ରାଜା ବଣିକଙ୍କ କଥାରେ ପରତେ ଯିବେ କି ନା ଭାବୁଛନ୍ତି, ମନ୍ତ୍ରୀ କହିଲେ, “ଆଚ୍ଛା, ଉଦ୍ଭାବକ ମହାଶୟ, ଆପଣ ଏହା ରାଜାଙ୍କ ଜିମା ରଖିଯା’ନ୍ତୁ । ରାଜା ଆଜି ଗସ୍ତରେ ଯିବେ । ସୁଯୋଗ ପାଇଲେ ଏହା ପରୀକ୍ଷା କରିବେ । ତିନିଦିନ ଛାଡି ଆସନ୍ତୁ ।”
ବଣିକ ରାଜି ହୋଇ ଚାଲିଗଲେ । ସେଦିନ ଉପରଓଳି ରାଜାଙ୍କର ତାଙ୍କ ରାଜ୍ୟର ଗୋଟିଏ ବଣୁଆ ମୂଲକକୁ ଯିବାର ଥିଲା । ବଣ ପାଖରେ ଥିବା କୋଠିରେ ସେ ରାତ୍ରି ଯାପନ କଲେ । ପରଦିନ ବଣକୁ ଗଲେ ଶୀକାର ବେଳେ ସେହି ନଳୀଟି ବ୍ୟବହାର କରିବେ ବୋଲି ସେ ଭାବିଥିଲେ । ନଳୀଟି ପାଖରେ ରଖି ସେ ଶୋଇଥାନ୍ତି, କିନ୍ତୁ ତାଙ୍କୁ ସେଠାରେ ଆଦୌ ନିଦ ଆସୁ ନଥାଏ । ହଠାତ୍ ମଝି ରାତିରେ କେହି ଜଣେ କୋଠିରେ ପଶିବାର ଅନୁଭବ କରି ସେ ଅନାଇଲେ । ଦେଖିବା ବେଳକୁ ମୁହଁ ଲୁଚାଇ ଦୁଇଜଣ ଲୋକ ତାଙ୍କ ଆଡେ ଅଗ୍ରସର ହେଉଛନ୍ତି । ରାଜା ପ୍ରଶ୍ନ କଲେ “କିଏ?” ସଙ୍ଗେ ସଙ୍ଗେ ସେ ଲୋକ ଦୁଇଟି ଛୁରୀ ବାହାର କଲେ । ଏଣେ ରାଜା ନଳୀଟି ଉଠାଇ ନେଇ ସେ ଦୁହିଁଙ୍କୁ ପର ପର ଲକ୍ଷ୍ୟ କରି ଦୁଇଥର ଅଙ୍ଗୁଳି ଚିପି ଛାଡିଦେଲେ । ଫଳରେ ସେ ଦୁଇଜଣଯାକ ତଳେ ପଡିଗଲେ । ଅନ୍ୟ କୋଠରୀରୁ ପାତ୍ରମିତ୍ରମାନେ ଦୌଡି ଆସିଲେ । ଦେଖିବା ବେଳକୁ ସେ ଦୁଇଜଣ ହେଉଛନ୍ତି ରାଜାଙ୍କ ଦେହରକ୍ଷୀ । ମଧୁଗଡ ରାଜ୍ୟର ରାଜାଙ୍କଠୁଁ ଉତ୍କୋଚ ନେଇ ରାଜାଙ୍କୁ ମାରି ଦେବାକୁ ସେମାନେ ଉଦ୍ୟତ ହେଉଥିଲେ ।
ରାଜା ସେ ଅଦ୍ଭୁତ ନଳୀର ଏଭଳି କରାମତି ଦେଖି ଅତ୍ୟନ୍ତ ମୁଗ୍ଧ ହେଲେ । ସେ ପରଦିନ ରାଜଧାନୀକୁ ଫେରିଗଲେ ଓ ବଣିକଙ୍କୁ ଡକାଇ ତାଙ୍କୁ ବହୁତ ସମ୍ମାନ ଓ ପୁରସ୍କାର ମଧ୍ୟ ଦେଲେ ।
ବଣିକ କହିଲେ “ମହାରାଜ, ପୁରସ୍କାର ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏଭଳି ଅସ୍ତ୍ର ଯଦି ଆପଣଙ୍କ ରାଜ୍ୟରେ ହଜାରେ ବା ଦୁଇହଜାର ରହିବ, ତେବେ କୌଣସି ବି ଶତ୍ରୁ ଆପଣଙ୍କ ରାଜ୍ୟ ଆକ୍ରମଣ କରିବାକୁ କେବେବି ସାହସ କରିବ ନାହିଁ । ଆପଣ ବ୍ୟବସ୍ଥା କଲେ ମୁଁ ଏହିଠାରେ ଏହାର କାରଖାନା କରିବି ଓ ବିପୁଳ ଅସ୍ତ୍ର ଯୋଗାଇ ଦେବି । ଏହା ତ ନିଶ୍ଚୟ ବ୍ୟୟସାପେକ୍ଷ । କିନ୍ତୁ ଏହାର ଉପକାର ଅପରିସୀମ ବୋଲି ଆପଣ ବୁଝୁଥିବେ ।”
