ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ

        ସାଧବ ପୁଅ ସବୁ କଥା ଗୋଟି ଗୋଟି କରି ସାଧୁଙ୍କୁ କହିଲା । ସାଧୁ କିଛି ସମୟ ଚୁପ୍ ରହି ପୁଣି ପଚାରିଲେ, ତୁ କ’ଣ ଖାଇଛୁ?

        ସେତେବେଳକୁ ସାଧବ ପୁଅ ଭୋକ ବିକଳରେ ପେଟ ଆଉଟୁ ପାଉଟୁ ହେଉଥାଏ । ସେ କହିଲା – “ନା ବାବା କିଛି ଖାଇ ନାହିଁ । ଭାରି ଭୋକ ହେଉଛି ।” ସାଧୁ ତାକୁ କିଛି ଖାଦ୍ୟ ଖାଇବାକୁ ଦେଇ କହିଲେ ତୁ ଖାଇସାରି ଘରକୁ ଫେରିଯା । ତୋର ବାପା-ମାଆ ଘରେ ତୋ ପାଇଁ ବ୍ୟସ୍ତ ହେଉଥିବେ ।

        ସାଧବ ପୁଅ ମନରେ ସାହସ ବାନ୍ଧି କହିଲା – “ହେ ମହାତ୍ମା ! ମୋର ପିତାଙ୍କର ନିର୍ଦେଶ ଅଛି – “ଯୋଉଦିନ ତୋର ସ୍ୱଭାବ ବଦଳିବ ସେଇଦିନ ଘରକୁ ଫେରିବୁ ।”

        ସାଧୁ କହିଲେ ତୋର ସ୍ୱଭାବ କିଛି ପରିମାଣରେ ବଦଳି ଗଲାଣି । ତେଣୁ ତୁ ତୋ ବାପା-ମାଆଙ୍କ ପାଖକୁ ଫେରି ଯାଆ । ଭବିଷ୍ୟତରେ ଭଲ ମଣିଷଟିଏ ହେବାକୁ ଚେଷ୍ଟା କର । କୁ-ସଙ୍ଗ ଓ ଖରାପ ଅଭ୍ୟାସ ତ୍ୟାଗ କର । ସାଧବ ପୁଅ କହିଲା – “ନାଁ ଆଜ୍ଞା ! ଯୋଉଦିନ ଭଲ ମଣିଷ ହେବି ସେଇଦିନ ଘରକୁ ଫେରିବି ।”

        ସାଧୁ କହିଲେ – “ତୋ ପାଖରେ କ’ଣ ଅଛି?” ସାଧବ ପୁଅ କହିଲା – “ମୋ ପାଖରେ ଦୁଇ ହଜାର ଟଙ୍କା ଅଛି ।” ମୁଁ ଆପଣଙ୍କ କଥାମାନି ଘରକୁ ଫେରିଯିବି ସତ କିନ୍ତୁ ତା’ ପୂର୍ବରୁ ମୋତେ କିଛି ଉପଦେଶ ପ୍ରଦାନ କରନ୍ତୁ । ମୁଁ ଭବିଷ୍ୟତରେ କେମିତି ଭଲ ମଣିଷ ହେବି ସେଇ ତଥ୍ୟ ମୋତେ ପ୍ରଦାନ କରନ୍ତୁ ।”

        ସାଧୁ ଦୁଇ ଆଖି ବୁଜି କିଛି ସମୟ ଧ୍ୟାନମଗ୍ନ ହେଲେ । ସେ ଧ୍ୟାନରେ ଜାଣି ପାରିଲେ ସାଧବ ପୁଅ ଏତେ ଗୁଡାଏ ଟଙ୍କା ଧରି ରାସ୍ତାରେ ଗଲେ ବାଟରେ କିଛି ଅଘଟଣ ଘଟିପାରେ, ବିପଦ ମଧ୍ୟ ଆସିପାରେ । ତେଣୁ ସାଧୁ କହିଲେ – “ମୁଁ ତୁମକୁ ଦୁଇଟି ଉପଦେଶ ଦେବି । ପ୍ରତି ଉପଦେଶ ପାଇଁ ଏକ ହଜାର ଟଙ୍କା ନେବି ।” ସାଧବ ପୁଅ ହଁ କହିବାରୁ ସାଧୁ କହିଲେ – “ମୋର ପ୍ରଥମ ଉପଦେଶ ହେଲା – “ଅପରିଚିତ ଲୋକକୁ ହଠାତ୍ ବିଶ୍ୱାସ କରିବୁ ନାହିଁ ।” ଦ୍ୱିତୀୟ ଉପଦେଶ ହେଲା – “ଅପରିଚିତ ଲୋକଠାରୁ କୌଣସି ଖାଦ୍ୟ ଖାଇବୁ ନାହିଁ ।”

