ବୋଧିସତ୍ୱ ସ୍ଥିରକଲେ ଯେ, ପୁରୋହିତ ତାଙ୍କ ଘରେ କୌଣସି ଯୁବତୀକୁ ବନ୍ଦ କରି ରଖିଛନ୍ତି ଓ ତା’ର ସତୀତ୍ୱ ଅକ୍ଷୁର୍ଣ୍ଣ ଥିବାରୁ ତାଙ୍କ କଥା ମିଥ୍ୟା ହେଉଛି ଓ ସେ ଖେଳରେ ହାରୁଛନ୍ତି । ଗୁପ୍ତଚରଙ୍କ ସାହାଯ୍ୟରେ ସେ ବୁଝିପାରିଲେ ଯେ, ତାଙ୍କର ଅନୁମାନ ସତ୍ୟ । ଯୁବତୀର ସତୀତ୍ୱ ନଷ୍ଟ କରିବାପାଇଁ ସେ ଗୋଟିଏ ଦୁଷ୍ଟ ଲୋକର ସାହାଯ୍ୟ ନେଲେ । ସେହି ଯୁବତୀ ସହିତ ସେ ସମ୍ବନ୍ଧ ସ୍ଥାପନ କରିବ ବୋଲି କହି ବୋଧିସତ୍ୱଙ୍କଠାରୁ କିଛି ଅର୍ଥ ନେଲା ।
ଏହି ଧନରେ ଲୋକଟି ପୁରୋହିତଙ୍କ ଗୃହ ନିକଟରେ ଗୋଟିଏ ଦୋକାନ ଖୋଲିଲା । ଚନ୍ଦନ, କୁଙ୍କୁମ, ଗୋରୋଚନା ଓ ବିବିଧ ସୁବାସିତ ଅତର ସହିତ ନାନାପ୍ରକାର ଫୁଲ ତା’ର ଦୋକାନରେ ବିକ୍ରୟ ହେଉଥିଲା । ପୁରୋହିତଙ୍କ ଘରଟି ସାତମହଲାର ଓ ପ୍ରତି ମହଲାର ଦ୍ୱାର ନିକଟରେ ଜଣେଲେଖାଏଁ ସ୍ତ୍ରୀଲୋକ ଜଗି ରହିଥିଲେ । ପୁରୋହିତଙ୍କ ଛଡା ଅନ୍ୟ କୌଣସି ପୁରୁଷ ଏହି ଘରେ ପ୍ରବେଶ କରିବା ନିଷିଦ୍ଧ ଥିଲା । ଘରୁ ଅଳିଆ କାଢିବା ଟୋକେଇ ସୁଦ୍ଧା ପରୀକ୍ଷା କରି ଦେଖାଯାଉଥିଲା । କେବଳ ପୁରୋହିତ ସେହି କନ୍ୟାକୁ ଦେଖିପାରୁଥିଲେ । ତା’ର କାର୍ଯ୍ୟ କରିବାପାଇଁ ଜଣେ ମାତ୍ର ଦାସୀ ଥିଲା । ଯୁବତୀଟି ଏହି ଦାସୀ ହସ୍ତରେ ସୁଗନ୍ଧ ତୈଳ, ଫୁଲ ପ୍ରଭୃତି ବଜାରରୁ କିଣିଆଣୁଥିଲା । ଦାସୀ ଦେଖିଲା ଯେ, ନିକଟରେ ଗୋଟିଏ ଦୋକାନ ଖୋଲିଛି ଓ ସେଥିରେ ଅନେକ ପ୍ରକାରର ଅତର ପ୍ରଭୃତି ବିକ୍ରି ହେଉଅଛି । ଏଣେ ଠକ ଦୋକାନୀ ଭାବିଲା, ଏହି ଦାସୀଟିକୁ ହସ୍ତଗତ କଲେ ତା’ର ଉଦ୍ଧେଶ୍ୟ ସିଦ୍ଧ ହୋଇପାରିବ ।
ଦିନେ ସେହି ଦାସୀ ବଜାରକୁ ଯାଉଥିଲାବେଳେ ଠକ ଦୋକାନୀ ହଠାତ୍ ରାସ୍ତା ଉପରକୁ ଦଉଡିଯାଇ ତା’ର ପାଦ ଦୁଇଟିକୁ ଧରି କାନ୍ଦ କାନ୍ଦ ହୋଇ କହିଲା, “ମାଆ, ମାଆ, ଏତେଦିନ ହେଲା ତୁ କୁଆଡେ ଥିଲୁ?” ଠକର କେତେଜଣ ସଙ୍ଗୀ ପାଖରେ ଥିଲେ । ସେମାନେ କହିଉଠିଲେ, “ଧନ୍ୟ ଏ ମାଆ ପୁଅ । ଦେଖ, ଠିକ୍ ଏକାପରି ଆଖି, ଏକାପରି ନାକ, ଏକାପରି ହାତ, ଏକାପରି ଗୋଡ ।” ଜଣେ କେହି କହି ଉଠିଲା, “ଆରେ, ତୋ ଭାଗ୍ୟ ଖୁବ୍ ଭଲ । ତାହା ନୋହିଥିଲେ କି ଏତେଦିନ ପରେ ମାଆ ସାଥିରେ ଭେଟ ହୋଇଥାନ୍ତା ।” ଏହି ସବୁ କଥା ଶୁଣି ଦାସୀର ମୁଣ୍ଡ ଘୂରାଇ ଦେଲା । ସେ ମନେକଲା ଯେ, ଏହି ଯୁବକଟି ତାରି ପୁଅ । ସେ କିଛି କହିପାରିଲା ନାହିଁ । ଯୁବକ କହିଲା, “ମାଆ, ତୁ ଏବେ କେଉଁଠି ରହିଛୁ ।”
ଲୋକଟିର ହାବଭାବ ଦେଖି ଦାସୀର ତା’ ପ୍ରତି ସ୍ନେହ ଆସିଥିଲା । ସେ ତାକୁ ନିଜର ପୁଅ ବୋଲି ଧରିନେଇଥିଲା । ସେ କହିଲା, “ଆରେ ପୁଅ, ମୁଁ ଏଇ ପାଖରେ ଅଛି । ପୁରୋହିତଙ୍କ କୋଠାରେ ରହୁଛି । ତାଙ୍କର ଯେଉଁ ସ୍ତ୍ରୀ ଅଛି, ତାଙ୍କ ହାଲ୍ଚାଲ୍ ବୁଝିବା ମୋର କାମ । ବେଶ୍ ସୁଖରେ ଅଛି । ସ୍ତ୍ରୀଟି ଭାରି ସୁନ୍ଦରୀ । ଏବେ ତ ତା’ପାଇଁ ଅତର, ବାସନା ତେଲ, ଫୁଲହାର କିଣିବାପାଇଁ ଯାଉଥିଲି ।