କିଛି ମାସ ପରେ ମଦନର ବିଭାଘର ହେଲା । ତାର ପତ୍ନୀ ସଙ୍ଗରେ ଅଳ୍ପ କିଛି ଧନ ନେଇ ଆସିଲେ । ସେ ଆଉ ମଜୁରୀ ନ କରି, ନିଜେ କିଛି ଜମି କିଣି ଚାଷବାସ ଆରମ୍ଭ କଲା ହାତରେ ଧନ ହେବାରୁ ଗ୍ରାମରେ ନିଜର ଛୋଟ ଘରଟିଏ ବି ତୋଳିଲା ।
ରତନର ଅବସ୍ଥା ପୂର୍ବପରି ଥାଏ । ଦିନେ ତାର ଅଚାନକ ମନେ ପଡିଲା, ତାର ଏକଅଣା ପଇସା ମଦନଠାରୁ ପାଇବାର ଅଛି । ତାହା ଆଦାୟ କରିବା ପାଇଁ ସେ ମଦନର ଗ୍ରାମକୁ ଚାଲିଲା ।
ରତନକୁ ଦେଖୁ ଦେଖୁ ମଦନ ଘର ଭିତରକୁ ଚାଲିଯାଇ ପତ୍ନୀକୁ କହିଲା, “ଶୁଣ, ଏହି ରତନ କରଜଆଦାୟ କରିବା ପାଇଁ ଆସୁଛି । ମୁଁ ମଲାଲୋକ ପରି ଶୋଇ ରହୁଛି । ତୁମେ ମୋ ପାଖରେ ବସି ବଡପାଟିରେ କାନ୍ଦିବା ଆରମ୍ଭ କର । ଏମିତି ସଂନ୍ଧ୍ୟା ବେଳ ଯାଏଁ କାନ୍ଦିବାର ଅଭିନୟ କରିପାରିଲେ, ମତେ ଆଉ ତାର କରଜ ଶୁଝିବାକୁ ପଡିବ ନାହିଁ ।” ମଦନର ପତ୍ନୀ ପତିଙ୍କ କଥା ପାଳନ କଲା । ରତନ ଘର ଭିତରକୁ ଆସି ସବୁ ଦେଖିଲା ।
“ଆହା! ଏ କ’ଣ ହେଲା? ମଦନ ମୋର ଅତି ପ୍ରିୟ ବନ୍ଧୁ । ତା’ର ଦାହ କ୍ରିୟା ସମ୍ପନ୍ନ କରାଇ ସାରିବା ପରେ ଯାଇ ମୁଁ ଏଠାରୁ ଯିବି ।” ଏପରି ଶୋକ କରି ରତନ ଶବ ଶ୍ମଶାନକୁ ନେଇଯିବା ପାଇଁ ଶବବାହକଙ୍କୁ ଡାକି ଆଣିଲା ।
ମଦନର ପତ୍ନୀ ଚାଲାଖି କରି କହିଲା, “ଯେ ପର୍ଯ୍ୟନ୍ତ ଆମର ସମ୍ପର୍କୀୟମାନେ ଆସି ନାହାଁନ୍ତି, ମୁଁ ଶବ ଘରୁ ବାହାରିବାକୁ ଦେବି ନାହିଁ ।”
ସୂର୍ଯ୍ୟାସ୍ତ ସମୟ ହେଲା । ରତନ କିନ୍ତୁ ସେଠାରୁ ହଟିଲା ନାହିଁ । ପାଖ ପଡୋଶୀ ଘରଲୋକମାନେ ଆସି କହିଲେ, “ଶବ ଏଠାରେ ପଡିରହିଥିବାରୁ ଆମ ମାନଙ୍କର ଖାଇବା, ରୋଷେଇ ସବୁ ବନ୍ଦ । ତେଣୁ ଶବ ଏଠାରୁ ନେଇ ଯାଇ କୌଣସି ଦେବାଳୟରେ ରଖିବାର ବ୍ୟବସ୍ଥା କର ।”
