ଖୁସି ହୋଇଗଲା । ତାପରେ ସେ ଖୁସିରେ ବଇଁଶୀ ବଜାଇବାକୁ ଆରମ୍ଭ କଲା । ଏ ବଇଁଶୀ ସ୍ୱର ଶୁଣି ଗୋଟିଏ ବଡ କୁକୁର ଆସି ସେଠାରେ ପହଁଚିଲା ଏବଂ ହେଟାବାଘକୁ ଦେଖି ଗୋଡାଇଲା । ହେଟାବାଘ ମନ ଦୁଃଖରେ ଦୌଡି ପଳାଇଗଲା । ସେ ଆଉ ଛେଳିକୁ ଖାଇପାରିଲା ନାହିଁ ଏବଂ ଯାଉ ଯାଉ ଭାବିଲା ମୋର ଯେତେବେଳେ ଛେଳିକୁ ଖାଇବାର ଥିଲା ସେତେବେଳେ ମୁଁ ବଇଁଶୀ କାହିଁକି ବଜାଉଥିଲି?
ଯାହା କରିବା କଥା ଠିକ୍ ସମୟରେ ନ କଲେ ସୁଯୋଗ ହାତରୁ ଚାଲିଯାଏ ।