କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।
ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, “ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ ଏତେ ଚିନ୍ତା କରିବା ଠିକ୍ ନୁହେଁ ।”
ଏକଥା ଲୁଚି ରହି ସୈତାନ୍ ଟିଏ ଶୁଣୁଥିଲା । ଈଶ୍ୱରଙ୍କ କାର୍ଯ୍ୟକୁ ବିଫଳ କରାଇବା ଥିଲା ସୈତାନର ଚିନ୍ତା । ସୁତରାଂ ମଣିଷ ଈଶ୍ୱରଙ୍କ ନିକଟରୁ ନିରାଶ ହୋଇ ଫେରିବା ବେଳେ ସୈତାନ୍ ବାଟରେ ଅଟକାଇ କହିଲା, “ହେ ମଣିଷ ଭାଇ! ତୁ ଜିଭ ଚାହୁଁଛୁ ନା, ମୁଁ ତୋତେ ଜିଭଟିଏ ଦେବି । ତୁ କାଳେ ଜିଭ ପାଇଲେ ଈଶ୍ୱରଙ୍କ ସହିତ ଯୁକ୍ତିତର୍କ କରି ଟକ୍କର ଦେବୁ, ସେଇଥିପାଇଁ କପଟ କରି ତୋତେ ଜିଭ ଦେଇ ନାହାନ୍ତି । ଏବେ ଈଶ୍ୱରଙ୍କର ଅକଲ ଗୁଡୁମ୍ କରିବା ଚାଲ ।”
ମଣିଷ ଏବେ ସୈତାନ୍ ର ଫନ୍ଦି ଫିକର ଜାଣି ପାରିଲା ନାହିଁ । ସେ ସୈତାନ୍ କଥାରେ ଭଳିଗଲା । ସୈତାନ ତହୁଁ ନିଜ ଆଖିରୁ ଅଗ୍ନି ସୃଷ୍ଟିକରି ସେଥିରୁ ଜିଭଟିଏ ବାହାର କଲା । ତାକୁ ମଣିଷ ପାଟିରେ ଲଗାଇଦେଲା ।