ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା ।
ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ ।
ସହରବାହାରେ ରହୁଥିଲେ ଜଣେ ସାଧୁବାବା । ସେ ଥିଲେ ତ୍ରିକାଳଦର୍ଶୀ । ଏହି ସାଧୁଙ୍କର ପ୍ରଶଂସାରେ କ୍ଷୁବ୍ଧହୋଇ ଜଣେ ଈର୍ଷାଳୁ ବ୍ୟକ୍ତି ସାଧୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏହି ଅପରାଧୀକୁ ନିଯୁକ୍ତ କରିଦେଲେ । ଅପରାଧୀ ଜଣକ ବି ଟଙ୍କା ଲୋଭରେ ସାଧୁଙ୍କୁ ହତ୍ୟାକରିବ ବୋଲି ରାଜି ହୋଇଗଲା ।
ଦିନେ ସଂଧ୍ୟାବେଳେ ଅପରାଧି ଜଣକ ସାଧୁଙ୍କୁ ହତ୍ୟା କରିବା ପାଇଁ ଜଙ୍ଗଲ ଭିତରେ ପଶିଲା । ମାତ୍ର ତା’ର ଦୁର୍ଭାଗ୍ୟ ଯେ, ଆଶ୍ରମ ଭିତରେ ଏକ ବୃକ୍ଷ ଆଢୁଆଳରେ ସାଧୁଙ୍କୁ ଛକି ବସିଥିବାବେଳେ ଏକ ନାଗସାପ ହୁଙ୍କାରୁ ବାହାରି ଆସି ତାକୁ ଦଂଶନ କଲା । ଏବେ ଅପରାଧୀ ଭୟଭୀତ ହୋଇ ଆଶ୍ରମ ଭିତରେ ପଶିଗଲା । ମନରେ ଭାବିଲା କିଛି ସମୟ ପରେ ସେ ନିଜେ ତ ମରିବ, ମାତ୍ର ସାଧୁଙ୍କୁ ହତ୍ୟା କରିବ । କିନ୍ତୁ ଏହା ପୂର୍ବରୁ ସେ ବିଷଜ୍ୱାଳାରେ ଅବଶ ହୋଇ ସନ୍ନ୍ୟାସୀଙ୍କ ପାଦ ତଳେ ପଡିଗଲା ଓ ସଂଜ୍ଞା ହରାଇଲା । ତା’ ହାତରୁ ଧାରୁଆ ଅସ୍ତ୍ର ଖସି ପଡିଗଲା ।