ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ବଂଶୀ

କିନ୍ତୁ ଏ ଅବସ୍ଥା ଆଉ ବେଶିଦିନ ତିଷ୍ଠି ରହିଲା ନାହିଁ । ବିକାଶ ଯେତେବେଳେ ବୈରାଗ୍ୟବେଶରେ ତୀର୍ଥାଟନ କରିବାକୁ ଯାଇଥିଲା ସେତେବେଳେ ସେ ତା’ର ଘରବାଡି ଜଣେ ସମ୍ପର୍କୀୟ ବ୍ୟକ୍ତିଙ୍କ ଜିମାରେ ଛାଡି ଯାଇଥିଲା । ସେ ବ୍ୟକ୍ତି ଭାବିଥିଲା କି ବିକାଶ ଆଉ ଫେରିବ ନାହିଁ । ତେଣୁ ଘରବାଡିର ମାଲିକ ସେ ନିଜେ । ଏବେ ବିକାଶ ଫେରିବାର ଦେଖି ତା’ ମନ ଭୀଷଣ ଦୁଃଖ ହୋଇଗଲା । ତାକୁ କୌଣସି ମତେ ବଦନାମ କରାଇ ସେଠାରୁ ତଡିବାକୁ ସେ ଚାହିଁଲା । ସେ ବିକାଶ ବିରୁଦ୍ଧରେ ଏପରି କିଛି ପ୍ରଚାର କଲା ଯେଉଁଥିରେ କି ଗ୍ରାମଲୋକଙ୍କ ମନରେ ସନ୍ଦେହ ଆସିଲା । ସେମାନେ ଭାବିଲେ ଦିନ ପରେ ଦିନ ଏ ଲୋକଟା ବଂଶୀ ବଜାଇ ରୋଗଶୋକ ଦୂର କରୁଛି ସତ, କିନ୍ତୁ ଏହାର ପଛରେ ତା’ର କି ସ୍ୱାର୍ଥ ରହିଛି?

ଦିନେ ସଙ୍ଗୀତ ସଭାଟିଏ ହେଲା । ବିକାଶର ବଂଶୀରେ ସମସ୍ତେ ମୁଗ୍ଧ । କିନ୍ତୁ ପୂର୍ବୋକ୍ତ ବ୍ୟକ୍ତି ସଭାରେ ଉଠିପଡି କହିଲା, “ଦେଖ, ଗ୍ରାମବାସୀଙ୍କ ତରଫରୁ ମୁଁ କହୁଛି, ସେମାନେ ଜାଣିବାକୁ ଚାହାଁନ୍ତି ଯେ, ଏପରି ବଂଶୀବାଦନ ପଛରେ ତୁମର କି ସ୍ୱାର୍ଥ ଅଛି । ଦିନ ପରେ ଦିନ ବଜାଇ ଚାଲିଛ, ଆଉ ଏଇଟା କ’ଣ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର କାର୍ଯ୍ୟ?”

“ହଁ, ତମେ ଠିକ୍ କହିଛ । ମୁଁ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ଭାବରେ ବଜାଇଥାଏ । ଯେତେବେଳେ ଲୋକଙ୍କର ନାନା ରୋଗ ଓ ଦୁଃଖ ଶୋକ ମୋ ବଂଶୀଧ୍ୱନୀରେ ଦୂର ହୁଏ, ସେଥିରେ ସେମାନେ ମାନସିକ ଶାନ୍ତି ଓ ଆନନ୍ଦ ପାଆନ୍ତି । ତାଙ୍କ ଆନନ୍ଦରେହିଁ ମୋର ଆନନ୍ଦ । ତା’ଛଡା ମୋର ଅନ୍ୟ କୌଣସି ମଧ୍ୟ ସ୍ୱାର୍ଥ ନାହିଁ ।”

ସେହି ବ୍ୟକ୍ତିଟି କହିଲା, “ଆଚ୍ଛା, ଏହାହିଁ ଯଦି ତୁମର ଇଚ୍ଛା, ତେବେ ବରଂ ରାଜଦରବାରକୁ ଯାଇ ତୁମର ଅସାଧାରଣ ପ୍ରତିଭା ଦେଖାଇଲେ ଅନେକ ପୁରସ୍କାର ବି ପାଇବ ଆଉ ଅଧିକ ଲୋକ ମଧ୍ୟ ତୁମ ବିଷୟରେ ଜାଣି ପାରିବେ ।

