ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ଦର୍ପଣ

ଯେତେବେଳେ ହାର ଚୋରି ହୋଇଛି ବୋଲି ଜଣାପଡିଲା, ରାଜା ଦର୍ପଣ ଆଗକୁ ପ୍ରାସାଦର ସବୁ ପ୍ରହରୀ ଓ ଦାସଦାସୀଙ୍କୁ ଜଣ ଜଣ କରି ଅଣାଇଲେ । ଲଡୁଲାଲ୍ର ଠିକ୍ ପଛେ ପଛେ ମଲ୍ଲିକା ଥାଏ । ରାଣୀ ଶ୍ରୀଦେବୀ ସମସ୍ତଙ୍କୁ ଲକ୍ଷ୍ୟ କରୁଥାନ୍ତି । ସେ ଲକ୍ଷ୍ୟ କଲେ, ମଲ୍ଲିକା ଏପରି ରୀତିରେ ଚାଲୁଥାଏ, ଯେମିତି ଦର୍ପଣରେ ଲଡୁଲାଲର ମୁହଁ ଦେଖାଗଲା ବେଳେ ତା’ ମୁହଁ ଆଢୁଆଳରେ ରହିଯିବ ।

ଲଡୁଲାଲର ମୁହଁ ପ୍ରତିଫଳିତ ହେବା ମାତ୍ରେ ଦର୍ପଣ କହିଲା, “ଚୋର!” ସଙ୍ଗେ ସଙ୍ଗେ ତାକୁ ଧରି ନିଆଗଲା । ଏଣେ ମଲ୍ଲିକା ମୁହଁରେ ଫୁଲଫୁଟିଗଲା । ସେ ଏଥର ସ୍ୱସ୍ତିର ନିଃଶ୍ୱାସ ମାରିଲା ।

ରାଣୀ ତତ୍କ୍ଷଣାତ୍ ମଲ୍ଲିକାକୁ ମଧ୍ୟ ଅଟକ ରଖିବାକୁ ଆଦେଶ ଦେଲେ । ଲଡୁଲାଲ କୋଟରରେ ମୋତିହାର ରହିଛି ବୋଲି କହିବାରୁ ସେଠାରେ ସନ୍ଧାନ ହେଲା । ହାର ନମିଳିବାରୁ ରାଣୀ ସଙ୍ଗେ ସଙ୍ଗେ ମଲ୍ଲିକାର ଘର ତଲାସ୍ କରାଇଲେ । ଶେଷରେ ସେ ହାର ମିଳିଗଲା ।

ଏହାର କିଛିଦିନ ପରେ ଦିନେ ରାଜା ଭୂଦେବ ରାଣୀ ଶ୍ରୀଦେବୀଙ୍କୁ କହିଲେ, “ଗୁରୁ ଜୟେନ୍ଦ୍ରଦେବ କହିଥିଲେ, ଯେତେବେଳେ ମୁଁ ଏହି ଅଦ୍ଭୁତ ଦର୍ପଣରୁ ଆଗ୍ରହ ହରାଇବି, ସେତେବେଳେ ତାହା ତାଙ୍କୁ ମୁଁ ଫେରାଇଦେବି । ଭାବୁଛି, ବର୍ତ୍ତମାନ ସେଭଳି ସମୟ ଆସିଯାଇଛି ।”

ଶ୍ରୀଦେବୀ କହିଲେ, “ବେଶ୍, ତେବେ ଫେରାଇ ଦିଅନ୍ତୁ ।”

ଦର୍ପଣ ଫେରିପାଇ ଜୟେନ୍ଦ୍ର କହିଲେ, “ମୁଁ ଆଜି ଖୁବ୍ ଆନନ୍ଦିତ । ଦର୍ପଣ ତମର ବିକାଶରେ ଯାହା ସାହାଯ୍ୟ କରିବାର କଥା ତାହା ସେ କରିଛି ।”