ରାଜା ଏଥିରେ ଉତ୍ସାହିତ ହୋଇ କିଛି କହିବାକୁ ଯାଉଥିଲେ । କିନ୍ତୁ ମନ୍ତ୍ରୀ ହଠାତ୍ ସେହି ବଣିକଙ୍କୁ ପ୍ରଶ୍ନ କଲେ, “ଆଚ୍ଛା ବଣିକ ମହୋଦୟ, ଆପଣଙ୍କ ଦେଶର ରାଜା ଜଣେ ଜ୍ଞାନୀ ତଥା ବୁଦ୍ଧିମାନ ବ୍ୟକ୍ତି ବୋଲି ଆମେ ଜାଣୁ । ଆପଣ ତାଙ୍କୁ କେତେ ଅସ୍ତ୍ର ବିକ୍ରି କରିଛନ୍ତି? ତାଙ୍କର ବି ତ ବହୁତ ଶତ୍ରୁ ଅଛନ୍ତି । ସେ ତାଙ୍କ ରାଜ୍ୟବାସୀଙ୍କୁ ଆପଣଙ୍କ ଉଦ୍ଭାବିତ ଅସ୍ତ୍ରରେ ସଜ୍ଜିତ କଲେ ଦେଶର ଉପକାର ହୁଅନ୍ତା ନାହିଁ କି?”
ବଣିକ କହିଲେ “ଆପଣ ଠିକ୍ କଥା କହୁଛନ୍ତି । ଆମ ସିନ୍ଧୁ ଦେଶର ରାଜା ଜଣେ ବିଚକ୍ଷଣ ବ୍ୟକ୍ତି ବୋଲି ଆପଣଙ୍କ ଭଳି ମୋର ମଧ୍ୟ ଏହି ଧାରଣା ଥିଲା । କିନ୍ତୁ ମୁଁ ତାଙ୍କୁ ବାରମ୍ବାର ଏ ଅସ୍ତ୍ର ବିଷୟରେ କହିଲେ ମଧ୍ୟ ସେ ମୋତେ କୌଣସି ଉତ୍ସାହ ଦେବା ତ ଦୂରର କଥା, ବରଂ ଏ ଅସ୍ତ୍ର ତିଆରି ବନ୍ଦ କରିବାକୁ ପରାମର୍ଶ ଦେଲେ ଓ ମୋତେ ଅନ୍ୟ କୌଣସି କାମରେ ନିଯୁକ୍ତି ଦେବାର ପ୍ରସ୍ତାବ ରଖିଲେ ।”
ମନ୍ତ୍ରୀ କିଛି ନ କହି ରାଜାଙ୍କ ଆଡେ ଅନାଇ ଖାଲି ଅଳ୍ପ ହସିଲେ । ରାଜା ସେ ବଣିକଙ୍କୁ କହିଲେ, “ଭଦ୍ରେ, ଆପଣଙ୍କୁ ମୁଁ ଯେଉଁ ପୁରସ୍କାର ଦେଲି, ସେହିଥିରେ ସନ୍ତୁଷ୍ଟ ହୋଇ ଚାଲିଯା’ନ୍ତୁ । ଏ ଅସ୍ତ୍ର ନିର୍ମାଣ ଦିଗରେ ମୁଁ ଆପଣଙ୍କୁ କୌଣସି ପ୍ରକାରେ ସହାୟତା କରିବା ଆଦୌ ସମ୍ଭବପର ନୁହେଁ । ଆପଣଙ୍କ ରାଜାଙ୍କ ଭଳି ମୁଁ ମଧ୍ୟ କହୁଛି, ଆପଣ ମୋ ରାଜ୍ୟରେ ଅନ୍ୟ କୌଣସି କାମରେ ରହନ୍ତୁ । ମୁଁ କାମ ଯୋଗାଇ ଦେବି ।”
ବଣିକ ଚାଲିଗଲେ । ରାଜା ଓ ମନ୍ତ୍ରୀ ଏହାପରେ ସୀମାନ୍ତକୁ ଯାଇ ପ୍ରଜାମାନଙ୍କୁ ବିଦେଶୀ ଗୁପ୍ତଚର ଓ ତାଙ୍କ ଚକ୍ରାନ୍ତ ବିଷୟରେ ସତର୍କ କରାଇଦେଲେ । ଯେପରି ମଧୁଗଡରୁ ଦୁଷ୍ଟ ଲୋକେ ପଶି ଆସି ରାଜ୍ୟରେ ଅଶାନ୍ତି ସୃଷ୍ଟି କରି ନ ପାରିବେ, ସେ ଦିଗରେ ଅନ୍ୟାନ୍ୟ ବ୍ୟବସ୍ଥା କଲେ । କ୍ରମେ ଅବସ୍ଥା ସୁଧୁରିଗଲା ।
ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ନିଜ କଣ୍ଠସ୍ୱର ତୀବ୍ର କରି ରାଜା ବିକ୍ରମଙ୍କୁ ପ୍ରଶ୍ନ କଲା, “ମୋର ଗୋଟିଏ ସନ୍ଦେହ ରହିଛି । ସୀମାନ୍ତରେ ଶତ୍ରୁ ପକ୍ଷ ଉପଦ୍ରବ କରୁଥିଲେ । ପରେ ପରେ ହୁଏତ ସେମାନେ ମଳୟ ରାଜ୍ୟ ଆକ୍ରମଣ କରିଥାନ୍ତେ । ରାଜା ସେ ଅଦ୍ଭୁତ ଅସ୍ତ୍ର ସାହାଯ୍ୟରେ ଅକ୍ଳେଶରେ ଶତ୍ରୁ ପକ୍ଷକୁ ଶେଷ କରି ପାରିଥାନ୍ତେ । ମାତ୍ର ତାହା ନକରି ସେ ନିଜେ ସୀମାନ୍ତକୁ ଯାଇ ଲୋକଙ୍କୁ ସତର୍କ କରାଇବାର କ’ଣ ବା ଏମିତି ଆବଶ୍ୟକତା ଥିଲା? ସେ ପୁଣି କିଆଁ ଅସ୍ତ୍ର ତିଆରିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ? ରାଜା! ପାରିଲେ ମୋ ଏସବୁ ପ୍ରଶ୍ନର ଉତ୍ତର ଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତିଥାଇ ମଧ୍ୟ ତମେ ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ସବୁ ରାଜ୍ୟର ଶତ୍ରୁ ଭୟ ଥାଏ । କୌଣସି ରାଜ୍ୟ ସବୁବେଳେ ନିରାପଦ ନଥାଏ । ତେବେ ଥରେ ଶତ୍ରୁ ଦମନ କରିବା ପାଇଁ ସିନା ରାଜା ସେ ଅଦ୍ଭୁତ ଅସ୍ତ୍ରର ବ୍ୟବହାର କରନ୍ତେ, କିନ୍ତୁ ତା’ପରେ ସେ ଅସ୍ତ୍ର ତ ତାଙ୍କରି ଲୋକଙ୍କ ହାତରେ ରହନ୍ତା! ଲୋକେ ସେ ଅସ୍ତ୍ରକୁ ଯଥେଚ୍ଛା ବ୍ୟବହାର କରନ୍ତେ । କିଏ କାହା ଉପରେ ଟିକିଏ ଖପା ହୋଇଗଲେ, ସେ ଅସ୍ତ୍ର ବ୍ୟବହାର କରନ୍ତା । ଲୋକଙ୍କ ଚେତନା ଯାହା, ସେଥିରେ ଏ ଅସ୍ତ୍ର ଯୋଗୁଁ ରାଜ୍ୟ ବିଦେଶୀ ଶତ୍ରୁଠୁଁ ଯେତିକି ନିରାପଦ ହୋଇପାରନ୍ତା, ହୁଏତ ରାଜ୍ୟ ଭିତରେ ତାହା ତୁଳନାରେ ବହୁତ ଅଧିକ ଅଶାନ୍ତି ଓ ଆତଙ୍କ ବଢିଯା’ନ୍ତା । ତେଣୁ ମନ୍ତ୍ରୀଙ୍କ ଇଙ୍ଗିତରେ ରାଜା ଉକ୍ତ ବଣିକଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ବୁଦ୍ଧିମତାର ପରିଚୟ ଦେଲେ ।”
ରାଜା ବିକ୍ରମଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝଲି ପଡିଲା ।