ବାଘ ସେଇଦିନ ଠାରୁ ଗଛ ଆଢୁଆଳରେ ଲୁଚି କରି ବସିଥାଏ ହରିଣ କି ଠେକୁଆ କିଛି ଗୋଟାଏ ଦେଖିଲେ ତାକୁ ସେ ମାରିଦିଏ । ଖାଇ ଖାଇ ଯାହା ଅବଶିଷ୍ଟ ଛାଡିଯାଏ ବିଲୁଆ ତାକୁ ଖାଏ । ଏମିତି କିଛି ଦିନ ଚାଲିଗଲା । ଫଳରେ ଜଙ୍ଗଲର ବହୁତ ଜୀବଜନ୍ତୁ ବାଘ ହାବୁଡରେ ପଡି ନିଜ ପ୍ରାଣ ହରାଇଲେ । ଏଇ କଥାଟା ଜଙ୍ଗଲ ଭିତରେ ପ୍ରଚାର ହୋଇଗଲା । ତେଣୁ ଜୀବଜନ୍ତୁମାନେ ଏଇ ପୋଖରୀ କୂଳକୁ ଆଉ ନ ଆସି ଅନ୍ୟ କେଉଁଠିକୁ ପାଣି ପିଇବାକୁ ଗଲେ । ଏଣେ ଏ ବାଘ ସକାଳୁ ସଂଜଯାଏଁ ଗଛ ଉହାଡରେ ବସି ବସି କାହାରିକୁ ବି ଆଉ ଦେଖି ପାରିଲା ନାହିଁ ।
ଦିନେ ରାଜାଙ୍କର ଗୋଟିଏ ଘୋଡା ଜଙ୍ଗଲ ଭିତରେ ଚରୁ ଚରୁ ହଠାତ୍ ବାଟ ବଣା ହୋଇଗଲା । ତେଣୁ ସେ ଜଙ୍ଗଲ ଭିତରେ ବୁଲୁଥାଏ । ରାଜାଙ୍କ ଉଆସକୁ ଯିବାକୁ ବାଟ ମୋଟେ ସେ ପାଉ ନ ଥାଏ । ଘୋଡା ହଜିଛି ବୋଲି ସେ ରଜାଙ୍କର ୨ ଜଣ ସୈନ୍ୟ ବନ୍ଧୁକ ଧରି ଜଙ୍ଗଲ ଭିତରେ ଖୋଜୁଥା’ନ୍ତି ।
ଦିନେ ସକାଳୁ ସକାଳୁ ଘୋଡା ସହିତ ବିଲୁଆର ଭେଟ ହେଲା । ବିଲୁଆ ପଚାରିଲା ଭାଇ ତମେ କେଉଁଠି ରହୁଛ? ଘୋଡା କହିଲା ମୋର ରହିବାର ଘର ନାହିଁ ତେଣୁ ମୁଁ ବଣରେ ବୁଲି ଘାସ ଖାଉଛି । ରାତି ହେଲେ ଗଛମୂଳେ ଶୋଉଛି ।
ବିଲୁଆ କହିଲା ଜଙ୍ଗଲ ଭିତରେ ଏମିତି ଗୋଟେ ଜାଗା ଅଛି ସେଠି ତମେ ପହଁଚିଗଲେ ଭାରି ଖୁସି ହୋଇଯିବ । ସେଠାରେ ଘାସ ପ୍ରଚୁର ହୋଇଛି । ପିଇବା ପାଇଁ ବିରାଟ ପୋଖରୀ ରହିଛି । ପୋଖରୀ କୂଳରେ ବଡ ବଡ ଗଛ । ଗଛ ଛାଇରେ ତୁମେ ଆରାମରେ ଶୋଇ ପାରିବ । ଆସ ମୋ ସାଙ୍ଗରେ ତୁମକୁ ସେ ଜାଗା ଦେଖାଇ ଦେବି ।
ଘୋଡା ଘାସ ଖାଇବା ଲୋଭରେ ବିଲୁଆ ସାଙ୍ଗରେ ସେହି ସ୍ଥାନକୁ ଗଲା । ସେଠାରେ ଘାସ ପଡିଆ ଦେଖି ଘୋଡା ଭାରି ଖୁସି ହୋଇଗଲା । ଦିନେ ଦୁଇଦିନ ସେଠାରେ ସେ ଘୋଡା ବେଶ୍ ମଜାରେ ଚରିଲା । ରଜାଙ୍କର ସୈନ୍ୟ ଦୁଇଜଣ ଘୋଡାକୁ ଖୋଜି ଖୋଜି ଆସି ସେହି ପୋଖରୀ କୂଳରେ ପହଁଚିଲେ । ରାତି ହୋଇଯିବାରୁ ସେମାନେ ଗଛ ଡାଳରେ ଆଶ୍ରୟ ନେଲେ । ଭୋର ହେଲାବେଳକୁ ଦେଖିଲେ ତାଙ୍କରି ଗଛ ତଳେ ମହାବଳ ବାଘଟାଏ ତାଙ୍କୁ ଅନେଇ ଶୋଇଛି । ମଝିରେ ମଝିରେ ଉପରକୁ ଚାହୁଁଛି ସେ ଭାବୁଛି ଲୋକ ଦୁଇଜଣ ଗଛରୁ ଓହ୍ଲାଇଲେ ସେ ଆକ୍ରମଣ କରି ତାଙ୍କୁ ମାରିଦେବ । ସେତେବେଳେ ତ ସେ ସୈନ୍ୟଙ୍କ ହାତରେ ଥାଏ ବନ୍ଧୁକ । ସେମାନେ ଦେଖିଲେ ଗଛମୂଳେ ବାଘ ଶୋଇଛି ତାକୁ ନ ମାରି ଛାଡୁଛି କିଏ । ସେମାନେ ବାଘକୁ ଲକ୍ଷ୍ୟ କରି ଗୁଳି ଫୁଟେଇଲେ । ଗୁଳି ଶବ୍ଦ ଶୁଣିବା ମାତ୍ରେ ବାଘ ଡିଆଁ ଟାଏ ମାରି ଜଙ୍ଗଲ ଭିତରକୁ ପଳେଇ ଗଲା । ଗୁଳିଟା ଯାଇ ବାଜିଲା ସେଇ ଚତୁର ବିଲୁଆ ଦେହରେ । ସେ ଛଟପଟ ହୋଇ ସେଠାରେ ମଲା ।
ସୈନ୍ୟମାନେ ଗଛରୁ ଓହ୍ଲାଇ ଦେଖନ୍ତିତ ତାଙ୍କର ପରିଚିତ ଘୋଡାଟି ଅଳ୍ପଦୂରରେ ଘାସ ଚରୁଛି । ସେହି ଶୈନ୍ୟମାନେ ଘୋଡାକୁ ଧରି ରାଜ ଉଆସକୁ ଫେରିଆସିଲେ । ବିଲୁଆ ଅନ୍ୟକୁ ମାରିବା ପାଇଁ ଚେଷ୍ଟା କରି ଶେଷରେ ନିଜେ ପ୍ରାଣ ହରାଇଲା ।