ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଣ୍ଡଭୂତ ଜାତକ

         ଏହା ଶୁଣି ଠକ କହିଲା, “ମାଆ! ତୁ ସେଠାରେ କାହିଁକି ରହିଛୁ, ଏଠିକି ଆ । ମାଆପୁଅ ଏକାଠି ରହିବା । ଆଉ ଏଥର ଅନ୍ୟଠାରୁ କିଣିବା କି ଦରକାର, ମୋ ଦୋକାନରୁ ନେଇଯିବୁ ।”

         ଦାସୀ କହିଲା, “ମୁଁ ତ ଏଇ ପାଖରେ ଅଛି । ଯେତେବେଳେ ଇଚ୍ଛା ସେତେବେଳେ ତୋ ପାଖକୁ ଆସିବି ।”

         ଠକ କେତେଗୁଡିଏ ଫୁଲହାର, ଅତର, ବାସନା ତେଲ ଆଣି ଦେଲା । ଦାସୀ ପଇସା ଦେବାକୁ ବାହାରିବାରୁ ସେ କହିଲା, “ମାଆ! ତୁ ଏପରି କଥା କହିବୁ ନାହିଁ । ମୋର କଅଣ କମ୍ ଲାଭ ହେଉଛି! ତୁ ନେଇଯାଆ । ଯେତେବେଳେ ଯାହା ଦରକାର ହେଉଥିବ, ନେଇଯାଉଥିବୁ ।”

         ସେଦିନ ଦାସୀ ଯେଉଁସବୁ ସୁବାସିତ ଦ୍ରବ୍ୟ ନେଇଥିଲା; ସେଥିରେ ଯୁବତୀ ଅତ୍ୟନ୍ତ ସନ୍ତୁଷ୍ଟ ହେଲା ଓ ବ୍ରାହ୍ମଣ ମଧ୍ୟ ତା ପ୍ରତି ଅଧିକ ଆଦର ଦେଖାଇଲେ । ଏପରି ସୁନ୍ଦର ଓ ସୌରଭମୟ ଦ୍ରବ୍ୟ କେଉଁଠାରୁ ସେ ଆଣିଲା ବୋଲି ପଚାରିବାରୁ ଦାସୀ କହିଲା, “ଏଗୁଡିକ ମୋର ପୁଅଠାରୁ ଆଣିଛି ।”

         ଯୁବତୀ କହିଲା, “ଏଣିକି ଅନ୍ୟ ଦୋକାନରୁ ପୁଷ୍ପ ଓ ଗନ୍ଧଦ୍ରବ୍ୟ ନକିଣି ପ୍ରତିଦିନ ତୁମ ପୁଅର ଦୋକାନରୁ ଆଣିବ ।”

         ତେଣିକି ଦାସୀ ବ୍ରାହ୍ମଣଙ୍କଠାରୁ ପଇସା ନେଲା; କିନ୍ତୁ ବିନାବ୍ୟୟରେ ଆବଶ୍ୟକ ଦ୍ରବ୍ୟ ପୁଅଠାରୁ ଆଣି ପଇସା ସଂଚି ରଖିଲା ।

         କିଛିଦିନ ପରେ ଯୁବକ ପୀଡିତ ଥିବାର ଛଳନା କରି ଶୋଇରହିଲା । ଯଥାସମୟରେ ପୁଷ୍ପ ଓ ଗନ୍ଧମାଲ୍ୟ ପ୍ରଭୃତି ଆଣିବାକୁ ଯାଇ ଦାସୀ ଶୁଣିଲା, ଯୁବକ ପୀଡାଗ୍ରସ୍ତ । ସେ ‘ପୁଅ’ ପାଖକୁ ଯାଇ ତା’ର ପୀଡାର କାରଣ ପଚାରିଲା; କିନ୍ତୁ କିଛି ଉତ୍ତର ପାଇଲାନାହିଁ । ବହୁ ଅନୁରୋଧ ପରେ ଯୁବକ କହିଲା, “ମାଆ, ମୋର ପ୍ରାଣ ଗଲେ ସୁଦ୍ଧା ସେ କାରଣ କହିପାରିବିନାହିଁ । କହିଲେ ମଧ୍ୟ କେହି ମୋର ପୀଡା ଦୂର କରିବାର ଆଶାନାହିଁ ।”

         ଦାସୀ କହିଲା, “ମୁଁ ତୋର ମାଆ । ମାଆକୁ ନକହିବୁ ତ ଆଉ କାହାକୁ କହିବୁ? ପୀଡାର କାରଣ ଜାଣିଲେ ମୁଁ ନିଶ୍ଚୟ ତାହା ଦୂର କରିବାକୁ ଉଦ୍ୟମ କରିବି ।”

         ଏହା ଶୁଣି ଯୁବକ କହିଲା, “ମାଆ, ମୁଁ ଶୁଣିଲି ଯେ ତୁ ଯେଉଁ ଯୁବତୀ ପାଖେ ରହିଛୁ ତା’ଭଳି ସୁନ୍ଦରୀ ଜଗତରେ ନାହିଁ । ଏହା ଜାଣିଲାବେଳୁ ମୁଁ ତା’ରି କଥା ଭାବି ଭାବି ଏପରି ହୋଇଛି । ତାହା ସଂଗେ ମିଳନ ହେଲେ ମୋର ଜୀବନ ରହିବ । ନୋହିଲେ ମୋର ମରଣରେ ସନ୍ଦେହନାହିଁ ।”

         ଦାସୀ ଯୁବକକୁ ସାନ୍ତ୍ୱନା ଦେଇ କହିଲା, “ସେଥିପାଇଁ ଚିନ୍ତାର ବଶେଷ କାରଣ ନାହିଁ । ତୁମ ଦୁହିଁଙ୍କର ଯେପରି ଭେଟ ହୁଏ, ତା’ର ବ୍ୟବସ୍ଥା ମୁଁ କରିଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