        ସାଧବ ପୁଅ ଦୁଇଟି ଉପବେଶ ପାଇଁ ଦୁଇହଜାର ଟଙ୍କା ସାଧୁଙ୍କୁ ଦେଇ ଘରକୁ ଫେରିଯିବାକୁ ବସିଲା । ବାଟରେ ଚାଲି ଚାଲି ଯାଉ ଯାଉ ଗୋଟିଏ ବିରାଟ ଜଙ୍ଗଲ ପାଖରେ ରାତି ହୋଇଗଲା । ଏଇ ଅନ୍ଧାରର ସୁଯୋଗ ନେଇ ଜଣେ ଲୋକ ବଣବୁଦା ଉହାଡରୁ ବାହାରି ଆସି ତା’ ସାମ୍ନାରେ ଠିଆ ହୋଇ ପଚାରିଲା – “କୁଆଡେ ଏକୁଟିଆ ଯାଉଛ?” ସାଧବ ପୁଅ ତାକୁ ସତସତ ସବୁ କଥା କହିଦେଲା । ସେ ଲୋକଟି ଭାବିଲା – “ଏ’ ତ ସାଧବ ପୁଅ, ୟା’ ପାଖରେ ବହୁତ ଧନ ଦୌଲତ ନିଶ୍ଚୟ ଥିବ?”

        ସେ ଲୋକଟି କହିଲା – “ ରାତି ହୋଇ ଆସିଲାଣି? କୁଆଡେ ଯିବ? ଆମ ଘରେ ଆଜି ରାତିଟା ରହିଯାଅ ସକାଳ ହେଲେ ତୁମେ ଚାଲିଯିବ ।” ସାଧବ ପୁଅ ସେ ଲୋକ କଥାରେ ରାଜି ହୋଇଗଲା । ଲୋକଟି ଆଗେ ଆଗେ ଚାଲିଥାଏ ଓ ସାଧବ ପୁଅ ତା’ ପଛେ ପଛେ ଚାଲିଥାଏ । ସାଧବ ପୁଅ ଜାଣି ପାରିଲା ସେ ଲୋକଟି ତାକୁ ଏକ ନିର୍ଜନ ସ୍ଥାନକୁ ଡାକି ନେଉଛି । ସେତେବେଳେ ସାଧୁଙ୍କ କଥା ତା’ର ମନେ ପଡିଲା । ଲୋକଟି ଆଗେ ଆଗେ ଯାଉଥାଏ । ସାଧବ ପୁଅ ଚୁପ୍ ଚୁପ୍ ପଛେଇ ପଛେଇ ଆସି ଗୋଟିଏ ବଣବୁଦା ଭିତରେ ଲୁଚିଗଲା ।

        କିଛି ବାଟ ଯିବା ପରେ ଲୋକଟି ପଛକୁ ଚାହିଁ ଦେଖିଲା ସାଧବ ପୁଅ ନାହିଁ । ସେ ଲୋକଟି ତାକୁ ବହୁତ ଖୋଜି ଖୋଜି ତାକୁ ନପାଇବାରୁ ନିରାଶ ହୋଇ ଚାଲିଗଲା । ସାଧବ ପୁଅକୁ ଭାରି ଭୟ ଲାଗୁଥାଏ । ନିଃଶବ୍ଦ ରାତି, ଦେହ ତା’ର ଥରି ଉଠୁଥାଏ । ତଥାପି ସେ ଖୁବ୍ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଥାଏ ।

