ଏହା ପରେ ଚତୁର କଥାକାର କହିଲେ – ଏବେ ତୁ ଯାଇ କିଛି ଜଳ ସଂଗ୍ରହ କରି ଆଣ । ତାହା ଆମ ରୋଷେଇ କାର୍ଯ୍ୟରେ ଲାଗିବ । ବର୍ତ୍ତମାନ ମୋର ଏହି କମଣ୍ଡଳୁରେ ଯାହା ବାକି ଜଳ ଅଛି ସେଥିରେ ମୁଁ ମୋ ନିଜର ହସ୍ତପାଦାଦି ଧୋଇ ସଂନ୍ଧ୍ୟା କରୁଛି ।
ଚତୁର ବ୍ୟଙ୍ଗକାର ଏବେ ତାଙ୍କ ହସ୍ତ ପାଦ ଧୋଇ ସଂନ୍ଧ୍ୟା କାର୍ଯ୍ୟ ଆରମ୍ଭ କଲେ । ଏଣେ ବୋଲକରା ଜଳ ସଂଗ୍ରହ କରିବା ନିମନ୍ତେ ପାଖରେ ଥିବା ଝରଣା କୂଳକୁ ଚାଲି ଗଲା । ସେ ଯାଇ ସେହି ଝରଣା ନିକଟରେ ପହଁଚି ପୁଣି ଆଉ ଏକ ସ୍ଥାନ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ସେଠାରେ ମଧ୍ୟ କେତୋଟି ପାନ୍ଥ ଶାଳା ଭଙ୍ଗାରୁଜା ହୋଇ ପଡିଛି । ସେହି ପାନ୍ଥ ଶାଳା ଉପରେ ଗୋଟିଏ ସୁନ୍ଦର ମଣ୍ଡପ ରହିଛି । ସେହି ମଣ୍ଡପ ଉପରେ ଗୋଟିଏ ରାଜ କୁମାରୀଙ୍କର ସୁନ୍ଦର ନିଖୁଣ ମୂର୍ତ୍ତି ଠିଆ ହୋଇ ରହିଛି । ସେହି ମୂର୍ତ୍ତି ଗୋଟିକ ପାଷାଣରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଯେପରି ଜୀବନ୍ତ ପରି ଲାଗୁଅଛି । ଆଉ ମଧ୍ୟ ସେହି ମୂର୍ତ୍ତିର ପାର୍ଶ୍ବ ଦେଶରେ ଲେଖା ଯାଇଅଛି ଯେ –
ଯେବେ ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ
ତେବେ ଆପେ ଜୀବ ଆପେ ହୋଇବ ନାଶ ।
ଅବୋଲକରା ଏ କଥା ଶୁଣିବା ପରେ ମନକୁ ମନ ନିଜର ସଂସାର କଥା ଚିନ୍ତା କରିବାକୁ ଲାଗିଲା । ତା’ର ସ୍ତ୍ରୀ ସତେକି ହୁଣ୍ଡୀ କି ତାହା ଜଣାନାହିଁ କିନ୍ତୁ ଉଦଣ୍ଡୀ ତାର ସ୍ତ୍ରୀ ତାହା ହେଲେ ସେ ଚତୁରୀ କ’ଣ? ତାହା ହେଲେ ଏପରି କଥା ଏହି ଭୂମି ଉପରେ କିଏ କାହିଁକି ଲେଖି ଅଛି । ଏହା ପରେ ଚିନ୍ତା କଲା ଜାଳ ଖଣ୍ଡେ ସଂଗ୍ରହ କରି ନେଇଗଲେ ଯାଇ ଏକଥାର ପ୍ରକୃତ ଘଟଣା ସେହି ଉପଦେଷ୍ଟାଙ୍କଠାରୁ ପଚାରି ସେ ବୁଝିବ । ତା’ପରେ ଜାଳ ଧରି ଅବୋଲକରା ଉପଦେଷ୍ଟାଙ୍କ ପାଖରେ ଆସି ପହଁଚି କାଠ ଗୁଡିକ ଥୋଇ ଦେଇ ଉପଦେଷ୍ଟାଙ୍କୁ ସେହି କଥା ପଚାରିଲା –
ଶୁଣହୋ ମହାନୁଭବ ଅଜବ ଏକଥା
ଗୋଳମାଳ ହେଲା ମୋହର ମଥା ।
କତିକି ଗଲି ମୁଁ ଲେଖାକୁ ଦେଖି
ଦେଖିଲି ସେଠାରେ ଏକ ମୂରତି ।
ହୁଣ୍ଡା ପୁରୁଷକୁ ନାରୀ ସୁମତୀ
ଆପଣା ଜୀବନ ଆପେ ମାରନ୍ତି ।
ହୁଣ୍ଡା ଭାବି ତୁମେ କଲ କେମନ୍ତ
ଉଦଣ୍ଡୀ ଚତୁରୀ ମୋଭାଗ୍ୟେ ଲେଖ ।
ମୋ ଭାରିଜା ରଖ ହୋଇବି ବାବା
ସାଙ୍ଗ ଛାଡି ବନେ ରହିବି ଅବା ।
ଚତୁର ବ୍ୟଙ୍ଗକାର କହିଲେ –
