କୌଣସି ଏକ ଗ୍ରାମରେ ଜଣେ ଦୁଷ୍ଟ ଜମିଦାର ଥିଲା । ସେ କୌଣସି ଭୀକାରୀକୁ ତା’ ଘର ନିକଟକୁ ଆସିବାକୁ ମଧ୍ୟ ଦେଉ ନଥିଲା; ଯଦି କେହି ଭୁଲ୍ରେ ଆସିଯାଏ ତ ତାକୁ କୁକୁର ଲଗାଇ ସେ ତଡି ଦେଉଥିଲା ।
ଥରେ ସେ ଅଂଚଳରେ ଦୁର୍ଭିକ୍ଷ ପଡିଲା । ସେ କରାଳ ଦୁର୍ଭିକ୍ଷ ସମୟରେ ଅନେକ ମଣିଷ, ଗୋରୁଗାଈ ମଲେ । ଲୋକେ ଜାଣିଥିଲେ ଯେ ଜମିଦାରର ଭଣ୍ଡାର ଘରେ ବହୁତ ଧାନ ଚାଉଳ ଅଛି; ତେଣୁ ସେମାନେ ଜମିଦାରକୁ ସେଥିରୁ କିଛି ବିକିବାକୁ ଅନେକ ଅନୁରୋଧ କଲେ, ହେଲେ ତା’ର ହୃଦୟ କେଉଁଥିରେ ହେଲେ ବି ତରଳିଲା ନାହିଁ । ଲୋକେ ଦୁଃଖରେ ନିରାଶ ହୋଇ ଫେରିଲେ ।
ଏସବୁ କଥା ଶୁଣି ଚାଙ୍ଗ୍ ନାମକ ଏକ ଯୁବକ ତା’ ମନେ ମନେ ସ୍ଥିର କଲା ଯେମିତି ହେଲେ ଜମିଦାରଠାରୁ ଧାନ ଚାଉଳ ସେ ଆଣିବ । ସେ ତା’ ମନେ ମନେ ନାନା ଉପାୟ ପାଂଚିଲା । କିଛି ସମୟ ପରେ ଦେଖାଗଲା ଜମିଦାରର ବଗିଚାରେ ଚାଙ୍ଗ୍ ଯାଇ ଗୋଟିଏ ଘନ ପତ୍ରଗହଳ ଗଛ ଭିତରକୁ ଚାହିଁ ଚାହିଁ କିଛି ଦେଖୁଛି ।
ଜମିଦାର ତାଙ୍କ ଝରକାରୁ ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା, ଚାଙ୍ଗ୍କୁ ସେ ଦେଖିବାକୁ ପାଇଲା । ସେ ଚିତ୍କାର କରି କହିଲା, “ତୁମେ କିଏ? ଏଠି ମୋ ବଗିଚାରେ କ’ଣ କରୁଛ? ହେଇ, ତୁମେ କାଲା ନା କ’ଣ? ମୁଁ ପଚାରୁଛି ଏଠାରେ ତୁମର କି କାମ?”
ଚାଙ୍ଗ୍ କହିଲା “କିଛି ନୁହେଁ । ଗୋଟିଏ ପକ୍ଷୀ ବସା ଖୋଜୁଛି । ଗତକାଲି ମୁଁ ଦୂରରୁ ଦେଖିଥିଲି ଏହି ଗଛରେ ଗୋଟିଏ ଅଗ୍ନିପକ୍ଷୀ ବସିଥିଲା । ଯଦି ଏଠାରେ ତା’ର ନୀଡ ଥାଏ ତ ଯାଦୁବୁଟି ଏଠାରୁ ନିଶ୍ଚୟ ମିଳିବ । ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ।” ଚାଙ୍ଗ୍ ପୁଣି ଗଛ ଉପରକୁ ଚାହିଁଦେଇ କହିଲା, “ବାଃ ଏଇତ ଅଗ୍ନିପକ୍ଷୀର ନୀଡ ।”
ଜମିଦାର କହିଲା “ଯାଦୁବୁଟି? ସେ ପୁଣି କ’ଣ? ମୁଁ ତ ଏ ବିଷୟରେ କାହିଁ କିଛିବି ଜାଣିନାହିଁ?”
ଚାଙ୍ଗ୍ କହିଲା, “ତାହା ଏକ ଅପୂର୍ବ ଗଛର ଚେର । ସେଥିରେ ହଜାର ବର୍ଷରେ ଥରେ ଫୁଲ ଫୁଟେ । ପୁଣି ହଜାର ବର୍ଷ ପରେ ଏଥିରେ ଫଳ ଫଳେ । ଏହାର ଛୋଟ ଡାଙ୍ଗ ବା ଚେର ଖଣ୍ଡେ ମିଳିଲେ ମଧ୍ୟ କାମ ଚଳିବ । ତଦ୍ୱାରା ଅଦ୍ଭୁତ କାମ ସବୁ ହୋଇ ପାରିବ ।”
ଜମିଦାର ପଚାରିଲା “ଅଦ୍ଭୁତ କାମ? କିପରି?”
