ପ୍ରଥମେ ତ ସେ କିଶୋର କିଛି କହିଲା ନାହିଁ । ପିଶାଚୁଣୀ ପାଖକୁ ଆସି ଖୁବ୍ ଦରଦଭରା କଣ୍ଠରେ କହିଲା, “ଆରେ ଟୋକା, ଜୀବନରେ ଥାଇ ତୁ ଆଉ କ’ଣ ପାଇବୁ? ମରିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ଏତକ ବୁଝି ପାରୁନାହୁଁ? ମୁଁ ତୋ ଆଗରୁ ଆହୁରି କେତେଜଣଙ୍କୁ ମତାଇ ଆତ୍ମହତ୍ୟା କରାଇଛି ।”
କିଶୋର ପଚାରିଲା “ସେମାନେ କ’ଣ ସୁଖରେ ଅଛନ୍ତି?” ପିଶାଚୁଣୀ କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେଲା ନାହିଁ । ସେ ଖାଲି ହସି ହସି କିଶୋର ଆଡେ ଚାହିଁ ରହିଲା । କିଶୋର ମନ୍ତ୍ରମୁଗ୍ଧ ହୋଇଗଲା ଅବା ।
ହଠାତ୍ କିଶୋରର ମନେ ହେଲା, ପିଶାଚୁଣୀ ଭଲ କଥା କହୁଛି । ସେ ତାହା ସହ କୂଅ ପାଖକୁ ଗଲା । କୂଅକୁ ଡେଇଁବାକୁ ପ୍ରସ୍ତୁତ ହେଉଛି, ଠିକ୍ ସେତିକିବେଳେ କୂଅ ଭିତରୁ ଗୋଟାଏ ବୁଢୀ ପିଶାଚୁଣୀ ବାହାରି ଆସିଲା ଓ ତାକୁ ଧମକ ଦେବା କଣ୍ଠରେ କହିଲା, “କ’ଣ କରୁଛୁ?”
ସାନ ପିଶାଚୁଣୀ କୈଫିୟତ୍ ଦେଇ କହିଲା, “କଥା କ’ଣ କି ମାଉସୀ, ଟୋକା ଭାରି ଦୁଃଖରେ ଅଛି । ତେଣୁ ମୁଁ ତାକୁ ନିସ୍ତାର ପାଇବାର ସହଜ ଉପାୟ ବତାଇ ଦେଉଥିଲି ।”
“ତୁ ଭୀଷଣ ଦୁଷ୍ଟ । ତୋତେ କେତେଥର କହିଛି ତୁ ଏମିତି ପାପ କରି ନିଜ ପିଶାଚଜୀବନକୁ ଅଧିକ ଦୀର୍ଘ କର ନା । ପଳା, ନହେଲେ ତୋତେ ପିଟିବି ।”
ବୁଢୀ ପିଶାଚୁଣୀର ଏଭଳି ଧମକ ଶୁଣି ସାନ ପିଶାଚୁଣୀ ସେଠୁ ପଳାଇଗଲା । ବୁଢୀ ପିଶାଚୁଣୀ କିଶୋରକୁ କହିଲା, “ଶୁଣ, ଆତ୍ମହତ୍ୟା ମହାପାପ । ବହୁ କଷ୍ଟ ପାଇବୁ । ଗୋଟାଏ କାମ କର । ସେ ବୁଦା ପଛରେ ଲୁଚି ରହି କ’ଣ ସବୁ ହେଉଛି ଦେଖ ।”
କିଶୋର ଲୁଚି ରହିଲା । ମଝି ରାତି ବେଳକୁ ପିଶାଚ ଦଳର ନେତା ଆସି କୂଅ ଉପରେ ବସିଲା । ଚାଳିଶ ପଚାଶ ଜଣ ପିଶାଚ ଆସି ସେଠାରେ ଜମା ହେଲେ । ନେତା କହିଲା, “ଏ ମାସ କିଏ କ’ଣ ଅଦ୍ଭୁତ ଚିଜ ଆଣିଛି ଦେଖାଅ ।”
ଜଣେ ପିଶାଚ ଗୋଟାଏ ଥାଳି ଥୋଇ ତା’ ଉପରେ ଗୋଟାଏ ପାଛିଆ ଚାପିଦେଇ ତା’ ଉପରେ ତିନିଥର ବାଡେଇ ଦେଇ ପାଛିଆ ଉଠାଇନେବା ବେଳକୁ ଥାଳିଆ ଉପରେ ନାନା ପ୍ରକାର ପନି ପରିବା ରହିଛି ।
ନେତା କହିଲା “ସାବାସ୍!” ଅନ୍ୟ ଜଣେ ପିଶାଚ ଖଣ୍ଡିଏ ପତ୍ର ଥୋଇ ତା’ ଉପରେ ଗୋଟାଏ ପାଛିଆ ଚାପି ପାଛିଆ ଉପରେ ତିନିଥର ବାଡେଇ ପାଛିଆ ଉଠାଇନେବା ବେଳକୁ ପତର ଉପରେ ନାନା ପ୍ରକାର ମିଠେଇ ।
ପିଶାଚ ନେତା କହିଲା “ସାବାସ୍!” ତୃତୀୟ ପିଶାଚ ଗୋଟାଏ ଗରା ଥୋଇ ତହିଁ ଉପରେ ଖଣ୍ଡିଏ ପତର ଘୋଡାଇ ତିନିଥର ବାଡେଇ ପତର ଉଠାଇନେବା ବେଳକୁ ଗରାରେ ଦୁଧ ଭର୍ତ୍ତି ।