ହୋଇଲୁକି ବାୟା ଅବୋଲକରା
ଦେଖିଲୁ ଆଶ୍ଚର୍ଯ୍ୟ ଯେ କଥା ପରା ।
ଏବେ ବସ ତୋତେ ବୁଝାଇ ଦେବି
ଅସାଧ୍ୟ କଥାକୁ ଦେଖିବୁ ଭାବି ।
ଶୁଣ ବାବା, ଯେବେ ନିବୁର୍ଦ୍ଧିଆ ପାଖରେ ବୁଦ୍ଧିଆ ରହିବ ତାହା ହେଲେ ଏହି ସଂସାରରେ କିଛି ମଧ୍ୟ ଅଘଟଣ ଘଟେ ନାହିଁ । ଯଦି ଏହି ସଂସାର ଭିତରେ ଦୁହେଁ ନିବୁର୍ଦ୍ଧିଆ ତାହା ହେଲେ ଜାଣ କଥା ସରିଲା । ସବୁ କଥାରେ ତାଙ୍କର କେବଳ ଅସୁବିଧା ଦେଖା ଦେବ । ସେଥି ଲାଗି କହୁଛି ତୋର ଭାରିଜାକୁ ତୋର ବୁଝିବା ଭାରି କଷ୍ଟକର । ତେଣୁ ତୁ ତା’ଉପରେ ରାଗିଲେ କ’ଣ ଚଳିବ । କିପରି ତୁ ତାହା ସାଥେ ଚଳିବୁ ସେହି କଥା ମୁଁ ତୋତେ କହି ଦେଉଛି ।
ଆମେ ବର୍ତ୍ତମାନ ଯେଉଁଠାରେ ଅବସ୍ଥାନ କରୁଛେ, ସେହି ସ୍ଥାନରେ ଏହାଠାରୁ ଆହୁରି ଏକ ବଡ ଅରଣ୍ୟ ଥିଲା । ସେହି ଅରଣ୍ୟ ମଧ୍ୟରେ ଏକ ବିଶାଳ ରାଜବାଟୀ ମଧ୍ୟ ଥିଲା । ରାଜ୍ୟଟି ଯେପରି ସେପରି ସୁନ୍ଦର ମଧ୍ୟ । ସେହି ରାଜ୍ୟର ନାମ କୌତୁକ ନଗର ଏବଂ ସେହି ରାଜ୍ୟକୁ ଶାସନ କରୁଥିଲେ ରାଜା କୌତୁକ ସୁନ୍ଦର ।
ସେହି ରାଜା କୌତୁକ ସୁନ୍ଦରଙ୍କର ଝିଅ ନଥିଲା କି ପୁଅ ନଥିଲା । ବହୁତ ଦିନ ଧରି ସେହି ରାଜା ଅପୁତ୍ରିକ ହୋଇ ରହିବାରୁ ରାଜା ସଦାଶିବ ତ୍ରିଲୋଚନେଶ୍ୱରଙ୍କୁ ପୂଜା କଲେ । ତ୍ରିଲୋଚନଙ୍କ କୃପାରୁ ରାଜା କୌତୁକ ସୁନ୍ଦରଙ୍କର ଗୋଟିଏ କନ୍ୟା ଜାତ ହେଲା । ରାଜା ନିଜ କନ୍ୟାର ନାମ ରଖିଲେ ରୂପଶ୍ରୀ । ସେହି ରୂପଶ୍ରୀଙ୍କର ନାମ ଯେପରି ତାଙ୍କର ରୂପ ମଧ୍ୟ ଠିକ୍ ସେହି ପରି । ସେହି ରୂପଶ୍ରୀ ରାଜାଙ୍କର କେବଳ ଗୋଟିଏ ମାତ୍ର କନ୍ୟା ହୋଇ ଥିବାରୁ ରାଜ ଉଆସରେ ସେ ଖୁବ୍ ଗେହ୍ଲାରେ ବଢୁ ଥିଲା । ରାଜ କୁମାରୀ ଯେତେବେଳେ ଟିକେ ଜାଣିବାର ହୋଇ ଗଲା ସେତେବେଳେ ରାଜା ତାକୁ ବିଦ୍ୟା ଶିକ୍ଷା ଦେଲେ ।
ରାଜ କନ୍ୟା ରୂପଶ୍ରୀଙ୍କର ସ୍ମରଣ ଶକ୍ତି ଅଧିକ ହୋଇ ଥିବାରୁ ସମସ୍ତ ବିଦ୍ୟାରେ ସେ ଖୁବ୍ ଶୀଘ୍ର ପାରଙ୍ଗମ ହେଲା । ସେହି ରାଜ୍ୟର ମନ୍ତ୍ରୀ ଥିଲେ କ୍ରୋଧିତ ରାୟ । ସେହି ମନ୍ତ୍ରୀ କ୍ରୋଧିତ ରାୟଙ୍କର ମଧ୍ୟ ଗୋଟିଏ ସୁନ୍ଦର ପୁଅ ଥିଲା । ସେହି ପୁଅର ନାମ ମନ୍ତ୍ରୀ କ୍ରୋଧିତ ରାୟ ଦେଇ ଥିଲେ ଅନିନ୍ଦ୍ୟ ସୁନ୍ଦର । ମନ୍ତ୍ରୀ ପୁଅର ନାମ ଯେପରି ତାର ରୂପ ମଧ୍ୟ ଠିକ୍ ସେହି ପରି । ସେ ମଧ୍ୟ ରାଜ କନ୍ୟା ରୂପଶ୍ରୀ ସାଥିରେ ଘୋଡା ଚଢା, ତୀର ମରା ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହେଲା ।