ଅନେକ ଦିନ ତଳର କଥା । କୋଶଳ ଦେଶର ଗୋଟିଏ ରାଜ୍ୟରେ ଜଣେ ସାଧବ ଥିଲେ । ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା । ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା । ପୁଅଟି କିନ୍ତୁ ଭାରି ଚଗଲା । ଚାଲିଗଲା ଶଗଡରେ ହାତ ମାରିଦିଏ । ସାଧବ ତାକୁ ଯେତେ ଆକଟ କଲେ ମଧ୍ୟ ସେ କାହାରି କଥା ମାନେନାହିଁ । ଦିନକୁ ଦିନ ତା’ର ବୟସ ବଢିବା ସହିତ ଚଗଲାମିର ସୀମା ମଧ୍ୟ ବଢି ବଢି ଚାଲିଥାଏ । ସେଥି ପାଇଁ ସାଧବ ବହୁତ ଚିନ୍ତାରେ ପଡିଯାଇ ଥାଆନ୍ତି ।
ଦିନକୁ ଦିନ ପୁଅଟି ବହୁତ ଦୁଷ୍ଟ ହେବାରୁ ଦିନେ ସାଧବ ରାଗିଯାଇ କହିଲେ – “ତୁ ଘରୁ ବାହାରି ଯାଆ ଯୋଉଦିନ ତୋର ସ୍ୱଭାବ ବଦଳିବ ସେଇଦିନ ଯାଇ ଘରକୁ ଫେରିବୁ ।”
ବିଚରା ସାଧବ ପୁଅଟି ନିଜ ପାଖରେ ଥିବା କିଛି ଟଙ୍କା ଧରି ଘରୁ ବାହାରି ଚାଲିଗଲା । ବାଟରେ ଗଲାବେଳେ ଚାଲି ଚାଲି ହାଲିଆ ହୋଇ ପଡିଲା । ସାଧବ ଘର ପୁଅତ, ଘିଅରେ ଖାଇ ଦୁଧରେ ହାତ ଧୋଉଥିଲା, ଅଲିଅଳରେ ବଢିଥିଲା । ପୁଣି ଘର କଥା ଓ ବାପା-ବୋଉଙ୍କ କଥା ମନେ ପଡିବାରୁ ତା’ ଆଖିରୁ ଲୁହ ଝରି ଆସିଲା । ସେ ଅମାନିଆଁ ହୋଇଥିବାରୁ ତାକୁ ଏମିତି ଦଣ୍ଡ ମିଳିଲା । ତେଣୁ ସେ ମନେ ମନେ ସ୍ଥିର କଲା ଆଉ ଏମିତି ଅମାନିଆଁ ହେବ ନାହିଁ । ସେ ତା’ର ସ୍ୱଭାବ ବଦଳାଇବ ।
ଏମିତି ଭାବି ସେ ଚାଲିଚାଲି ବହୁତ ବାଟ ଯିବାପରେ ଗୋଟିଏ ଜଙ୍ଗଲ ପାଖରେ ପହଁଚିଲା । ସେ ସେଠାରେ ଗୋଟିଏ କୁଡିଆ ଦେଖିବାକୁ ପାଇଲା । ସେ ମନେ ମନେ ଭାବିଲା ଏ କୁଡିଆ ଭିତରେ ନିଶ୍ଚୟ କିଏ ଥିବେ । ସେ ତରତର ହୋଇ ସେ କୁଡିଆ ପାଖକୁ ଆଗେଇଗଲା । କୁଡିଆ ପାଖରେ ଗୋଟିଏ ବିରାଟ ଗଛ । ସେହି ଗଛ ମୂଳରେ ଜଣେ ସାଧୁ ବସିଥିବାର ଦେଖି ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣାଇଲା । ସାଧୁ ତାକୁ କିଛି ସମୟ ଚାହିଁ ରହିଲେ, ସାଧବ ପୁଅ ସେଠାରେ ଚୁପ୍ ହୋଇ ଠିଆ ହୋଇଥାଏ । ସାଧୁ ପଚାରିଲେ ତୁମର ନାଁ କ’ଣ? ତୁମେ ଏ ଜଙ୍ଗଲ ଭିତରକୁ କାହିଁକି ଆସିଛ?