ବେତାଳ ତା’କାହାଣୀଟି ଏଇଠି ଶେଷ କରି ନିଜ କଣ୍ଠସ୍ୱର ତୀବ୍ର କରି କହିଲା, “ରାଜା! ମୋ ମନରେ ଗୁଡାଏ ସନ୍ଦେହ ରହିଛି । ଦର୍ପଣ ପ୍ରଥମ ତିନି ବୀରଙ୍କ କ୍ଷେତ୍ରରେ କାହିଁକି ନୀରବ ରହିଲା? ରାଜକୁମାରୀ ଶ୍ରୀଦେବୀ କାହାକୁ ଏକାଧାରରେ ଅନ୍ଧ, ମୂକ ଏବଂ କାଲ ବୋଲି ବୁଝାଉଥିଲେ? ରାଜା ରାଣୀ କାହିଁକି ବା ସେ ଅଦ୍ଭୁତ ଦର୍ପଣ ଫେରାଇ ଦେଲେ? ଋଷି ଜୟେନ୍ଦ୍ର ଦର୍ପଣ ରାଜାଙ୍କ ବିକାଶରେ ସାହାଯ୍ୟ କରିଥିବା କଥା କହିବାର ଅର୍ଥ କ’ଣ? ପାରିଲେ ତୁମେ ମୋର ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅ । ଆଉ ଯଦି ଉତ୍ତର ଜାଣି ମଧ୍ୟ ନିରୁତ୍ତର ରହିବ ତେବେ ତମ ଶୀର ନିଶ୍ଚୟ ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ରାଜା ବିକ୍ରମାର୍କ ସଙ୍ଗେସଙ୍ଗେ ଉତ୍ତର ଦେଲେ : “ପ୍ରଥମ ତିନିବୀର ତିନି ଭିନ୍ନ ଭିନ୍ନ ବିଦ୍ୟାରେ ଧୁରନ୍ଧର । ଗୋଟିଏ ବିଦ୍ୟାରେ ସିନା କିଏ ବଡ କିଏ ସାନ କହିହେବ । ଦୁଇ ମଲ୍ଲଯୋଦ୍ଧା କ୍ଷେତ୍ରରେ ଦର୍ପଣ ସୁରୁଖୁରୁରେ ଯାହା ଉତ୍ତର ଦେବାକଥା ଦେଲା । କିନ୍ତୁ ପ୍ରଥମ ତିନିଜଣଙ୍କ କ୍ଷେତ୍ରରେ ସେଭଳି ସେ କରିପାରିନଥାନ୍ତା ବୋଲି ନୀରବ ରହିଲା ।”

“ରାଜକୁମାରୀ ଶ୍ରୀଦେବୀ ବୁଦ୍ଧିମତୀ । ଭୂଦେବ ନିଜେ ଦୁଇ ରାଜକନ୍ୟାଙ୍କୁ ଦେଖି, ସେମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ କଥା ଶୁଣି, ନିଜେ ଯଦି ଜଣକୁ ପସନ୍ଦ କରି ପାରୁ ନାହାଁନ୍ତି, ତେବେ ସେ ଅନ୍ଧ ଭଳି କିଛିବି ଦେଖି ନାହାଁନ୍ତି, ମୂକ ଭଳି ସେମାନଙ୍କ ସହ ସେ କିଛି ମଧ୍ୟ କଥାବାର୍ତ୍ତା ହୋଇ ନାହାଁନ୍ତି ଏବଂ କାଲ ଭଳି ସେ ସେମାନଙ୍କ କଥା ମୋଟେ ଶୁଣି ନାହାଁନ୍ତି ବୋଲି ବୁଝିବାକୁ ହେବ । ପତ୍ନୀ ନିର୍ବାଚନ ନିଜେ ନକରି ଦର୍ପଣ ଉପରେ ଛାଡିଦେବା କେଉଁ ବୁଦ୍ଧିମତାର ପରିଚୟ? ରାଜା ଭୂଦେବ ବିବେକୀ । ସେ ଶ୍ରୀଦେବୀଙ୍କ ଉକ୍ତିର ମୂଲ୍ୟ ଠିକ୍ ବୁଝିଲେ । ତେଣୁ ସେ ତାଙ୍କୁ ବିଭା ହେବାର ପ୍ରସ୍ତାବ ଦେଲେ । ରାଜା ବିବେକୀ ବୋଲି ଏହା ଦ୍ୱାରା ସେ ଶ୍ରୀଦେବୀ ମଧ୍ୟ ଯଥେଷ୍ଟ ପ୍ରମାଣ ପାଇ ତାଙ୍କୁ ବିଭା ହେବାକୁ ନିଜର ସମ୍ମତି ଜଣାଇଲେ ।”

“ଅଦ୍ଭୁତ ଦର୍ପଣ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିଲେ ଅନେକ ସମୟରେ ସମ୍ପୂର୍ଣ୍ଣ ସତ୍ୟ ଜାଣି ହେବ ନାହିଁ ବୋଲି ରାଜାଙ୍କ ହୃଦବୋଧ ହେଲା । ନିଜ ବୁଦ୍ଧି ବିବେକର ଭୁଲ୍ ହେବ ବୋଲି ରାଜା ଯେ ବୁଝିପାରିଲେ, ତାହାହିଁ ତାଙ୍କ ବିକାଶ ଦିଗରେ ଦର୍ପଣର ଅବଦାନ ବୋଲି ଋଷି ଜୟେନ୍ଦ୍ର ବୁଝାଉଥିଲେ ଥରେ ନିଜେ ସବୁ ବୁଝିବା ପରେ ଆଉ ପୁଣି ସେ ଅଦ୍ଭୁତ ଦର୍ପଣର ଆବଶ୍ୟକତା କେଉଁଠି ରହିଲା?”

ରାଜାଙ୍କ ମୌନ ଭଙ୍ଗ ହେବାମାତ୍ରେ ଶବସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁର୍ବୋକ୍ତ ସେହି ପ୍ରାଚୀନ ବୃକ୍ଷଡାଳରେ ଯାଇ ଝୁଲିପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