        କିଛି ବାଟ ଯିବା ପରେ ଦୂରରେ ମିଞ୍ଜି ମିଞ୍ଜି ଆଲୁଅ ଦେଖାଗଲା । ସେ ଭାବିଲା ଏହି ଘରେ କେହି ଲୋକ ରହୁଥିବେ । ସେ ସେଇ ଘର ଆଡକୁ ଆଗେଇ ଯାଇ ଦେଖିଲା ଘର ବାହାରେ ଜଣେ ବୁଢୀ ଲୋକ ବସିଛି । ବୁଢୀକୁ ଦେଖିବା ପରେ ସାଧବ ପୁଅର ଭୟ ଦୂର ହୋଇଗଲା । ତା’ ମନରେ ସାହସ ଆସିଲା, ଭାବିଲା ରାତିଟା ଏଠାରେ କଟାଇ ସକାଳ ହେଲେ ଘରକୁ ଫେରିଯିବି । ସେ ତା’ ମନର କଥା ବୁଢୀଆଗରେ କହିବାରୁ ବୁଢୀ କହିଲା, ତୁ ମୋ ଘରେ ରହିଯା ।

        ରାତିରେ ବୁଢୀ ଚକୁଳି ପିଠା ତିଆରି କଲା । ବୁଢୀ ଭାବିଲା ସାଧବ ପୁଅ ପାଖରେ ନିଶ୍ଚୟ ବହୁତ ଧନ ଦୌଲତ ଥିବ । ତେଣୁ ଚକୁଳି ପିଠାରେ ବିଷ ଦେଇ ସାଧବ ପୁଅକୁ ମାରି ତା’ର ଧନ ଦୌଲତ ନେଇଯିବି । ବୁଢୀ ପିଠାରେ ବିଷ ମିଶାଇ ଦେଲା, ବୁଢୀ ଟାଉ ଟାଉ କରି ପିଠା ତିଆରି କରିସାରି ଥାଳିରେ ପିଠାରଖି ସାଧବ ପୁଅକୁ ଖାଇବାକୁ ବାଢିଦେଲା । ସାଧବ ପୁଅ ତାକୁ ନଖାଇ ଥୋଇ ଦେଇ କହିଲା – “ମାଉସୀ ପଛରେ ଖାଇବି, ଏଇନା ଭୋକ ନାହିଁ ।” ସାଧବ ପୁଅର ସାଧୁଙ୍କ କଥା ମନେ ପଡିଗଲା । ସେ ପିଠା ଥାଳିଟିକୁ ଦୂରକୁ ଠେଲି ଦେଇ ବସି ରହିଲା । ବୁଢୀ ତା’ ଘରକୁ ପଶିଯାଇ ଶୋଇ ପଡିଲା । ଏତିକିବେଳେ ଗୋଟିଏ ବିଲେଇ ସେ ଘରକୁ ପଶି ଆସି ପିଠା ଖଣ୍ଡେ କାମୁଡି ଖାଇଦେଲା । ଟାଉକି ବିଲେଇ ପିଠା ଖଣ୍ଡିକ ଖାଉ ଖାଉ ଛଟପଟ ହୋଇ ମରିଗଲା । ଏକଥା ଦେଖି ସାଧବ ପୁଅର ହୋସ୍ ବୁଡିଗଲା । ସେ ଛପିଛପି ସେଠାରୁ ପଳାଇ ଆସିଲା । ସେ ବାଟରେ ମନେ ମନେ ଭାବୁଥାଏ ସାଧୁଙ୍କ ଉପଦେଶ ମାନିବାରୁ ସେ ଦୁଇ ଦୁଇ ଥର ମରଣ ମୁହଁରୁ ବଂଚିଗଲା । ତେଣୁ ପିଲାଟି ସେଇଦିନଠାରୁ ସଙ୍କଳ୍ପ କଲାଯେ ସେ କେବେବି ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ କି ଅଚିହ୍ନା ଲୋକ ହାତରୁ ଖାଦ୍ୟ ଖାଇବ ନାହିଁ । ନିଜେ ନିଜ ଉଦ୍ୟମରେ ଜଣେ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବାକୁ ଦୃଢ ନିଷ୍ପତି ନେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