ମହାଦେବ ଏଥର ବୁଝିଲେ ଯେ, ସେ ଯେଉଁ ବିଷୟରେ ଚିନ୍ତା କରୁଥିଲେ, ତାହା ହିଁ ନାରଦଙ୍କ ମନର ପ୍ରଶ୍ନ । ତେଣୁ ସେ କହିଲେ, ନାରଦ ତୁମେ ଯେତେବେଳେ ଏ ପ୍ରଶ୍ନ ଉଠାଇଲ, ସେ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଖୋଜି ନେଲେ ଆଉ କୌଣସି ଅସୁବିଧା ରହିବ ନାହିଁ । ନାରଦ କହିଲେ, ‘ପିତା ! ତା’ର ସମାଧାନ ବର୍ତ୍ତମାନ ହୋଇଗଲେ ଆହୁରି ଭଲ ହେବ । ଏହି ଆଲୋଚନା ପରେ ମହାଦେବ ତାଙ୍କର ଦୁଇ ପୁଅଙ୍କୁ କହିଲେ, ‘ଦେଖ ପୁତ୍ରମାନେ, ତୁମ ଦୁହିଁଙ୍କ ମଧ୍ୟରୁ ଯିଏ ପ୍ରଥମେ ଏ ବିଶ୍ୱବ୍ରହ୍ମାଣ୍ଡକୁ ବୁଲି ଆସି ପାରିବ, ସେ ହିଁ ଶ୍ରେଷ୍ଠ ବିବେଚିତ ହେବ ।’
ଏହି କଥା ଶୁଣି କାର୍ତ୍ତିକେୟ ଖୁବ୍ ଖୁସି ହୋଇଗଲେ । କାରଣ ତାଙ୍କର ବାହନ ମୟୂର । ତେଣୁ ସେ ଖୁବ୍ କମ୍ ସମୟ ମଧ୍ୟରେ ଏହି କାର୍ଯ୍ୟର ପରିସମାପ୍ତି ଘଟାଇବେ ବୋଲି ଚିନ୍ତା କଲେ । କିନ୍ତୁ ଏଣେ ବିଶେଷ ଚିନ୍ତାରେ ପଡିଲେ ଗଣେଶ । କାରଣ ମୂଷିକ ହେଉଛି ତାଙ୍କର ବାହନ । ତଥାପି ବି ପରୀକ୍ଷାର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ହେଲେ ।
ପରୀକ୍ଷା ଆରମ୍ଭ ହେଲା । କାର୍ତ୍ତିକେୟ ମୟୂର ପିଠିରେ ବସି ବିଶ୍ୱବ୍ରହ୍ମାଣ୍ଡ ବୁଲିବା ପାଇଁ ଚାଲିଗଲେ । ସେ ଜାଣିଲେ ଯେ, ଯଥାଶୀଘ୍ର ବୁଲି ଆସି ପିତାମାତାଙ୍କ ପାଖରେ ପହଁଚି ଯିବେ ସେ । ଆଉ ସେ ହିଁ ଶ୍ରେଷ୍ଠ ଦେବତା ରୂପେ ବିବେଚିତ ହେବେ । ମାତ୍ର ଗଣେଷଙ୍କ ପାଇଁ ତାହା ଥିଲା ଚରମ ପରୀକ୍ଷା । ତେଣୁ ସେ ମହା ଚିନ୍ତାରେ ପଡିଲେ । ହେଲେ ସେ ଖୁବ୍ ବୁଦ୍ଧିମାନ୍ । ଅତଏବ ସେ ସ୍ଥିର କରି ନେଲେ ଯେ, ଦୁନିଆରେ ନିଜର ପିତାମାତାଙ୍କ ଠାରୁ କେହି ବି ବଡ ନାହାଁନ୍ତି । ପୁଣି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ କହିଲେ ପିତାମାତାଙ୍କ ପାଦତଳେ ଥିବା ସ୍ୱୟଂ ଧରିତ୍ରୀ । ତେଣୁ ସେ ନିଜର ପିତାମାତାଙ୍କ ଚାରି ପାଖରେ ତିନିଥର ବୁଲିଆସି ସେମାନଙ୍କୁ ପ୍ରଣାମ କରି ତାଙ୍କ ପାଖରେ ଆସି ବସିଗଲେ । ଏମିତି କିଛି ସମୟ ପରେ କାର୍ତ୍ତିକେୟ ଆସି ଦେଖନ୍ତି ପିତାମାତାଙ୍କ ପାଖରେ ପୂର୍ବବତ୍ ଗଶେଷ ବସିଛନ୍ତି । ତାହାପରେ ସେ ମଧ୍ୟ ଆସି ତାଙ୍କର ଯଥା ସ୍ଥାନରେ ବସିଲେ ।