ଗଣପତି – କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ?
ଅଜା – ହୋଃ ହୋଃ ହୋଃ! ତୁ କିମିତିକା ଓଲା ଟୋକାଟା କିରେ । ହବ ନାହିଁ କ୍ୟାଁ? ମ୍ଳେଚ୍ଛ ପାଠ ପଢି ତୁମମାନଙ୍କ ବୁଦ୍ଧି ବିଗିଡି ଯାଇଛି । ଆରେ, ଏ କ’ଣ ସତକୁ ସତ ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି? ଏଇ ହେଲା ଛବି ।
ଗଣପତି – ତେବେ ଏ ତ ସତ କୃଷ୍ଣ ନୁହେଁ, ମିଛ କୃଷ୍ଣ କହ ।
ଅଜା – (ଟିକିଏ ଖପା ହୋଇ ତେଜରେ) ଏ ରାମ! ରାମ! ଋାମ! ମିଛ କୃଷ୍ଣ କ’ଣ ରେ? ଏ ହେଲା କୃଷ୍ଣଙ୍କ ଚିତ୍ର ।
ଗଣପତି – ତେବେ ଅଜା, ଶୁଣନ୍ତୁ । କଥା କ’ଣ କି ଚିତ୍ରବିଦ୍ୟା ଗୋଟିଏ ଲଳିତକଳା । ସେ ଦୁଇରକମ- ଗୋଟିଏ ଚିତ୍ର ବାହାରର ଜଡ ଦେହରେ, ଆଉ ଗୋଟିଏ ମାନସିକ କ୍ରିୟାର । ଆଚ୍ଛା, ଆପଣଙ୍କ ବୁଝିବା ପାଇଁ ମୁଁ ଗୋଟିଏ କଥାରେ କହେଁ – ଗୋଟିଏ ଆଧିଭୌତିକ ଚିତ୍ର, ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର । ଚିତ୍ରକର ଯେ, ସେ ତୂଳି ଗୋଟାଏ ଧରି ମନୁଷ୍ୟ ଶରୀର ଚିତ୍ର କରେ; କବି କ’ଣ କରେ କି ମନୁଷ୍ୟ ମନର ଗତି, କାର୍ଯ୍ୟପ୍ରଣାଳୀ, କ୍ରିୟା ଇତ୍ୟାଦି କଲମରେ ଲେଖେ । ଏଇଟାକୁ ମାନସିକ ଚିତ୍ର ବୋଲାଯାଇପାରେ । କେବଳ ଲୋକଶିକ୍ଷା ପାଇଁ କିମ୍ବା ଲୋକନେତ୍ର ରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥା’ନ୍ତି ।
ଅଜା – ଆଚ୍ଛା, ଆମ ପୂର୍ବ ମହର୍ଷିମାନେ ତ ଲୋକଶିକ୍ଷା ପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛକଥା ସେମାନେ ସେଥିରେ ଲେଖି ନାହାଁନ୍ତି । ଜ୍ଞାନ ପାଇଁ ସେସବୁକୁ ପଢ । ଏପରି ମିଛ କଥାଗୁଡାକ କ୍ୟାଁ ପଢିବ?
ଗଣପତି – ଆଚ୍ଛା ଅଜା, ମୁଁ ଯାହା କହୁଛି, ତାହା ଧୀରେ ହୋଇ ଶୁଣନ୍ତୁ । ଖପା ହୋଇଯିବେ ନାହିଁ ଟି? ଆପଣ ତ ମହାଭାରତ ବନପର୍ବରେ ନିଶ୍ଚୟ ପଢିଥିବେ, ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଂଟ କରି ଧଇଲା । ଭୀମ ଭାରି ବଳୁଆ ସିନା, ପଳେଇଯିବା ପାଇଁ ଖୁବ୍ ଗୁଡାଏ ଟଣାଓଟରା କଲେ; ହେଲେ ସେ ସାପ ତ ତାଙ୍କୁ ନ ଛାଡେ! ତା’ ବାଦ୍ ଭୀମ ଢେର୍ ରକମ କଥା କହି ନେହୁରା ହେଲେ । ଅଜଗରକୁ ଦାତାରାମ, ଏତେଦିନ ସେ ଭୋକିଲା ପଡିଥିଲା, ଆଜି ମୋଟା ମଣିଷଟାଏ ସେ ପାଇଛି, ସେ କି ଆଉ ୟାକୁ ଛାଡେ! ଠିକ୍ ଏତିକିବେଳେ ଯୁଧିଷ୍ଠିର ଆସି ସେଠାରେ ପହଁଚିଲେ । ତହୁଁ ସେ ଅଜଗର ଓ ଯୁଧିଷ୍ଠିର ଭିତରେ ଢେର୍ କଥାଭାଷା ଚଳିଲା । ଆଚ୍ଛା ଅଜା, ଅଜଗର ସାପ କ’ଣ ସତରେ କଥା କହୁଥିଲା?
