ସୁରେଖା ତା’ ପିତାମାତାଙ୍କର ଏକମାତ୍ର ଅଲିଅଳୀ ଝିଅ । ତା’ର ବୟସ ପାଂଚ ବର୍ଷ ହେଲେ କ’ଣ ହେବ, ସେ ଖୁବ୍ ବୁଦ୍ଧିମତୀ ଓ ଚଂଚଳ ବି । ଯେତେବେଳେ ଦେଖ, ସିଏ ତା’ ଘରେ ଖାଲି ପାଟିଗୋଳ କରୁଥାଏ, ଘର ସାରା ମନଖୁସିରେ ସେ ଡିଆଡେଇଁ କରୁଥାଏ । ଦିନେ ରାତିରେ ମା’ ସୁରେଖାକୁ କହିଲେ, “ସୁରେଖା, ବାରିପଟ ବାରଣ୍ଡାରୁ ଝାଡୁ ନେଇ ଆସିଲୁ ।” ସୁରେଖା ଉତ୍ତର ଦେଲା “ବାରିପଟେ ଅନ୍ଧାର ହୋଇଛି । ଏଣୁ ମୋତେ କିଛି ଦିଶୁ ନାହିଁ । ମୁଁ ସେଠାକୁ ଯିବି ନାହିଁ ।”
ଏକଥା ଶୁଣି ତା’ ମା’ ହସି ଦେଇ କହିଲେ, “ଝିଅ! ତୁ ଅନ୍ଧାରକୁ ଡରୁଛୁ କ’ଣ? ସେଠାରେ ପରା ଠାକୁର ଅଛନ୍ତି! ଠାକୁର ସବୁବେଳେ ସମସ୍ତଙ୍କ ପାଖରେ ଅଛନ୍ତି । ସେ ତୁମକୁ ଅବଶ୍ୟ ରକ୍ଷା କରିବେ ।”
ସୁରେଖା ମା’ଙ୍କ କଥାକୁ ମନ ଦେଇ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ ସତରେ ସେଠାରେ ଠାକୁର ଅଛନ୍ତି? ତୁମେ ସତ କହୁଚ?”
ମା’ ତାଙ୍କ ଝିଅକୁ ବୁଝାଇ ଦେଲେ “ନିଶ୍ଚୟ, ସେଠାରେ ଅଛନ୍ତି, ସେଠାରେ କ’ଣ, ସେ ତ ସବୁଠାରେ ଅଛନ୍ତି । ଆମେ ତା’ଙ୍କୁ ପ୍ରାର୍ଥନା କଲେ ସେ ଆମର ଆବଶ୍ୟକତା ପୂରଣ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି ।”
ଏହାପରେ ସୁରେଖା କିଛି ସମୟ ପାଇଁ ଚିନ୍ତା କଲା । ତା’ପରେ ସେ ଜୋର୍ରେ ବାରିପଟ କବାଟ ପାଖକୁ ଧାଇଁ ଯାଇ ନିଜ ହାତ ବାହାରକୁ ବଢାଇ ଦେଇ କହିଲା, “ଠାକୁର, ତୁମେ ଯଦି ସତରେ ସେଠାରେ ଅଛ, ତେବେ ସେଠାରେ ପଡିଥିବା ଝାଡୁ ମୋ ହାତକୁ ବଢାଇ ଦିଅନା!”