ସେଦିନ ଦାସୀ ଯୁବତୀକୁ କହିଲା, “ତୁମକୁ ମୋର ଗୋଟିଏ କଥା କହିବାର ଅଛି । ମୁଁ ଯେଉଁ ପୁଅଠାରୁ ଫୁଲ ଅତର ପ୍ରଭୃତି ଆଣେ, ସେ ତୁମର ଅପୂର୍ବ ସୌନ୍ଦର୍ଯ୍ୟ କଥା ମୋଠାରୁ ଶୁଣି ତମ ସଂଗେ ଦେଖାକରିବାକୁ ଅଧୀର ହୋଇ ପଡିଛି । ଏବେ ମୁଁ କଅଣ କରିବି?”
ଯୁବତୀ କହିଲା, “ମୁଁ ମଧ୍ୟ ତାଙ୍କ ସହିତ ଦେଖାକରିବାକୁ ଇଚ୍ଛା କରିଛି । ତୁମେ ଜାଣ, ବ୍ରାହ୍ମଣ ମୋତେ ବାହାରକୁ ଛାଡିଦେବନାହିଁ । ତେଣୁ ତୁମେ ତାଙ୍କୁ କୌଣସିମତେ ଏଠାକୁ ନେଇଆସ ।”
ଘରେ ଘରେ କଡା ପହରା । ପ୍ରତି ଦ୍ୱାରରେ ଜଣେ ଲେଖାଏଁ ସ୍ତ୍ରୀ – ଜଗୁଆଳୀ ରହିଥାନ୍ତି । କୌଣସି ଜିନିଷ ଘରୁ ବାହାରକୁ ନେଲେ, ବାହାରରୁ ଭିତରକୁ ଆସିଲେ ସେମାନେ ପରୀକ୍ଷା କରି ଦେଖନ୍ତି ।
ଦାସୀ ଗୋଟାଏ କୌଶଳ କଲା । ସେ ସବୁ ଘର ସଫା କରି ଅଳିଆଯାକ ଗୋଟିଏ ବଡ ଟୋକେଇରେ ପୂରାଇ ବାହାରକୁ ନେବାକୁ ବସିଲା । ଜଗୁଆଳୀ ସ୍ତ୍ରୀଲୋକ ଟୋକେଇରେ କଅଣ ଅଛି, ଦେଖିବାକୁ ଚାହିଁବାରୁ ସେ ଅଳିଆଯାକ ତା ମୁଣ୍ଡ ଉପରେ ଅଜାଡି ଦେଲା । କିଛିଦିନଯାଏଁ ସେସବୁ ଜଗୁଆଳିଙ୍କ ପ୍ରତି ଏହିପରି ବ୍ୟବହାର ଦେଖାଇବାରୁ ସେମାନେ ଆଉ ତା ଟୋକେଇ ପରୀକ୍ଷା କରିବାକୁ ଗଲେନାହିଁ । ଦିନେ ଏହି ସୁବିଧାରେ ସେ ଯୁବକକୁ ଗୋଟିଏ ଟୋକେଇରେ ପୂରାଇ ଯୁବତୀର ରହିବା କୋଠରିରେ ପହଁଚାଇ ଦେଲା ।
ଉପର ମହଲାରେ ଯୁବତୀର କୋଠରିରେ ରହି ଯୁବକ ତା ସହିତ କେତୋଟି ଦିନ ଆନନ୍ଦରେ କଟାଇଲା । ବ୍ରାହ୍ମଣ ପୁରୋହିତ ଯୁବତୀ ସହିତ ଥିଲାବେଳେ ଯୁବକ ଗୋଟିଏ ନିଭୃତ ସ୍ଥାନରେ ଲୁଚି ରହୁଥିଲା । କିଛିଦିନ ପରେ ଯୁବକ-ଯୁବତୀ ବିଚାର କଲେ – ଯୁବକ ଆଉ ବେଶିଦିନ ସେଠାରେ ରହିବା ନିରାପଦ ନୁହେଁ; କିନ୍ତୁ ଏଥି ପୂର୍ବରୁ ବ୍ରାହ୍ମଣଙ୍କୁ କିଛି ଶିକ୍ଷାଦେବା ଉଚିତ୍ ।
