(ସତ୍ୟ ଘଟନାମୂଳକ)
ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣା ନାହିଁ । ଏ କିମିତିକା କଥାରେ?
ନାତି ଗଣପତି – କେଉଁ ମକଦ୍ଦମା କଥା ଅଜା?
ଅଜା – ଆରେ, ତୁ ସେଦିନ ପରା ଗେଜେଟ୍ରେ ପଢି ଶୁଣାଉଥିଲୁ, ଗୋଟିଏ ମାଇକିନିଆ, ଗୋଟିଏ ପୁରୁଷ, ଦୁଇଜଣ ଚୋର-ଚୋରଣୀ, ମଉନା-ମଉନୀ ବାବାଜି ସାଜି ଖଣ୍ଡଗିରିରେ ଗୋଟାଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ । ପୁଲିସ୍ ସେମାନଙ୍କୁ ଚଲାଣ ଦେଲା । ମେଜେଷ୍ଟର ସାହେବ ବି ସେମାନଙ୍କୁ ଦି ଦି ବରଷ ମିଆଦ ଦେଲେ ।
ଗଣପତି – ହୋଃ ହୋଃ ହୋଃ! ଏଇ କଥା । ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହେଁ, ସେଇଟା ‘ସାହିତ୍ୟ’ ମାସିକ ପତ୍ରିକା । ସେଥିରେ ମଉନା-ମଉନୀ ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢି ମୁଁ ତୁମକୁ ଶୁଣାଉଥିଲି ।
ଅଜା – ଆରେ, ଗେଜେଟରେ କ’ଣ ମିଛ କଥା ଲେଖାହୁଏ? ତାହେଲେ ସେଗୁଡାକ ତୁ କିଆଁ ପଢୁ? ମଲା ଯା! ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ, ସେଥିରେ ସବୁ ସତକଥା ଲେଖା ଥାଏ । ତେବେ ଏଇଭଳି ମିଛକଥା ଗୁଡାଏ ଥାଏ? ସେଗୁଡାକ ତୁ କିଆଁ ପଢୁରେ? ତୁମ ସ୍କୁଲରେ କ’ଣ ଏଇ ମିଛକଥାଗୁଡାକ ପଢା ହୁଏ? ହବ ନାହିଁ? ମ୍ଳେଚ୍ଛ ପାଠ ତ?
ଗଣପତି – ନାହିଁ ଅଜା, ସେଗୁଡାକ ମୋଟେ ମିଛ ନୁହେଁ; ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି ।
ଅଜା – କିଆଁ? ମିଛ କଥା ଗୁଡାଏ ଲେଖି ବର୍ଣ୍ଣନା କରିବା ଦରକାର କ’ଣ? ପଢିଲୁ, ଆମର ତ ଏତେ ପୁରାଣ ଅଛି, ସେଥିରୁ ତୁ ପଦେ ମିଛ ପାଇବୁ କି?
ଗଣପତି – ଆଚ୍ଛା, ସେକଥା ପଛେ ହେବ । ଆଉ କଥା ହେଉ ଅଜା, ଏହି କାନ୍ଥବାଡରେ କି ଚିତ୍ର? କ’ଣ ଲେଖାହୋଇଛି?
ଅଜା- ଆରେ, ତୁ କ’ଣ ଏତିକି ବୁଝିପାରୁ ନାହୁଁ? ତୋ ଆଈ ଗେରୁ, ହରତାଳ, କଳାରଙ୍ଗ, ନଡିଆ ସଢେଇରେ ଗୋଳେଇ କନାତୂଳିରେ ଏସବୁ ଚିତ୍ର କରିଛି । କାହିଁକିନା ସେ ଖୁବ୍ ଚିତ୍ର କରି ଜାଣେ । ଏଇ ଦେଖ, ଏଇଟା ହେଲା କଦମ୍ବଗଛ, ସେଥିରେ ଫୁଲ ଫୁଟିଛି, ତା’ ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳମୂର୍ତ୍ତି ଛିଡା ହୋଇଛନ୍ତି । ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି ।