ତେଣୁ ସ୍ଥିର କଲେ, “ଗୋଟିଏ ଶିଶୁକନ୍ୟାକୁ ଆଣି ପାଳିବେ । କନ୍ୟାଟିକୁ ସେ ସର୍ବଦା କବାଟରେ ଚାବି ଦେଇ ଘର ଭିତରେ ରଖିବେ । ସେ ଯେପରି କୌଣସି ପୁରୁଷକୁ ନଦେଖେ ତାହାର ବ୍ୟବସ୍ଥା କରିବେ ।” ସେ ଭାବିଥିଲେ ଯେ ଏପରି କଲେ ବାଳିକାଟିର ସତୀତ୍ୱ ଅକ୍ଷୁର୍ଣ୍ଣ ରହିବ ।
ଦୈବାତ୍ ସେ ଗୋଟିଏ ଦରିଦ୍ର ଗର୍ଭବତୀ ସ୍ତ୍ରୀକୁ ଦେଖିଲେ । ନିଜର ବିଦ୍ୟା ବଳରେ ବ୍ରାହ୍ମଣ ଜାଣିପାରିଲେ ଯେ ତା’ର ଗୋଟିଏ କନ୍ୟା ଜାତ ହେବ । ସେ ସ୍ତ୍ରୀକୁ କିଛି ଧନ ଦେଇ ନିଜ ଘରେ ରଖିଲେ । କିଛିଦିନ ପରେ ତା’ର ଗୋଟିଏ କନ୍ୟା ଜନ୍ମିଲା । ବ୍ରାହ୍ମଣ ସ୍ତ୍ରୀଲୋକଟିକୁ କିଛି ଧନ ଦେଇ ବିଦାୟ କରିଦେଲେ ଓ ଶିଶୁ କନ୍ୟାଟିକୁ ରଖି ପାଳନ କଲେ । ସେ ନିଜେ ତା’ର ସମସ୍ତ ଯତ୍ନ ନେଉଥିଲେ ଓ ଶିଶୁଟି ସେହି ବ୍ରାହ୍ମଣଙ୍କ ଛଡା ଅନ୍ୟ କୌଣସି ପୁରୁଷକୁ ଦେଖିନଥିଲା । ଏହା ଫଳରେ ବ୍ରାହ୍ମଣ କନ୍ୟାଟି ଉପରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କଲେ । କେତେକ ବର୍ଷଯାଏଁ ପୁରୋହିତ ରାଜାଙ୍କ ସହିତ ପଶାଖେଳ ବନ୍ଦ କରିଦେଲେ ।
କନ୍ୟାଟି ଯୌବନରେ ଉପନୀତ ହେବାରୁ ରାଜପୁରୋହିତ ପୁଣି ରାଜାଙ୍କୁ ପଶା ଖେଳିବାକୁ କହିଲେ । ରାଜା ପଶାକାଠି ପକାଇବା ପୂର୍ବରୁ ପୂର୍ବପରି କହିଲେ–
ବିଧାତା ବିଧାନ ନୁହଁଇ ଆନ
ନଦୀଜଳ କରେ ନୀଚ ଗମନ;
ପରପୁରୁଷରେ ରସେ ଯୁବତୀ
ଅଛି କେଉଁ ନାରୀ ନୋହି ଅସତୀ?
ଏହା ଶୁଣି ରାଜପୁରୋହିତ କହିଲେ –
ଅଛି ଯେ ଯୁବତୀ ମୋହର ପୁରେ
ଦେଖିନାହିଁ ତାକୁ କେହି ନେତ୍ରରେ ।
ମାତ୍ର ରାଜା ଏଥର ଖେଳରେ ହାରିଗଲେ । ଏଣିକି ଯେତେ ଥର ଖେଳ ହେଲା; ରାଜା ତାଙ୍କର ଗୀତ ପଦଟି ବୋଲିଲେ, ପୁରୋହିତ ତାଙ୍କ ପଦଟି ବୋଲିଲେ । ରାଜା ପ୍ରତିଥର ହାରନ୍ତି, ପୁରୋହିତ ଜିଣନ୍ତି ।