ପାରସ୍ୟର ନୂଆ ସୁଲ୍ତାନ୍ ହେଲେ ସୟେଦ୍ ଅବଦୁଲ୍ଲା । ସେ ମନୋରଞ୍ଜନ କାର୍ଯ୍ୟକ୍ରମରେ ବହୁତ ଧନ ଖର୍ଚ୍ଚ କରୁଥିଲେ । ଅବସ୍ଥା ଏପରି ହେଲା ଯେ ରାଜ୍ୟର କଲ୍ୟାଣକାରୀ ଯୋଜନା ବା ବିଶେଷ କୌଣସି କାର୍ଯ୍ୟପାଇଁ ରାଜକୋଷରେ ଅଧିକ ଧନ ରହିଲା ନାହିଁ । ଏହା ଏକ ବଡ ସମସ୍ୟା ଭାବରେ ଦେଖାଦେଲା ।
ସୁଲତାନ ଓ ଉଜୀର ଏ ସମସ୍ୟା ଉପରେ ବହୁତ ଚିନ୍ତା କରିବାକୁ ଲାଗିଲେ । ବହୁ ସମୟ ବିଚାର କରି ଶେଷରେ ସେମାନଙ୍କ ମନକୁ ଏକ ସମାଧାନ ଆସିଲା । କଥାଟି ହେଉଛି ରାଜ୍ୟର ସବୁ ମହାଜନମାନେ ପଇସା ଧାର୍ ଦେଇ ସୁଧ ନିଅନ୍ତି, କିନ୍ତୁ ତାହା ବ୍ୟକ୍ତିଗତ ଭାବରେ । ଏବେ କଥା ହେଉଛି ଟଙ୍କା ଧାର୍ ଦେବା ବୃତିକୁ ଆଇନସମ୍ମତ ବ୍ୟବସାୟ କରି ଦେଲେ ସେମାନେ ସେଥିରୁ କିଛି ରାଜକୋଷକୁ ଦେବେ । ପୁଣି ଟଙ୍କା ଚାହୁଁଥିବା ଲୋକ ମଧ୍ୟ ସୁବିଧାରେ ଟଙ୍କା ପାଇପାରିବେ । ଏବେ ଆଇନସମ୍ମତ ହେବା ଯୋଗୁଁ ଏକମାତ୍ର ସୁବିଧା ହେଲା ଯେ ଯିଏ ଟଙ୍କା ଧାର୍ ନେଇ ଫାଙ୍କିଦେବ ତାକୁ ସୁଲତାନ୍ ଦଣ୍ଡ ଦେବେ ।
ଏହି ନୂତନ ଆଇନ୍ ହୋଇଗଲା ପରେ ସୁଧଖୋର ମହାଜନମାନେ ଖୁସି ହେଲେ । ସେମାନେ ଟଙ୍କା କରଜ ଦେଇ ମନଇଚ୍ଛା ସୁଧ ମାଗିଲେ । ଯଦି କେହି ସୁଧର ହାର ଦେଖି କିଛି ପଚାରେ ତେବେ ସେମାନେ କହନ୍ତି, “ଆମେ ତ ଏହାଠାରୁ କମ୍ ସୁଧ ନେଇ ପାରିବୁ ନାହିଁ । କାରଣ ରାଜା କିଛି ଅଂଶ ଆମଠାରୁ ନେବେ । ଯେଉଁମାନେ ଖାତାପତ୍ର ଦେଖୁଛନ୍ତି ସେମାନେ ମଧ୍ୟ ଦରମା ନେବେ, ଆମେ ଆଉ କ’ଣ କରିବୁ?”
ଏସବୁ ଶୁଣି ସୁଲତାନଙ୍କ ପତ୍ନୀ ସୁଲତାନା ଭାବିଲେ ସତରେ କ’ଣ ଏ ନୂଆ ଆଇନ୍ ଲୋକଙ୍କ ଭଲ ପାଇଁ ହୋଇଛି? ଏକଥା ଜାଣିବା ପାଇଁ ସେ ଦିନେ ତାଙ୍କର ଜଣେ ଦାସୀକୁ ଲୋକଙ୍କର ମତ ଜାଣିବା ପାଇଁ କହିଲେ ଏବଂ ଏସବୁ ଗୁପ୍ତରେ କରାଗଲା ।