ବହୁ ପୁରାତନ କାଳର କଥା । ଏକ ଘଂଚ ଜଙ୍ଗଲ ମଧ୍ୟରେ ଚର୍ତୁଦନ୍ତ ନାମକ ଏକ ହାତୀ ତା’ର ଅନୁଚର ବର୍ଗ ମାନଙ୍କ ସହିତ ବାସ କରୁଥିଲା । ଦୁଃର୍ଭାଗ୍ୟ ବଶତଃ ସେହି ଜଙ୍ଗଲରେ ବହୁଦିନ ଧରି ବର୍ଷା ହେଲା ନାହିଁ । ଫଳରେ ନଦୀ, ନାଳ, ହ୍ରଦ, ପୋଖରୀ ପ୍ରଭୃତି ଶୁଖିଗଲା । କେଉଁଠାରେ ମଧ୍ୟ ଟୋପାଏ ପାଣି ମିଳିଲା ନାହିଁ । ଜଂଗଲର ଜନ୍ତୁମାନେ ପାଣି ବିନା ଛଟପଟ ହେଲେ । ଦିନେ ଗୋଟିଏ ହାତୀ ଚର୍ତୁଦନ୍ତଙ୍କୁ କହିଲା, ‘ମହାରାଜ! ଜଳ ବିନା ଆମ୍ଭେମାନେ ବହୁତ ଛଟପଟ ହେଲୁଣି । ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଛୋଟ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାଣତ୍ୟାଗ ମଧ୍ୟ କଲେଣି । ଆଉ କେତେଜଣ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ମହାରାଜ! ଯେଉଁଠାରେ ପିଇବା ପାଇଁ ପାଣି ମିଳିବ, ଆମ୍ଭଙ୍କୁ ସେହି ସ୍ଥାନ ସମ୍ବନ୍ଧରେ କୁହନ୍ତୁ ।’
ମହାରାଜ କିଛି ସମୟ ଚିନ୍ତା କଲାପରେ କହିଲେ ଏହି ସ୍ଥାନଠାରୁ କିଛି ଦୂରରେ ଏକ ବିରାଟ ହ୍ରଦ ଅଛି । ସେହି ହ୍ରଦରେ ସର୍ବଦା ଜଳ ପୂର୍ଣ୍ଣ ହୋଇ ରହିଥାଏ । ଚାଲ ଆମ୍ଭେମାନେ ସମସ୍ତେ ସେହି ହ୍ରଦ ନିକଟକୁ ଚାଲିଯିବା । ପାଂଚଦିନ, ପାଂଚରାତି ଚାଲିବା ପରେ ହାତୀମାନେ ସେହି ହ୍ରଦ ନିକଟରେ ପହଁଚିଲେ । ହ୍ରଦ ନିକଟରେ ପହଁଚିବା ପରେ ହାତୀମାନଙ୍କର ଆନନ୍ଦ କହିଲେ ନସରେ । ପ୍ରଥମେ ସେମାନେ ହ୍ରଦ ମଧ୍ୟରେ ପଶି ମନ ଖୁସିରେ ସ୍ନାନ କଲେ । ଏହାପରେ ହ୍ରଦର ଚାରି ପାଖରେ ଥିବା ସବୁଜ କଅଁଳିଆ ଘାସ ଗୁଡିକୁ ଆନନ୍ଦରେ ଖାଇଲେ । ସେହି ହ୍ରଦ ନିକଟରେ ଠେକୁଆ ମାନେ ଗାତ କରି ରହୁଥାଆନ୍ତି । ହାତୀମାନଙ୍କର ଏହି ପ୍ରକାର ଉତ୍ପାତ ଠେକୁଆ ମାନଙ୍କର କାଳ ହେଲା । ହାତୀମାନଙ୍କର ପଦାଘାତରେ କେତେକ ଠେକୁଆ ମୃତ୍ୟୁବରଣ କଲେ । ସେମାନଙ୍କର ବାସସ୍ଥାନ ମଧ୍ୟ ନଷ୍ଟଭ୍ରଷ୍ଟ ହୋଇଗଲା । ହାତୀମାନଙ୍କର ଉପଦ୍ରବ ଦିନକୁ ଦିନ ବଢିଚାଲିଲା ।