ତା’ପରେ ଘନଶ୍ୟାମ ସେ ବୁଢାକୁ କହିଲା, ତମେ ତ ସହଜରେ ବୁଢା ଲୋକ । ତା’ସାଙ୍ଗକୁ ପୁଣି ଦୁର୍ବଳ ଶରୀର । ତେଣୁ ଖରାରେ ବୁଲି ବୁଲି ଭିକ ମାଗିବା ଅନୁଚିତ୍ । ଏକଥା ଶୁଣି ସେ ବୁଢା କହିଲା, ଭିକ ମାଗିଲେ ତ ପୁଣି ଖାଇବି । କାହିଁକିନା କେବଳ ଭିକ ମାଗିବା ହିଁ ମୋର ବେଉସା । ନ ହେଲେ ଖାଇବି ଆଉ କ’ଣ? ବଂଚିବି ବା କିପରି? ଏହି କଥା ସେ ବୁଢା ଅତ୍ୟନ୍ତ ଦୁଃଖରେ କହିଲା । ଆଉ ମାସକ ପରେ ତ ଆଷାଢ ମାସ ହେବ । ତେଣିକି ବର୍ଷା ହେବ ଥଣ୍ଡା ବି ପଡିବ । ସେତେବେଳେ ତ ଆଉ କିଛି ବି ଅସୁବିଧା ହେବ ନାହିଁ । ଏହି କଥା ଘନଶ୍ୟାମ କହିଲା । ତା’ପରେ ଘନଶ୍ୟାମର ମାଆ ସେ ବୁଢାକୁ ଚୁଡା, ଦହି, କଦଳୀ ଖାଇବାକୁ ଦେଲେ । ରାତିରେ ‘ଛ’ ତରକାରୀ ନଅ ଭଜା, ବିଭିନ୍ନ ଭଲ ଭଲ ଖାଦ୍ୟ ଖାଇ ସେ ବୁଢା ପୁରା ସୁସ୍ଥ ହୋଇଗଲା ।
ରାତି ପାହି ସକାଳ ହେଲା । ଘନଶ୍ୟାମ ଘର ଘର ବୁଲି ତା’ର ସମସ୍ତ ସାଙ୍ଗ ପିଲାମାନଙ୍କୁ ଡାକିଲା । ସେ ଭିକାରି ବୁଢାର ଦୁଃଖ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲା । ଏମିତିକି ଗାଆଁରେ ବୁଲି ବୁଲି ସମସ୍ତେ ଚାନ୍ଦା ଆଦାୟ କଲେ । ସେହି ଚାନ୍ଦାରେ ସେ ଦିନ ରବିବାର ଗାଆଁ ହାଟରୁ ଲୁଗା ଜାମା ଗାମୁଛା, ଚାଉଳ, ଚୁଡା, ଚିନି, ଡାଲି, ପରିବା, ତେଲ ଲୁଣ ଆଦି କିଣିଲେ । ଖରା ଲେଉଟିବା ପରେ ପିଲାମାନେ ଅଲଗା ଅଲଗା ବ୍ୟାଗ୍ରେ କିଣିଥିବା ଜିନିଷକୁ ରଖି ସେ ବୁଢା ସହିତ ତା’ ଗାଆଁକୁ ଗଲେ । ସ୍ୱର୍ଣ୍ଣପୁର ଗାଆଁରେ ସେ ବୁଢାକୁ ତା’ ଘର ପାଖରେ ଛାଡିଦେଲେ । ତା’ପରେ ସେ ପିଲାମାନେ କହିଲେ, ଅଜା ତୁମ ପାଖରେ ବର୍ତ୍ତମାନ ଯେତିକି ଖାଇବା ଜିନିଷଅଛି ତାହା ତୁମର ନିଶ୍ଚୟ ମାସେ ଚାଲିଯିବ । ତେଣୁ ତୁମେ ଆଉ କେବେବି ଖରାରେ ଘରୁ ବାହାରିବ ନାହିଁ । ସବୁ ଶୁଣି ସେ ବୁଢା କହିଲା ହଁ ପିଲାମାନେ, ତୁମେମାନେ ମୋର ଯେଉଁ ଉପକାର କରିଛ ମୁଁ ସେସବୁ କେବେବି ଭୁଲି ପାରିବି ନାହିଁ । ଏହି କାରଣରୁ ମୁଁ ବି ତୁମର ଅଶେଷ ମଙ୍ଗଳ କାମନା କରୁଛି । ଆଉ ଠାକୁରଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରୁଛି ଯେ, ଠାକୁରେ ତୁମମାନଙ୍କୁ ଭଲ ପାଠ ଦିଅନ୍ତୁ । ଭବିଷ୍ୟତରେ ତୁମେମାନେ ଭଲ ମଣିଷ ହୁଅ । ଠାକୁରେ ତୁମମାନଙ୍କୁ ସର୍ବଦା ସଦ୍ବୁଦ୍ଧି ଦିଅନ୍ତୁ । ସେ ଭିକାରି ବୁଢାର ଆଶୀର୍ବାଦ ଘେନି ଏଥର ସେ ପିଲାମାନେ ନିଜ ଗାଆଁକୁ ଆସିଲେ ।