ଦିନେ ଯୁବତୀ ବ୍ରାହ୍ମଣଙ୍କୁ ବିଶେଷ ଆଦର ଦେଖାଇ କହିଲା, “ପ୍ରିୟ, ଆଜି ନାଚିବାପାଇଁ ମୋର ବିଶେଷ ଇଚ୍ଛା ହେଉଛି; କିନ୍ତୁ ତୁମେ ବଂଶୀ ବଜାଇବ । ବଂଶୀର ତାଳେ ତାଳେ ମୁଁ ନାଚିବି ।” ବ୍ରାହ୍ମଣ କହିଲେ, “ଏ ତ ଅତି ଆନନ୍ଦର ବିଷୟ । ମୁଁ ବଂଶୀ ବଜାଇବି ଓ ତୁମେ ନାଚିବ ।” ଯୁବତୀ କହିଲା, “ସେକଥା ସତ; କିନ୍ତୁ ତୁମେ ଚାହିଁରହିଥିଲେ ମୋତେ ଲଜ୍ଜା ଆସିବ । ମୁଁ ନାଚିପାରିବିନାହିଁ । ଗୋଟିଏ କଥା କରାଯାଉ । ମୁଁ ତୁମ ଆଖିରେ ଗୋଟିଏ ଲୁଗା ବାନ୍ଧି ଦେବି । ଆଖି ବନ୍ଦ ଥିଲେ ତୁମେ ମୋତେ ଦେଖି ପାରିବ ନାହିଁ । ମୁଁ ସ୍ୱଚ୍ଛନ୍ଦରେ ନାଚିବି ।”
ତାହାହିଁ କରାଗଲା । ବ୍ରାହ୍ମଣ ଆଖିରେ ଗୋଟିଏ ଲୁଗା ବନ୍ଧାହେଲା । ସେ ବଂଶୀ ଧରି ବଜାଇଲେ ଓ ଯୁବତୀ ନାଚିଲା । କିଛି ସମୟ ପରେ ଯୁବତୀ କହିଲା, “ପ୍ରିୟ, ତୁମ ମୁଣ୍ଡରେ ଗୋଟିଏ ବିଧା ମାରିବାକୁ ମୋର ମନ ହେଉଅଛି” । ‘ବ୍ରାହ୍ମଣ ସେହି ଯୁବତୀର ଏପରି ବଶ ହୋଇ ଯାଇଥିଲେ ଯେ ଏଥିରେ ସ୍ୱୀକୃତ ହୋଇ କହିଲେ, “ତୁମର କୋମଳ ହାତରେ ଗୋଟାଏ କଅଣ, ପାଂଚଟା ବିଧାରେ ସୁଦ୍ଧା ମୋର କିଛି କ୍ଷତି ହେବ ନାହିଁ ।” ଯୁବତୀ ଉକ୍ତ ଯୁବକକୁ ଠାରିଦେବାରୁ ସେ ବ୍ରାହ୍ମଣଙ୍କ ମୁଣ୍ଡରେ ପ୍ରଚଣ୍ଡ ମୁଷ୍ଟ୍ୟାଘାତ କଲା ଓ ସଂଗେ ସଂଗେ ଲୁଚିଗଲା । ଏହି ଆଘାତରେ ବ୍ରାହ୍ମଣର ମୁଣ୍ଡ ଘୂରିଗଲା । ଆଖିର ଡୋଳା ବାହାରିପଡିଲା ପରି ଲାଗିଲା । ସେ ଆକୁଳରେ କହିଲେ, “ପ୍ରିୟେ, ମୁଁ ଜାଣିନଥିଲି ଯେ ତୁମର ସେ କୋମଳ ହାତରେ ଏତେ ଶକ୍ତି ଅଛି ।”