ନେତା କହିଲା “ସାବାସ୍!” ତା’ପରେ ସେ କହିଲା, “ଏସବୁ ନେଇ ଆମ ଗନ୍ତାଘରେ ଥୋଇଦିଅ ।”
ପିଶାଚମାନେ ସେସବୁ ନେଇଯାଇ ଗୋଟାଏ ବରଗଛର ବିରାଟ କୋଟର ଭିତରେ ଥୋଇଦେଲେ । ତା’ପରେ ସବୁ ପିଶାଚ ଚାଲିଗଲେ ।
କିଶୋର ଖାଲି ଅବାକ୍ ହୋଇ ସେ ଦୃଶ୍ୟ ଦେଖୁଥାଏ । ବିସ୍ମୟ ସାଙ୍ଗକୁ ତା’ ମନରେ ଭୀଷଣ ଲୋଭ ବି ବଢୁଥାଏ । ଯଦି ଏଭଳି ସହଜରେ ପନିପରିବାଠୁ ଆରମ୍ଭ କରି ଦୁଧ କ୍ଷୀର ପର୍ଯ୍ୟନ୍ତ ତାକୁ ସବୁ ମିଳି ଯାଆନ୍ତା, ତେବେ ତା’ର ଆଉ ଚିନ୍ତା କରିବାର କ’ଣ ରହନ୍ତା? ସେ ବର୍ତ୍ତମାନ କିପରି ସେ ଚିଜ ସବୁ ହସ୍ତଗତ କରିବ, ସେହି ଭାବନାରେ ଅଧୀର ହେଲା । ସେ ଭୁଲିଗଲା ଯେ ଟିକିଏ ଆଗରୁ ଜୀବନ ପ୍ରତି ସବୁ ମୋହ ହରାଇ ସେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହୋଇଥିଲା । କିପରି ପିଶାଚମାନେ ସେ ସ୍ଥାନରୁ ଚାଲିଯିବେ ଓ ସେ ସେହି ଯାଦୁ ଚିଜତକ ଧରି ଘରକୁ ଫେରିବ, ଏହି ସ୍ୱପ୍ନରେ ସେ ବିଭୋର ରହିଲା । ସେ ଅଧୈର୍ଯ୍ୟ ହୋଇ ଅପେକ୍ଷା କଲା ।
କିଶୋର ଖୁସି ହୋଇ ସେ କୋଟର ଭିତରୁ ଖାଲି ଏ ତିନି ଜିନିଷ ନୁହେଁ, ବରଂ ଆହୁରି ଅନେକ ଜିନିଷ ବାହାର କଲା । ଖଣ୍ଡିଏ ଅଖା ମଧ୍ୟ ସେ ପାଇଗଲା । ଅଖାରେ ସବୁ ଭର୍ତ୍ତି କରି, କାନ୍ଧରେ ପକାଇ ସେ ଘର ମୁହଁ ହେବାବେଳକୁ ଗୋଟାଏ ଅଟ୍ଟହାସ୍ୟ ଶୁଭିଲା ଓ ସେ ଅଖା କୁଆଡେ ଉଭେଇ ଗଲା । ତା’ ଆଗରେ ବୁଢୀ ପିଶାଚୁଣୀ ଆସି ଠିଆ ହେଲା । କିଶୋର ହତାଶ ଭାବରେ ତା’ ଆଡେ ଅନାଇବାରୁ ବୁଢୀ ପିଶାଚୁଣୀ କହିଲା, “ଟୋକା! ତୁ ପରା ଟିକିଏ ଆଗରୁ ଆତ୍ମହତ୍ୟା କରିବାକୁ ଯାଉଥିଲୁ? ଯିଏ ଜୀବନ ପ୍ରତି ମମତା ହରାଇଥିଲା, ତା’ର ପୁଣି ଏତେ ଲୋଭ?” କିଶୋର ମୁଣ୍ଡ ତଳକୁ କରି ଠିଆହୋଇ ରହିଲା । ବୁଢୀ କହିଲା, “ଶୁଣ । ପ୍ରଥମେ ତୋ ଉପରେ ହତାଶାର ପିଶାଚ ସବାର ହୋଇଥିଲା । ତା’ପରେ ସବାର ହେଲା ଦୁରାଶାର ପିଶାଚ । ଏ ଦୁହେଁ ବଡ ଭୟଙ୍କର ।”
କିଶୋର ପଚାରିଲା “ବର୍ତ୍ତମାନ ମୁଁ କ’ଣ କରିବି?”
ବୁଢୀ ପିଶାଚୁଣୀ ପଚାରିଲା “ଘରକୁ ଯା । ତୁ କ’ଣ ପରିଶ୍ରମ କରି ପନିପରିବା ଉପୁଜାଇ ପାରିବୁ ନାହିଁ? ଲଡୁ ଓ ମିଠେଇମାନ ତିଆରି କରି ପାରିବୁ ନାହିଁ? ଗାଈ ରଖି ଦୁଧ ପାଇ ପାରିବୁ ନାହିଁ? ଅଜବ ଚିଜ ପ୍ରତି ଏତେ ମୋହ କାହିଁକି?”
କିଶୋର ସେମିତି ମୁହଁ ପୋତି ଫେରି ଆସିଲା । ପରଦିନରୁ ଦେଖାଗଲା, ତା’ ମତିଗତିରେ ବହୁତ ପରିବର୍ତ୍ତନ ହୋଇଛି । ସେ କାମଦାମ କରିବାକୁ ଆରମ୍ଭ କଲାଣି ।