ଏହି ପରି ଭାବରେ ବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ତୀର୍ଥ ଭ୍ରମଣରେ ଥାଆନ୍ତି । ସେମାନେ ଗୋଟିଏ ବର୍ଷ ପରେ ଯାଇ କାଶ୍ମୀର ରାଜ୍ୟରେ ପହଁଚିଲେ । ଚତୁର ବ୍ୟଙ୍ଗକାର କହିଲେ ଏଠାରେ ଭଲ ସୁସ୍ୱାଦୁ ଫଳ ମିଳେ । ପାଖରେ ଥିବା ବଜାରକୁ ଯାଇ ସେଠୁ କିଛି ଫଳ କିଣି ଆଣ ।
ଅବୋଲକରା ଫଳ କିଣି ଆଣି ଉପଦେଷ୍ଟାଙ୍କୁ ଦିଅନ୍ତେ ଚତୁର ବ୍ୟଙ୍ଗକାର ସେହି ଫଳରୁ କିଛି ଖାଇଲେ ଓ ଆଉ କିଛି ଖାଇବା ନିମନ୍ତେ ସେହି ବୋଲକରାକୁ ମଧ୍ୟ ଦେଲେ ।
ତାପରେ ସେମାନଙ୍କୁ ଟିକେ ସୁସ୍ଥ ଲାଗିଲା । ଚତୁର କଥାକାର କହିଲେ ବୋଲକରା –
ଉଠ ଏବେ ଯିବା ନାହିଁ ବିଳମ୍ବ
ଝଟ ଝଟ କରି ପକାଇ ପାଦ ।
ତୀର୍ଥ ସରି ନାହିଁ ବାକି ବହୁତ
ଚାଲି ଚାଲି ଯିବା ଜାଣୁ ବାପତ ।
ଚୁଡା ଚାଉଳକୁ ଗଣ୍ଠିଲି କର ।
ଛତା କମ୍ବଳକୁ କାନ୍ଧରେ ଧର ।
ଏହା କହି ଚତୁର ବ୍ୟଙ୍ଗ କଥାକାର କଠଉ ଚଢି ଆଗକୁ ପାଦ ପକାଇଲେ । ବୋଲକରା ଗଣ୍ଠିଲି ମୁଣ୍ଡାଇ ଉପଦେଷ୍ଟାଙ୍କର ପଛେ ପଛେ ଚାଲିଲା ।
ଏହି ପଥ ଚଲା ରାସ୍ତାରେ ଯାଉଥିବା ସମୟରେ ବୋଲକରା କେତେ ନୂଆ ନୂଆ ସ୍ଥାନ ମାନ ଦେଖୁ ଥାଏ । ଯାହା ଯେଉଁଠି ଦେଖିଲେ ବୁଝିପାରେ ନାହିଁ ତେଣୁ ତାହା ସେ ଉପଦେଷ୍ଟାଙ୍କୁ ପଚାରି ତାଙ୍କଠାରୁ ବୁଝି ନିଏ ।
ବୋଲକରା ତା ଜୀବନରେ କେବେବି କୌଣସି ଭୂତପ୍ରେତ ଦେଖି ନଥିଲା । ତେଣୁ ଚଲା ପଥରେ ତା’ର ଭୂତ ପ୍ରେତଙ୍କ ପ୍ରତି ଆଦୌ ଭୟ ମଧ୍ୟ ନଥାଏ । ଏମିତି ରାସ୍ତାରେ ଚାଲିଛନ୍ତି ବ୍ୟଙ୍ଗକାର ଓ ବୋଲକରା । ସେହି ସମୟରେ ଖୁବ୍ ଜୋର୍ରେ ବର୍ଷା ତୋଫାନ ଆସିଲା । ରାସ୍ତା ଉପରେ ଆଉ ଚାଲିବାର ଶକ୍ତି ନାହିଁ । ଚତୁର ବ୍ୟଙ୍ଗକାର କହିଲେ ବୋଲକରା ଏପରି ତୋଫାନକୁ କାଟି ଆମେ ଆଗକୁ ଆଉ ଚାଲି ପାରିବା ନାହିଁ । ବରଂ ତୋଫାନ ଭାଙ୍ଗି ଗଲେ ପୁଣି ଆମେ ଚାଲିବା । ଦେଖ ରାସ୍ତା ଉପରେ ଗୋଟି ଚଲା ମନୁଷ୍ୟଙ୍କ ଲାଗି ଏକ ଯାତ୍ରୀ ଆଶ୍ରୟସ୍ଥଳ ଅଛି । ଆମେ କିଛି ସମୟ ସେହିଠି ଅପେକ୍ଷା କରି ଯିବା ।
ଉପଦେଷ୍ଟାଙ୍କ କଥାରେ ବୋଲକରା ସେହି ଯାତ୍ରୀ ଆଶ୍ରୟସ୍ଥଳକୁ ଉଠି ଯାଇ ଗଣ୍ଠିଲିଟିକୁ ଥୋଇ ଦେଇ କହିଲା ଆଜି ଆଉ ଆଗକୁ ଯିବା ନାହିଁ । ବରଂ ଏହି ଠାରେ ଆଜି ଦିନଟି ଆଶ୍ରୟ ନେଇ ଯିବା । ଦେଖ ଏହି ଆଶ୍ରୟ ସ୍ଥଳର ବାହାର ପାର୍ଶ୍ବ ସିନା ଭାଙ୍ଗି ରୁଜି ଯାଇଛି ହେଲେ ଭିତରଟା ଯେ କେତେ ପରିଷ୍କାର ଆଉ ସଫା ସୁତୁରା ।