“କୋଳଥ ବଦଳରେ ଏହି କଂଚା ଆମ୍ବ?” ରତନ କୁଣ୍ଠିତ ହେଲା । ମଦନ କିନ୍ତୁ ନଛୋଡବନ୍ଧା । ତେଣୁ ସେ ମଦନ କହିଲା, “ତୁମର ଏହି କୋଳଥ ତୁଳନାରେ ମୋର ଏହି ଆମ୍ବ ବି କିଛି କମ୍ ନୁହେଁ । ତେବେ ଠିକ୍ ଅଛି, ତୁମେ ଅଦଳବଦଳ ପାଇଁ ରାଜି ହୋଇଗଲେ, ମୁଁ ତୁମକୁ ଅଧିକା ଗୋଟିଏ ଅଣା ପଇସା ଦେବି ।”
ରତନ ଏଥର ରାଜି ହୋଇଗଲା । ମଦନ, ରତନର ବସ୍ତାଟି ଧରି ଯିବାପାଇଁ ବାହାରିଲା । କିନ୍ତୁ ରତନ ତା’ର ଅଣାକ ପଇସା ମାଗିବସିଲା ।
“ହଁ, ହଁ ମୁଁ ନିଶ୍ଚୟ ଦେବି । କିନ୍ତୁ ଏବେ ତ ମୋ ପାଖରେ କାଣି କଉଡିଟିଏ ବି ନାହିଁ । ତୁମେ ବ୍ୟସ୍ତ ହୁଅନାହିଁ । ଏହିପାଖ ଗ୍ରାମରେ ମୋର ଘର ।” ଏତିକି କହି ମଦନ ତରତରରେ ସେ ସ୍ଥାନରୁ ଚାଲିଗଲା ।
କିଛିଦିନ ପରେ ରତନ ତାର ଅଣାଏ ପଇସା ଆଦାୟ କରିବା ପାଇଁ, ମଦନର ଗ୍ରାମରେ ଯାଇ ପହଁଚିଲା । ମଦନ ସେହି ଗ୍ରାମର ସାହୁକାରଙ୍କ ଘରେ କାମକରୁଥାଏ । ସେ ରତନକୁ ଦେଖୁ ଦେଖୁ ଅଭିଯୋଗ କରି ଚିତ୍କାର କଲା, “ତୁମେ ମତେ ଠକି ଦେଲ, ମତେ କ୍ଷତିରେ ପକାଇଦେଲ ।” ରତନ ମଧ୍ୟ କହିଲା, “ତୁମେ କଣ କେଉଁ କମ୍ କି? ତୁମେ ବି ତ ମତେ ବେଶ୍ ଧୋକା ଦେଇଛ ।” ମଦନ କହିଲା, “ତେବେ ତ ଆମର ହିସାବ ତୁଟି ଗଲା ।” “ଏପରି କେମିତି ହେବ । ତୁମେ ମୋତେ ଅଣାଏ ପଇସା ଦେବ ବୋଲି କଥା ଦେଇଛ । ତାହା ତୁମକୁ ଦେବାକୁ ହିଁ ପଡିବ ।” ରତନ ଏହା କହି ଜିଦ୍ ଧରି ବସିଲା ।
“ମୋ ପାଖରେ ଏବେ କିଛି ନାହିଁ । କିନ୍ତୁ ମୁଁ ତୁମକୁ ଏପରି ଏକ ଉପାୟ ବତାଇବି, ଯାହାଦ୍ୱାରାକି ଆମ ଦୁଇଜଣଙ୍କର ଲାଭ ହେବ । ଆମର ଏହି ସାହୁକାରଙ୍କ ଘର ପଛଭାଗରେ ଏକ ଗଭୀର ଖାତ ରହିଛି । ଦିନେ ମୁଁ ନିଜ ଆଖିରେ ଦେଖିଲି ଯେ, ସାହୁକାର ଏକ ନିଶୁଣୀ ପକାଇ ସେ ଖାତଭିତରକୁ ଗଲେ ଓ ପୁଣି ବାହାରକୁ ଆସିଲେ । ସେ ନିଶ୍ଚୟ ସେଠାରେ ତାଙ୍କ ଧନରତ୍ନ କିମ୍ବା ଟଙ୍କା ଲୁଚାଇ ରଖିଛନ୍ତି । ଆଜି ଅଧାରାତିରେ ଆମେ ଦୁହେଁ ସେହି ଖାତ ପାଖକୁ ଯିବା । ତା ଭିତରୁ ଟଙ୍କା, ସୁନା ଯାହା ମିଳିବ, ନିଜ ନିଜ ଭିତରେ ବାଂଟିନେବା । କଣ ତୁମେ ଏଥିରେ ରାଜି ତ?” ମଦନର ଏହି ପ୍ରସ୍ତାବରେ ରତନ ସଙ୍ଗେ ସଙ୍ଗେ ରାଜି ହୋଇଗଲା ।