“ପ୍ରଥମ ଅଦ୍ଭୁତ ଶକ୍ତି ହେଲା, ସେ ଖଣ୍ଡିକ ମୁଣ୍ଡରେ ଗୁଞ୍ଜିଦେଲେ ମୁଁ ଅଦୃଶ୍ୟ ହୋଇଯିବି । ତା’ପରେ ମୋର ଯାହା ଇଚ୍ଛା ମୁଁ ତାହା କରିବି । ଆଉ ଦ୍ୱିତୀୟ ଶକ୍ତି – ” ଚାଙ୍ଗ୍ ଆଉ କିଛି କହିବା ପୂର୍ବରୁ ଜମିଦାର କହିଲା, “ଯାଅ, ପ୍ରଥମେ ତୁମେ ଏଠାରୁ ଚାଲିଯାଅ ।” ଚାଙ୍ଗ୍ ଚାରିଆଡକୁ ଚାହିଁ କହିଲା, “ଏଠାରେ ତ କେହି ନାହିଁ, ଆପଣ କାହାକୁ ରାଗୁଛନ୍ତି?”
ଜମିଦାର ଚିତ୍କାର କରି କର୍କଶ ସ୍ୱରରେ କହିଲା, “ମୁଁ ତୁମକୁହିଁ ଏଠାରୁ ଚାଲିଯିବାକୁ କହୁଛି; ଏ ବଗିଚା ମୋର ଓ ସେହି ଅଦୃଶ୍ୟକାରୀ ଜଡିବୁଟି ମଧ୍ୟ ମୋର ।”
“ଓ ଏପରି କଥା? ମୁଁ ସେ ପକ୍ଷୀ ନୀଡ ଆବିଷ୍କାର କରିଛି, ମୁଁ ହିଁ ତାହାକୁ ନଷ୍ଟ କରି ଦେବି ।” ଏତିକି କହୁ କହୁ ଚାଙ୍ଗ୍ ଗଛ ଉପରକୁ ସିଧା ଉଠିଗଲା ।
ଜମିଦାର କହିଲା, “ରୁହ, ମୋ କଥା ଶୁଣ । ମୁଁ ତୁମକୁ ପଚାଶଟି ମୋହର ଦେବି, ତମେ ସେଠାରୁ ପଳାଅ ।”
“ଏଡେ ଅଦ୍ଭୁତ ଜିନିଷ ମୁଁ ପୁଣି ତୁମକୁ ଏତେ ଶସ୍ତାରେ ବିକିବି?” ଏବେ ସେ ଜମିଦାର ଅଧିକ ମୋହର ଦେବାକୁ ରାଜି ହେଲା ।
ଚାଙ୍ଗ୍ କହିଲା, “ମୋର ଧନ ଆଦୌ ଦରକାର ନାହିଁ । ସେହି ମୂଲ୍ୟରେ ଧାନବସ୍ତା ଓ ଚାଉଳ ବସ୍ତା ସବୁ ଦିଅ । ତେବେ ଯାଇ ମୁଁ ଏହି ନୀଡଟିକୁ ନଛୁଇଁ ଏଠାରୁ ଚାଲିଯିବି ।”
ଜମିଦାର ନୀରବ ହୋଇ ମାନି ନେଲା । ଚାଙ୍ଗ୍ ପଚାଶ ବସ୍ତା ଧାନ ଓ ଚାଉଳ ନେଇ ଗ୍ରାମ ଲୋକଙ୍କ ମଧ୍ୟରେ ସେତକ ବାଂଟିଦେଲା । ତା’ପରେ ଜମିଦାର ଚାକର ଦ୍ୱାରା ନୀଡଟିକୁ ଭାଙ୍ଗି ଆଣିଲା ଓ ସେଇଟିକୁ ହାତରେ ଧରି ନିଜ ସ୍ତ୍ରୀ ପାଖରେ ଯାଇ ପହଁଚି କହିଲା, “ଆଜି କ’ଣ ହୋଇଛି ଜାଣ?”
ସ୍ତ୍ରୀ କହିଲା “ମୁଁ ବା କିପରି ଜାଣିବି ଭଲା?”