ସେମାନଙ୍କ କଥା ଅନୁସାରେ ଏକ ପରିତ୍ୟକ୍ତ ମନ୍ଦିର ପ୍ରାଙ୍ଗଣରେ ଶବ ରଖାଗଲା ।
ରାତି ଅଧ ସମୟକୁ, ମନ୍ଦିରର ବାହାରେ କିଛି ଲୋକଙ୍କର ପାଦଶବ୍ଦ ଶୁଭିଲା । ରତନ ସଙ୍ଗେ ସଙ୍ଗେ ମନ୍ଦିରର ଗର୍ଭଗୃହ ଭିତରେ ଲୁଚିଗଲା ଚାରି ଜଣ ଚୋର ମନ୍ଦିର ଭିତରକୁ ଆସିଲେ । ସେମାନଙ୍କର ସର୍ଦ୍ଦାର ଏକ ଗଣ୍ଠିଲି ଆଣିଥାଏ । ସେଥିରୁ ଅନେକ ଦାମୀସୁନା ଗହଣା, ଧନ ଆଦି ବାହାର କରି ସେମାନେ ଭାଗ ବାଂଟିଲେ । ସେଇ ସବୁ ଜିନିଷ ମଧ୍ୟରେ ଗୋଟିଏ ଛୁରା ଥାଏ । ଚୋରଙ୍କ ସର୍ଦ୍ଦାର ଅନ୍ୟ ତିନିଜଣଙ୍କୁ ପଚାରିଲା, “ଏଇଟା କିଏ ନେବ?” ତିନିହେଁ କହିଲେ ଏଇ ଛୁରୀ କିଛିକାମରେ ଲାଗିବ ନାହିଁ ।
“ନା, ନା, ଏଇ ଛୁରୀରେ ଖୁବ୍ ଧାର ଅଛି । ଦେଖ, ଏବେ ତୁମ ସମସ୍ତଙ୍କ ଆଗରେ ଏଇ ଶବଟାକୁ ମୁଁ କିପରି ଖଣ୍ଡ ଖଣ୍ଡ କରୁଛି ।” ଏହା କହି ଚୋର ସର୍ଦ୍ଦାର ମଦନ ପାଖକୁ ଆସିଲା ।
ମଦନ ତ ମିଛରେ ମୃତଲୋକର ଛଳନା କରି ଶୋଇଥାଏ । ଚୋର ସର୍ଦ୍ଦାରର ଛୁରୀର ଧାର ପରୀକ୍ଷା କଥା ଶୁଣି ସେ ଆଉ ସ୍ଥିରହୋଇ ରହିପାରିଲା ନାହିଁ । ମଦନ ସେହିକ୍ଷଣି ଭୟରେ ଚିତ୍କାର କରି ଉଠି ପଡିଲା । ସବୁ ଚୋର ‘ଭୁତ’ ‘ଭୁତ’ କହି ସେ ସ୍ଥାନ ଛାଡି ଦୌଡି ପଳାଇଲେ । ଏହା ଦେଖି ଲୁଚି ରହିଥିବା ରତନ ବାହାରକୁ ଆସିଲା ।
“ଦେଖ, ଆମର ଭାଗ୍ୟ କିପରି ଚମକୁଛି । ଚାଲ ଏହି ଧନ ଦୁହେଁ ବାଂଟିନେବା ।” ଏହାପରେ ମଦନ ଓ ରତନ ଚୋରଙ୍କ ମାଲ୍ ନିଜ ଭିତରେ ବାଂଟିନେଲେ ।
କିନ୍ତୁ ରତନ ଶେଷରେ କହିଲା, “ସେ ଯାହା ବି ହେଉ, ତୁମେ ମୋର ଅଣାଏ ତ ଦେଲ ନାହିଁ ।” ପୁଣି ସେ ଦୁଇଜଣ ଝଗଡା ଆରମ୍ଭ କଲେ ।