ଏଥର ବଣଭୁଆ ଅତି ନରମ ଗଳାରେ କହିଲା, “ଓଧ ଭାଇରେ, ମୁଁ ଅସଲ କଥାଟି କହିଦେଲି ବୋଲି ଭୟରେ କଥା କହୁ ନାହୁଁକି? ମୁଁ ଥାଉ ଥାଉ ତୋତେ ଡର କ’ଣ? ହେଲେ ମୋତେ ମାଛଟିଏ ଦେଇଦେଲେ ମୁଁ ଏକଥା ରାଜାଙ୍କୁ କହିବି ନାହିଁ ।” ମୋର ପେଟ ପାଇଁ ତ ଚାକିରି କରିଛି, ପେଟ ପୂରିଗଲେ ଗଲା ।
ଓଧଟି ବଣଭୁଆଠାରୁ ଅଧିକ ଚାଲାକ୍ ଥିଲା । ସେ ମନେ ମନେ ଭାବିଲା, ଦୁଷ୍ଟ ବଣଭୁଆଟା ମୋତେ ମିଛ ଧମକ ଦେଇ ଲାଂଚ ମାଗୁଛି । ସୁତରାଂ ତାକୁ ଭଲ କରି ପାନେ ଦେବି ଯେ ତା’ର ମନେ ପଡୁଥିବ । ଏହା ମନରେ ଚିନ୍ତାକରି ଓଧ ମଝି ନଈକୁ ଚାଲିଯାଇ ପୁଣି କହିଲା, “ଆରେ ବଣଭୁଆ ଭାଇ, ବାଘ ମହାରାଜା ମାଛ ଖାଇବେ ବୋଲି କାହିଁକି ମନ କରିଛନ୍ତି? ସୁତରାଂ ମୋତେ ମାଛ ଧରି ପଠାଇ ଦେବା ପାଇଁ ଖବର ପଠେଇଛନ୍ତି । ତେଣୁ ମୁଁ ମାଛ ଧରିବାରେ ଲାଗିଛି । ଦେଖୁନ କିପରି ପାଣିରେ ଥରକୁ ଥର ବୁଡି ବଡ ମାଛ କେଉଁଠି ଅଛନ୍ତି ଖୋଜୁଛି? ମୁଁ ଗୋଟିଏ ବଡ ରୋହିମାଛ ଧରି ଦେଇଛି ଯେ, ତାକୁ ଉପରକୁ ଟାଣି ଆଣି ପାରୁନି । ତୁମେ ଯଦି ମୋ ପାଖକୁ ଆସି ମୋତେ ସାହାଯ୍ୟ କରିଦିଅନ୍ତ ତେବେ ଦୁହେଁ ମିଶି ତାକୁ କୂଳକୁ ଟାଣି ଆଣନ୍ତେ । ପ୍ରଥମେ ପେଟପୂରା ଖାଇ ସାରିଲା ପରେ ବାଘ ମହାରାଜାଙ୍କ କଥା ବୁଝନ୍ତେ । ଭାରି ବଡ ମଞ୍ଜି ଲଗା ମାଛଟା, ଭାରି ସୁଆଦ ଲାଗିବ ।”
ଏବେ ମଞ୍ଜିଲଗା ମାଛ କଥା ଶୁଣି ବଣଭୁଆ ପାଟିରୁ ଲାଳ ଗଡିଲା, ମାଛ ଲୋଭରେ ସେ ଏକାବେଳକେ ଅଥୟ ହୋଇଗଲା ଯେ, ତାର ବୁଦ୍ଧି ହଜିଗଲା । ସେ ଭଲ ମନ୍ଦ କିଛି ଜାଣି ପାରିଲା ନାହିଁ । ବେଶୀ ସମୟ ଓଧ ଭଳି ପାଣିରେ ରହି ନ ପାରୁ ଥିଲେ ବି ଓଧ କଥାରେ ବିଶ୍ୱାସ କରି ଖପ୍ କିନା ପାଣି ଭିତରକୁ ଡେଇଁ ପଡିଲା । ପାଣି ସୁଅରେ ସେ କୁଆଡେ ହଜିଗଲା ତା’ର ପତା ମିଳିଲା ନାହିଁ । ବଣଭୁଆ ନିଜକୁ ଅତି ସିଆଣିଆ ଭାବି ଏବେ ତିନି ପାଞ୍ଜିରୁ ଗଲା ।
ଏଥିରୁ ଶିକ୍ଷା ମିଳେ – ଯିଏ ନିଜକୁ ଅଧିକ ଚତୁର ମନେକରେ, ମିଛ କଥା କହେ, ଅନ୍ୟକୁ ଠକିବାକୁ ଚେଷ୍ଟାକରେ, ଲୋଭକରି ବସେ – ଶେଷରେ ସେ ବଣଭୁଆ ଭଳି ଦୁର୍ଦ୍ଧଶା ଭୋଗ କରେ ।