ଜମିଦାର କହିଲା “ଏସବୁ ସତରେ ତୁମେ କୁଆଡୁ ଜାଣିବ? ଏହି ନୀଡ ମଧ୍ୟରେ ମୁଁ ଯାଦୁର ଏକ ବୁଟି ପାଇଛି । ଏହାଦ୍ୱାରା ମୁଁ ଅଧିକ ପଇସା ରୋଜଗାର କରିବି ।”
ପକ୍ଷୀ ନୀଡଟିକୁ ଦେଖି ସ୍ତ୍ରୀ ପଚାରିଲା, “ଏଇଟି କ’ଣ ଯାଦୁବଟି?” ସେ ସେଥିରେ ଥିବା ଶୁଖିଲା ଘାସ କୁଟାକାଠି ଛଡା ଆଉ କିଛିବି ଦେଖିପାରିଲା ନାହିଁ ।
ଜମିଦାର କହିଲା “ଏହାରି ଭିତରେ ଯାଦୁର ବୁଟି ଅଛି । ସେଥିରୁ ତାକୁ ଖୋଜି ବାହାର କରିବା ହେଲା ଆମର କାମ ।”
ଜମିଦାର ଗୋଟିଏ ପରେ ଗୋଟିଏ କାଠି ନିଜ ମୁଣ୍ଡରେ ରଖି ସ୍ତ୍ରୀକୁ ପଚାରୁଥାଏ, “କ’ଣ ତମେ ମୋତେ ଦେଖିପାରୁଛ?” ସ୍ତ୍ରୀ କହୁଥାଏ, “ହଁ ଭଲ ଭାବରେ ତ ଦେଖି ପାରୁଛି ।”ବାରମ୍ବାର ଏମିତି ପଚାରିବାରୁ ଶେଷରେ ସେ ବିରକ୍ତ ହୋଇ କହିଲା, “କିଛି ଦିଶୁନି, ଏବେ ତମେ ଯାଅ ।” ମୂର୍ଖ ଜମିଦାର ବୁଝିଲା ଯେ ଏଥର ତା’ ମୁଣ୍ଡ ଉପରେ ଥିବା କାଠିଟି ଯାଦୁକାଠି ଆଉ ସେ ଅଦୃଶ୍ୟ ହୋଇଯାଇଛି । ତା’ପରେ ସେ ବାହାରକୁ ଗଲା ।
ପ୍ରଥମେ ଦେଖିଲା ଦୋକାନରେ ଗରମ କଚୁରୀ ଓ ଜିଲେବି ତିଆରି ହୋଇ ରଖା ହୋଇଛି; ସେ ସେଠାରେ ବସି ପେଟଭରି ଖାଇଲା । ଜମିଦାରର ଏପରି ବ୍ୟବହାର ଦେଖି ଦୋକାନୀ କିଛି କହିଲା ନାହିଁ । ଭାବିଲା ପଇସା ଆଜି ନ ଦେଲେ କାଲି ଦେବେ । କିନ୍ତୁ ଜମିଦାର ଭାବୁଛି ଦୋକାନୀ ତାକୁ ମୋଟେ ଦେଖି ପାରୁନାହିଁ ବୋଲି ପଇସା ମାଗିଲା ନାହିଁ । ଜମିଦାର ବହୁତ ଖୁସି ହୋଇ ଯାଇ ଭାବିଲା, “ଯାଏ ଆଉ କେଉଁଠି କିଛି ଏମିତି କାମ କରେ ମଜା ହେବ ।”
ଅନ୍ୟ ଏକ ସ୍ଥାନରେ ଦୋକାନୀ ତା’ ଦୋକାନ ବନ୍ଦ କରିବାକୁ ଯାଉଛି । ରେଜା ସବୁ ଗଣି ଗଣି ଥାକ ଥାକ କରି ସେ ରଖିଛି । ତାକୁ ସବୁ ଦେଖି ଜମିଦାରର ଭାରି ଲୋଭ ହେଲା । ଜମିଦାର ସେଠାକୁ ଯାଇ ଦୁଇହାତରେ ପଇସା ସବୁ ଉଠାଇ ନେଇ ଥଳୀରେ ପୁରାଇଲା, ଭାବିଲା ସେ ତ ଅଦୃଶ୍ୟ, କେହି ଦେଖିପାରୁ ନାହାଁନ୍ତି । ଦୋକାନୀ ଜମିଦାରର ଏପରି ବୁଦ୍ଧି ଦେଖି ତା’ ହାତକୁ ମାଡିବସି “ଚୋର” “ଚୋର” କରି ଚିତ୍କାର କଲା । ଆଖପାଖର ଦୋକାନୀମାନେ ଆସି ସେହି ଜମିଦାରକୁ ଯଥେଚ୍ଛା ପିଟିଲେ । ମାଡ ଖାଇ କୌଣସି ମତେ ପଡି ଉଠି ସେ ଦୌଡି ଦୌଡି ଯାଇ ତା’ ଘରେ ପହଁଚିଲା ।”