ରାତିରେ ରତନ ଓ ମଦନ ଏକ ବସ୍ତା ଓ ମୋଟା ଦଉଡି ଧରି ସେଠାରେ ଯାଇ ପହଁଚିଲେ । ରତନ ଉପରେ ଥାଇ ଦଉଡିଟି ଜୋର୍ରେ ଭିଡିଧରିଲା । ମଦନ ବସ୍ତାଟି ଧରି ଦଉଡି ସାହାଯ୍ୟରେ ସେ ଖାତ ଭିତରକୁ ପଶିଲା । ସେଠାରେ ସେ ବହୁତ ଖୋଜାଖୋଜି କରି ମଧ୍ୟ କିଛିବି ପାଇଲା ନାହିଁ ।
ମନେ ମନେ ଭାବିଲା, “ରତନ ଖୁବ୍ ସିଆଣା ଅଟେ । ଯଦି ମୁଁ କହିବି ଯେ, ମୋତେ ଏଠାରେ କିଛିବି ମିଳିଲା ନାହିଁ, ତେବେ ସେ ନିଶ୍ଚୟ ଦଉଡି ଛାଡିଦେଇ ଚାଲିଯିବ ଓ ମୁଁ ଆଉ ଏ ଖାତରୁ ବାହାରିପାରିବି ନାହିଁ । ତେଣୁ ମନରେ ଏକ ଉପାୟ ଚିନ୍ତା କରିବା ପାଇଁ ପଡିବ ।” ସେ ବସ୍ତାଟିକୁ ଦଉଡିରେ ଖୁବ୍ ଜୋର୍ରେ ବାନ୍ଧିଦେଇ କହିଲା, “ଶୁଣ ଏଠାରେ ଯାହା ମିଳିଲା, ମୁଁ ସେସବୁକୁ ବସ୍ତାରେ ଭରିଦେଇଛି । ପ୍ରଥମେ ଏହାକୁ ଉପରକୁ ଉଠେଇନିଅ ଓ ତା ପରେ ଦଉଡି ପକେଇ ମତେ ଉପରକୁ ଉଠେଇ ନେବ ।” ମଦନ କଥାରେ ସମ୍ମତ ହୋଇ ରତନ ବସ୍ତା ଉପରକୁ ଟାଣି ଆଣିଲା ।
“ଏହି ମଦନ ଆଦୌ ବିଶ୍ୱାସଯୋଗ୍ୟ ଲୋକ ନୁହେଁ । ତାକୁ କାହିଁକି ମୁଁ ଏହି ଧନରୁ ଭାଗ ଦେବି । ସେ ତା’ର ସେହି ଖାତରେ ସେମିତି ପଡିଥାଉ ।” ଏପରି ଚିନ୍ତାକରି ସେ ବସ୍ତାଟି ପିଠି ଉପରେ ପକାଇ, ତରତରରେ ନିଜ ଗ୍ରାମ ଅଭିମୁଖେ ଚାଲିଲା । ରତନକୁ ଜଣାନାହିଁ ଯେ, ବସ୍ତା ଭିତରେ ନିଜେ ମଦନ ରହିଛି ।
କିଛି ଦୂର ଯିବା ପରେ, ଓଜନ ଲାଗିବାରୁ ସେ କାନ୍ଧରୁ ଓହ୍ଲାଇ ବସ୍ତାଟି ତଳେ ରଖିଲା । ତତ୍କ୍ଷଣାତ୍ ମଦନ ତା ଭିତରୁ ବାହାରି ଆସିଲା । ତାକୁ ଦେଖି ରତନ ଗାଳି କରି କହିଲା “ବିଶ୍ୱାସଘାତକ, ମତେ ପୁଣି ଧୋକା ଦେଲ?
ମଦନ କହିଲା “ତୁମେ ବି ମୋଠାରୁ କୌଣସି ଗୁଣରେ କମ୍ ନୁହଁ । ତୁମେ ଚାହୁଁଥିଲ, ମୋତେ କିଛି ନ ଦେଇ ସବୁ ଧନ ମାରି ନେବା ପାଇଁ । ଏବେ ହିସାବ ତୁଟିଗଲା । ଚୁପ୍ଚାପ୍ ନିଜ ବାଟରେ ଚାଲିଯାଅ ।” “ମୁଁ କାହିଁକି ଚୁପ୍ ରହିବି! ତୁମକୁ ଏକଅଣା ପଇସା ଦେବାକୁହିଁ ପଡିବ ।”
ମଦନ କହିଲା “ମୁଁ ତ ତୁମକୁ କହିଛି, ଯେତେବେଳେ ମୋ ପାଖରେ ଥିବ ମୁଁ ତୁମକୁ ପଇସା ଦେଇଦେବି ।” ତା ପରେ ସେ ଦୁହେଁ ନିଜ ନିଜ ଗ୍ରାମକୁ ଫେରିଲେ ।