ଥରେ ଓଧଟିଏ ପାଣିରେ ବୁଡି ବୁଡି ମାଛ ଖାଉଥିଲା । କିଆବୁଦାମୂଳରେ ଥିବା ବଣଭୁଆଟିଏ ଏହା ଦେଖିଲା । ତା’ର ବି ମାଛ ଖାଇବାକୁ ପାଟିରୁ ଲାଳ ଗଡିଲା । ହେଲେ ସେ ଖାଇବ କେମିତି । ତାକୁ ତ ପାଣିରେ ଭଲ ବୁଡିଆସେନି । ଏପରି କଲେ ମରିଯିବା ସାରହେବ ସିନା ।
ବଣଭୁଆଟି ଯେମିତି ଚତୁର ସେମିତି ଠକ ବି ଥିଲା । ସେ ଏକ ଉପାୟ ପାଂଚିଲା କେମିତି ହେଲେ ଓଧ ହାତରୁ ମାଛଟିଏ ପାଇବ ବୋଲି ।
ଏବେ ବଣଭୁଆ ଓଧକୁ ଚାହିଁ କହିଲା, “ଆରେ ହେ ଦୁଷ୍ଟ ଓଧ, ତୁ କ’ଣ ଜାଣି ନାହୁଁ ଯେ ଏଇ ବଣୁଆ ନଈଟି ବାଘ ମହାରାଜଙ୍କର ବୋଲି । ଆଉ ବି ଜାଣିନାହୁଁ ମୁଁ ତାଙ୍କର ସାନଭାଇ ଏ ନଈକୁ ଜଗିଛି? ଯଦି ତୋର ବିଶ୍ୱାସ ହେଉନି ମୋତେ ଆଖି ପୂରେଇ ଦେଖ, ବାଘ ମହାରାଜଙ୍କ ଚେହେରା ସହିତ ମୋ ଚେହେରା ମିଶୁଛି ନା ନାହିଁ । ଏବେ ମୁଁ ଯାଉଛି ଏକଥା ବାଘମହାରାଜଙ୍କୁ କହି ତୋର ମୁଣ୍ଡକାଟ କରିଦେବି ।”
ବଣଭୁଆଠାରୁ ଏଭଳି କଥା ଶୁଣି ଓଧ ଠୋ’ ଠୋ’ ହୋଇ ହସିବାକୁ ଲାଗିଲା । ସେ ଭଲଭାବରେ ଜାଣିଥିଲା ବଣଭୁଆ କେବଳ ମାଛ ଖାଇବ ବୋଲି ଏଭଳି ଫନ୍ଦି ଫିକର ଭିଆଇଛି । ଏହା ଭାବି ସେ ନୀରବ ରହିଲା ।