ଏକଥା ଶୁଣି ବିକାଶ କହିଲା, “ତୁମ କଥା ସତ, ହେଲେ ମାନସିକ ଶାନ୍ତି ଓ ଆନନ୍ଦ ପ୍ରଦାନ କରୁଥିବା ବିଦ୍ୟା ପାଇଁ ପୁରସ୍କାର ଓ ସମ୍ମାନର କ’ଣ ବା ଲୋଡା? ଯଦି ରାଜାଙ୍କର ଦରକାର ହୁଏ ତ ସେ ନିଜେ ଖୋଜି ଖୋଜି ଏଠାରେ ଆସି ପହଁଚିବେ ।”

ସେ କହିଲା, “ଭାଇମାନେ ଶୁଣୁଛନ୍ତି ତ ବିକାଶ ଭିତରେ ଅହଙ୍କାର କେତେଦୂର ଗଭୀର ହେଲାଣି?”

ଗ୍ରାମବାସୀମାନେ ସବୁ ଶୁଣି ଚୁପ୍ ରହିବାରୁ ସେ ବିରକ୍ତ ହୋଇ କହିଲା, “ଯିଏ ତାର ଅହଙ୍କାରକୁ, ସହିବ ସେ ହିଁ ତା’ର ବଂଶୀ ଶୁଣିବ ।” ଏଥିରେ ମଧ୍ୟ ଗ୍ରାମବାସୀମାନେ ଚୁପ୍ ହୋଇ ରହିଲେ । କେହି କିଛିବି କହିଲେ ନାହିଁ । କିନ୍ତୁ ବିକାଶ ଉଠିପଡି କହିଲା, “ଆପଣମାନଙ୍କର କଲ୍ୟାଣ ପାଇଁ ମୁଁ ଏ ବଂଶୀ ବଜାଉଛି । ଯଦି ଆପଣମାନଙ୍କର ଏହିପରି ବିଚାର ହୋଇଥାଏ, ତେବେ ମୁଁ ଏବେହିଁ ଏହି ବଂଶୀବାଦନ ବନ୍ଦ କରିଦେବି ।”

ଗ୍ରାମବାସୀ ସେମିତି ଚୁପ୍ ରହିଥାନ୍ତି । ବିକାଶ ସେଠାରୁ ଚାଲିଗଲା । ପରଦିନ ବିକାଶ ସହିତ ସେହି ବ୍ୟକ୍ତି ଜଣକ ଦେଖା କରି କହିଲା, “ମିତ୍ର, ମୋତେ କ୍ଷମା କରିଦିଅ । ମୁଁ ମୋର ଦୁଷ୍ଟବୁଦ୍ଧି ବଶତଃ ତୁମ ବିରୁଦ୍ଧରେ ଏପରି ସବୁକଥା କହିଥିଲି । କିନ୍ତୁ ପ୍ରକୃତରେ ଦେଖିଲେ ତୁମ ପ୍ରତି ମୋର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଭାବ ଯଥେଷ୍ଟ ଅଛି । ଆଉ ଶୁଣ, ଯଦି ବାହାରକୁ ଚାଲିଯାଉଛ, ତେବେ ଏ ଘରବାଡି ସବୁ ମୋ ନାମରେ ଲେଖିଦେଇ ଯାଅ । ମୋର ସଂସାର ବଡ । ବହୁତ ଛୁଆପିଲା । ଚଳିବାକୁ ବହୁ କଷ୍ଟ ।”

ବିକାଶ କିଛି ନ କହି ଚୁପ୍ ରହିଲା । କିଛି ଦିନ ପରେ ଶ୍ରୀକର ନାମକ ଜଣେ ବ୍ୟକ୍ତି ଆସି ବିକାଶକୁ କହିଲା, “ମିତ୍ର, ତୁମ ବନ୍ଧୁ ସଭାରେ ତୁମକୁ ସେଦିନ କେବଳ ତୁମ ଘରବାଡି ଲୋଭରେହିଁ ଅପମାନ ସୂଚକ କଥା କହିଲା । ତମେ ଏ ସ୍ଥାନ ଛାଡି ଚାଲିଗଲେ ସେ ସବୁ ସମ୍ପତ୍ତି ନେବ । କିନ୍ତୁ ଗ୍ରାମବାସୀମାନେ ଏସବୁ ବିଶ୍ୱାସ କରି ନାହାଁନ୍ତି । ତୁମ ସଙ୍ଗୀତ ଦ୍ୱାରା ସମସ୍ତେ ବେଶ୍ ପ୍ରଭାବିତ । ମତେ ଯଦି ବିଶ୍ୱାସ ନ କରୁଛ ତେବେ ନିଜେ ଯାଇ ସମସ୍ତିଙ୍କୁ ପଚାର । ଏବେ ତମେ ପୁଣି ବଂଶୀ ବଜାଇବାକୁ ଆରମ୍ଭ କର ।”

