ବ୍ରାହ୍ମଣ ଦୁଃଖରେ ଘରକୁ ଫେରିଯାଇ ସ୍ତ୍ରୀର ଆଚରଣ ନିମନ୍ତେ ତାକୁ ଭର୍ସିନା କଲେ; କିନ୍ତୁ ସେ ସବୁ କଥା ଅସ୍ୱୀକାର କରି କହିଲା, “ତୁମେ କାହାରିଠାରୁ ଏ ମିଥ୍ୟା କଥା ଶୁଣିଥିବ । ମୁଁ ସମ୍ପୁର୍ଣ୍ଣ ନିର୍ଦ୍ଧୋଶୀ । ମୋ ଛଡା ଅନ୍ୟ କେହି ତୁମ ମୁଣ୍ଡରେ ବିଧା ମାରିନାହିଁ । ଯେବେ ମୋ କଥାରେ ତୁମର ବିଶ୍ୱାସ ନଥାଏ, ତେବେ ମୁଁ ଅଗ୍ନିରେ ପ୍ରବେଶ କରି ମୋ କଥାର ସତ୍ୟତା ପ୍ରମାଣ କରାଇଦେବି ।”
ବ୍ରାହ୍ମଣ ଅଗ୍ନି ପରୀକ୍ଷା କରାଇବାକୁ ସ୍ଥିର କଲେ ।
ଏଣେ ସେ ଯୁବତୀ ତା’ର ଦାସୀକୁ କହିଲା, “ମୁଁ ଅଗ୍ନିରେ ପ୍ରବେଶ କରି ମୋର ସତୀତ୍ୱର ପ୍ରମାଣ ଦେବି ବୋଲି କହିଛି । ତୁମେ ମୋପାଇଁ ଗୋଟିଏ କାମ କରିବ । ତୁମ ପୁଅକୁ କହିବ ସେ ଆସି ଅଗ୍ନିକୁଣ୍ଡ ପାଖରେ ରହିଥିବ । ମୁଁ ଅଗ୍ନିରେ ପ୍ରବେଶ କରିବାକୁ ଗଲାବେଳକୁ ସେ ମୋର ହାତଧରି ଟାଣିଆଣିବ ।” ଦାସୀ ପୁଅ ପାଖକୁ ଯାଇ ସେହିପରି ପରାମର୍ଶ ଦେଲା ।
ଅଗ୍ନିକୁଣ୍ଡ ପ୍ରସ୍ତୁତ ହେଲା । ଶତ ଶତ ଲୋକ ଏହି ଦୃଶ୍ୟ ଦେଖିବାକୁ ରୁଣ୍ଡ ହେଲେ । ଯୁବକ ମଧ୍ୟ ସେମାନଙ୍କ ଭିତରେ ଛିଡାହୋଇ ରହିଲା ।
ଅଗ୍ନିଶିଖା ପ୍ରଜ୍ୱଳିତ ହୋଇ ଉଠିବାରୁ ଯୁବତୀ କହିଲା, “ମୋର ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷ ହସ୍ତ ଯଦି ମୋତେ ସ୍ପର୍ଶ କରିଥାଏ; ତେବେ ହେ ଅଗ୍ନିଦେବତା, ମୋତେ, ଭସ୍ମ କରିଦିଅ । ଯଦି ମୁଁ ସତୀ ହୋଇଥାଏ, ଯଦି ପରପୁରୁଷର ହସ୍ତ ମୋତେ ସ୍ପର୍ଶ କରିନଥାଏ, ତେବେ ମୁଁ ଏହି ଅଗ୍ନିପରୀକ୍ଷାରୁ ଉତୀର୍ଣ୍ଣ ହୋଇ ଆସିବି ।” ଏହା କହି ସେ ଅଗ୍ନିକୁଣ୍ଡ ଆଡକୁ ଅଗ୍ରସର ହେଲାବେଳକୁ ସେହି ଯୁବକ ସମବେତ ଦର୍ଶକମାନଙ୍କ ମଧ୍ୟରୁ ଦଉଡି ଯାଇ ତା’ର ହାତକୁ ଧରି ଟାଣି କହିଲା, “ଗୋଟାଏ ନିର୍ଲଜ୍ଜ ବ୍ରାହ୍ମଣ କଥାରେ ତୁମେ ଅଗ୍ନିରେ ଝାସ ଦେବାକୁ ଯାଉଛ? କିଏ ଏପରି ସୁନ୍ଦରୀ ଯୁବତୀ ପତ୍ନୀକୁ ଅଗ୍ନିରେ ପଶିବାକୁ କହିବ? ବ୍ରାହ୍ମଣର ମସ୍ତିଷ୍କ ବିକୃତି ଘଟିଛି ।”
ଯୁବତୀ କହିଲା, “ମୋର ପ୍ରତିଜ୍ଞା ପଣ୍ଡ ହୋଇଗଲା । ଏବେ ମୋ ପକ୍ଷରେ ଅଗ୍ନିରେ ପ୍ରବେଶ କରିବା ଅସମ୍ଭବ ।” ବ୍ରାହ୍ମଣ ପଚାରିଲେ, “କାହିଁକି?”
ଯୁବତୀ କହିଲା, “ଯେତେବେଳଯାଏଁ ମୋତେ ଅନ୍ୟ ପୁରୁଷର ହସ୍ତ ସ୍ପର୍ଶ କରିନଥିଲା, ସେତେବେଳ ପର୍ଯ୍ୟନ୍ତ ଅଗ୍ନି ମୋର କିଛି କ୍ଷତି କରିନଥାନ୍ତା । ମୁଁ ଅଗ୍ନି ମଧ୍ୟରୁ ଶୁଦ୍ଧ ସୁବର୍ଣ୍ଣ ପରି ବାହାରି ଆସିଥାନ୍ତି, ସମସ୍ତେ ମୋ ସତୀତ୍ୱର ପରିଚୟ ସ୍ୱଚକ୍ଷୁରେ ଦେଖିଥାନ୍ତେ । କିନ୍ତୁ କାହୁଁ ଜଣେ ଯୁବକ ମୋର ହସ୍ତ ଧରି ସବୁ ପଣ୍ଡ କରିଦେଲା ।”
ପୁରୋହିତ ଏବେ ଯୁବତୀର କୌଶଳ ବୁଝିପାରିଲେ । ଲୋକେ ଯୁବତୀର ସତୀତ୍ୱ ବିଷୟରେ ଯେତେ ପ୍ରଶଂସା କଲେହେଁ ବ୍ରାହ୍ମଣ ତାହାର ବିଶ୍ୱାସ କଲେନାହିଁ । ସେ ଯୁବତୀକୁ ଗୃହରୁ ବିତାଡିତ କରିଦେଲେ ।
ନାରୀମାନଙ୍କର ଚରିତ୍ର ଅଦ୍ଭୁତ । ନିଜର ପତିକୁ ପ୍ରତାରିତ କରିବାପାଇଁ ସେମାନେ ଯେକୌଣସି ପାପ କରିପାରନ୍ତି, ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ୍ୟ ବୋଲି ପ୍ରତିପନ୍ନ କରାଇବା ସେମାନଙ୍କ ପକ୍ଷରେ ଅକିଂଚିତ୍କର ବ୍ୟାପାର ।