ଯୁବତୀ ବ୍ରାହ୍ମଣଙ୍କ ମୁଖରୁ ବସ୍ତ୍ର ଖୋଲିଦେଲା; ତାଙ୍କ ମୁଣ୍ଡରେ ତେଲ ଘଷିଦେଲା । ବ୍ରାହ୍ମଣ କିଛି ସନ୍ଦେହ ନକରି ଘରୁ ବାହାରିଗଲେ । ଏଣେ ଦାସୀ ଯୁବକକୁ ପୁଣି ଟୋକେଇରେ ପୂରାଇ ବାହାରେ ଛାଡିଦେଇ ଆସିଲା । ଯୁବକ ରାଜାଙ୍କ ପାଖକୁ ଯାଇ ସମସ୍ତ ସମ୍ବାଦ ଦେଲା ।
ସେଦିନ ପୁରୋହିତ ରାଜାଙ୍କ ପାଖକୁ ଯିବାରୁ ରାଜା କହିଲେ, “ଅନେକ ଦିନ ହେଲା ପଶାଖେଳ ବନ୍ଦ ଅଛି । ଆସ, ଆଜି ଖେଳିବା ।” ବ୍ରାହ୍ମଣ ଏହି ପ୍ରସ୍ତାବରେ ସ୍ୱୀକୃତ ହୋଇ ଖେଳିବାକୁ ବସିଲେ । ରାଜା ପଶାକାଠି ଗଡାଇଲା ବେଳକୁ କହିଲେ,
ବିଧାତା ବିଧାନ ନୁହଁଇ ଆନ
ନଦୀଜଳ କରେ ନୀଚ ଗମନ;
ପରପୁରୁଷରେ ରସେ ଯୁବତୀ
ଅଛି କେଉଁ ନାରୀ ନୋହି ଅସତୀ?
ଏହା ପରେ ପରେ ପୁରୋହିତ ଆଗଭଳି କହିଲେ –
ଅଛି ଯେ ଯୁବତୀ ମୋହର ପୁରେ
ଦେଖିନାହିଁ ତାକୁ କେହି ନେତ୍ରରେ ।
ଏଥର ପୁରୋହିତଙ୍କ ଇଚ୍ଛା ଅନୁସାରେ ଦାନ ନପଡିବାରୁ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ରାଜା ତାଙ୍କର ବିସ୍ମୟ ଦେଖି କହିଲେ, “ଜଗତରେ ସବୁ ନାରୀ ସମାନ । ତୁମର ସ୍ତ୍ରୀଟି ସେଥିରେ ଅଲଗା ନୁହେଁ । ତୁମେ ମନେକରିଥିଲ, ଝିଅଟିକୁ ଜନ୍ମବେଳୁ ପାଳି ସାତପ୍ରସ୍ତ ଜଗୁଆଳୀ ଭିତରେ ରଖିଲେ ତୁମେ ତା’ର ଚରିତ୍ର ବିଷୟରେ ନିଃସନ୍ଦେହ ରହିପାରିବ । କିନ୍ତୁ ଯୁବତୀକୁ ଯେତେ ଜଗି ରଖିଲେ ମଧ୍ୟ ସେ ଜଣେ ପୁରୁଷଠାରେ ସନ୍ତୋଷ ଲାଭ କରିପାରେନାହିଁ । ତୁମ ସ୍ତ୍ରୀ ତୁମ ଆଖିରେ ଅନ୍ଧପୁଟୁଳି ବାନ୍ଧି ନାଚିବା ବାହାନାରେ ପରପୁରୁଷଦ୍ୱାରା ତୁମ ମୁଣ୍ଡରେ ବିଧା ମରାଇଲା ଓ ସେହି ଅବସରରେ ଉପପତିକୁ ବାହାରକୁ ପଠାଇଦେଲା ।”