ତା’ପରେ ବିକାଶ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ବୁଝିଲା ଯେ ସେମାନେ ପୁଣି ତା’ର ସଙ୍ଗୀତ ଶୁଣିବାକୁ ଚାହାଁନ୍ତି । ଶ୍ରୀକର କହିଲା, “ଏବେ ମୋ କଥାର ସତ୍ୟତା ଉପଲବ୍ଧି କଲ ତ?” ବିକାଶ ତତ୍କ୍ଷଣାତ୍ ତା’ ଥଳୀରୁ ବଂଶୀ କାଢି ବଜାଇଲା ଓ ଶ୍ରୀକରକୁ ପଚାରିଲା, “ସ୍ୱରଟି କିମିତି ଲାଗିଲା?”

ଶ୍ରୀକର ଟିକିଏ ବିସ୍ମୟ ପ୍ରକାଶପୂର୍ବକ କହିଲା, “ଇଏ ତ ମୋତେ ଅତି ସାଧାରଣ ଲାଗିଲା ।”

ବିକାଶ କହିଲା, “କିନ୍ତୁ ମୋତେ ତ ଭାରି ଭଲ ଲାଗିଲା । ଏଣିକି ମୋ ବଂଶୀରୁ ଅନ୍ୟମାନଙ୍କୁ ଆନନ୍ଦ ଦେବାପରି ସ୍ୱର ଆଉ ବାହାରିବ ନାହିଁ । ଯାହା ବାହାରିବ, ସେଥିରେ କେବଳ ମୁହିଁ ଆନନ୍ଦ ପାଇବି ।”

ଶ୍ରୀକର କହିଲା “ଏସବୁ କଥା ତ ମୁଁ କାହିଁ କିଛି ହେଲେବି ବୁଝିପାରୁ ନାହିଁ ।”

ବିକାଶ ତାକୁ ସାଧୁଙ୍କ ସହିତ ଘଟିଥିବା ସମସ୍ତ ଘଟଣା କହିବା ପରେ କହିଲା, “ମୋର ଏହି ବଂଶୀରେ ସାଧୁଙ୍କ କୃପାରୁ ଅଲୌକିକ ଶକ୍ତି ଥିଲା । ହେଲେ ଗ୍ରାମବାସୀମାନେ ସେସବୁ ଆଦୌ ବୁଝିପାରିଲେ ନାହିଁ । ବଂଶୀ ସ୍ୱରର ମହାନତା ଜାଣିପାରିଲେ ନାହିଁ । ତେଣୁ ବଂଶୀର ସ୍ୱର ମଧ୍ୟ ବଦଳିଗଲା । ଗ୍ରାମବାସୀମାନେ ଯେବେ ସବୁ ବୁଝି ପୁଣି ଚାହିଁବେ, ପୁଣି ସେତେବେଳେ ସେ ସ୍ୱର ଫେରି ଆସିବ । ଏଥିରେ ମୋର କୌଣସି ସ୍ୱାର୍ଥ ନଥିଲା ।”

ତା’ପରେ ବିକାଶ ସେ ଗ୍ରାମ ଛାଡି ଦୂରରେ ଏକ ନିର୍ଜନ ସ୍ଥାନରେ କୁଟୀରଟିଏ ବନାଇ ରହିଥାଏ । ନିଜେ ବଂଶୀ ବଜାଇ ଆନନ୍ଦ ପାଏ । ଥଳୀ ଯୋଗୁଁ ତା’ର ଆଉ କିଛି ଅଭାବ ନଥାଏ । ଥଳୀରୁ ଖାଦ୍ୟବସ୍ତୁ ସବୁ ବାହାର କରି ଗରୀବ, ଦୁଃଖୀ ଳୋକଙ୍କୁ ବାଂଟି ସେ ଖୁସିରେ ତା’ ଜୀବନ ଅତିବାହିତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