ଅଜା- ହୋଃ ହୋଃ ହୋଃ! ଆରେ ତୁମେ ପିଲାଗୁଡାକ ତ ଧର୍ମଗ୍ରନ୍ଥ ପୁରାଣ ଆଦି କେବେବି ପଢିଲ ନାହିଁ! ତୁଚ୍ଛା ମିଛ ଗେଜେଟ୍ଗୁଡାକ ଖାଲି ପଢିବ, ମୂଳଜ୍ଞାନ କଥା କାହୁଁ ଜାଣିବ? ଆରେ ଜାଣୁ, ଏ ହେଲା ଦ୍ୱାପରଯୁଗର ପୁରାଣର କଥା । ଇଏ କ’ଣ ଆଜିକାଲିକା କଥା? ତୁ ତ ଆଉ ଜ୍ଞାନଶାସ୍ତ୍ର ପଢି ନାହୁଁ, ଜାଣିବୁ କେଉଁଠୁ? ତୁ ଯାହାକୁ ଅଜଗର ସାପ କହୁଛୁ, ସେ ସାପ ନୁହେଁ- ସୂର୍ଯ୍ୟବଂଶର ରାଜା ନହୁଷ । ବ୍ରାହ୍ମଣମାନଙ୍କୁ ଆପଟ କରି ତାଙ୍କ କାନ୍ଧ ଉପରେ ସେ ଚଢିଥିଲା । ବ୍ରାହ୍ମଣମାନେ ବି ସିମିତି ଖପା ହୋଇ ତାଙ୍କୁ ଅଭିଶାପ ଦେଲେ । ତା’ପରେ ସେ ରାଜା ସାଙ୍ଗେ ସାଙ୍ଗେ ଅଜଗର ସାପ ପାଲଟିଗଲେ । ଦେଖିଲୁ, ଆଗେ କିମିତି ବ୍ରାହ୍ମଣଙ୍କର ତେଜ ଥିଲା?
ଗଣପତି- ଆଜି ବି କ’ଣ ବ୍ରାହ୍ମଣମାନଙ୍କର ତେଜ ନାହିଁ? ଯଜମାନଙ୍କୁ, ଯାତ୍ରୀଙ୍କୁ ସେମାନେ ପରା ଛାନିଆ କରିପକାଉଛନ୍ତି ।
ଅଜା- (ଟିକିଏ ରାଗିଯାଇ କହିଲେ) କ’ଣ? ବ୍ରାହ୍ମଣ ନିନ୍ଦା କରୁଛୁ?
ଗଣପତି – ନାହିଁ ନାହିଁ ଅଜା; ମୁଁ ଟିକେ ଥଟ୍ଟା କରି କହିଲି । ଆଚ୍ଛା, ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ । ଗୋଟିଏ ଶୁଆ ଚଢେଇ ବଣ ଭିତରେ ବସା ବାନ୍ଧିଥିଲା । ସଞ୍ଜବେଳେ ଜଣେ ଅତିଥି ତା ଦୁଆରେ ପହଂଚିଲେ । ସେ ଶୁଆଟି ତ ବଡ ଅତିଥିସେବା କରେ । ତେଣୁ ସେ କ’ଣ କଲା ନା, ଧାଇଁଯାଇ ଚଂଚଳ ସେ ଆଗନ୍ତୁକ ଅତିଥିଙ୍କୁ ଗୋଡ ଧୋଇବାକୁ ପାଣି ଦେଲା, ତାଙ୍କ ଲାଗି ଆସନ ଖଣ୍ଡିଏ ପକାଇଦେଲା, ଆଉ ତାଙ୍କ ଭୋଜନ ପାଇଁ କିଛି ଚାଉଳ ଆଣି ଦେଲା । ତା’ପରେ ସେ ଅତିଥି ଭାତ ରାନ୍ଧିଲେ । ମଲା ଯା! ତିଅଣ ଯେ ନାହିଁ! ଅତିଥି କ’ଣ କଲେ କି, ତୁନି ତୁନି ଯାଇ ସେ ଶୁଆ ବେକ ମୋଡିଦେଲେ । ତା’ ମାଉଁସ ତରକାରି କରି ଭୋଜନ କଲେ । ଆଚ୍ଛା ଅଜା, ଶୁଆ ଯେଉଁ ଚାଉଳ ଆଣିଦେଲା ତା’ ଘରେ ସେ ଚାଉଳ କିଏ କୁଟିଦେଲା? ଶୁଆଣୀ କୁଟିଦେଲା ପରା!
ଅଜା ତ ଏଥର ଟିକିଏ ହଇରାଣରେ ପଡିଗଲେ – ନାସଦାନି କାଢି ଲାଗ ଲାଗ ତିନି ଚାରି ଟିପା ନାସ ଶୁଙ୍ଘି ଦେଲେଣି । ତହିଁ ଉତାରେ ଖନେଇ ଖନେଇ ସେ କହିଲେ, “ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝିପାରୁ ନାହିଁ । କାଲି ମୁଁ ତତେ ବେଶ୍ କରି କହିବି, ଫଳରେ ତୁ ବେଶ୍ ବୁଝିପାରିବୁ । ମୁଁ ଟୀକା ପଢି ନାହିଁ । ରାମ ମିଶ୍ରେ ବେଶ୍ ସଂସ୍କୃତ ଜାଣନ୍ତି । ସେ ଟୀକା ପଢିଛନ୍ତି – ସେ ହିଁ ଠିକ୍ ବୁଝାଇ ଦେବେ ।”