ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ମଣିଚୁଳ କଥା

ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ  ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ ନିର୍ମିତ ହୋଇ ଥିବା ଗୋଟିଏ ଉଲଗ୍ନା କନ୍ୟାର ମୂର୍ତ୍ତିକୁ ସେଠାରେ ଥିବା ପୂଜକ ମାନେ ପୂଜା କରୁଥିବା ଦେଖି ବୋଲକରା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା । ପୁନଶ୍ଚ ସେହି କୁମାରୀ ମୂର୍ତ୍ତିକୁ ବହୁ ପରିମାଣର କନ୍ୟା ମାନଙ୍କର ପୂଜା କରୁ ଥିବା ଦେଖି ବୋଲକରାର ଦୋକାନକୁ ଯାଉଥିବା ପାଦ ଦୁଇଟା ସେହି ଠାରେ ଅଟକି ଗଲା ।

                ଏହା ପରେ ସେଠାକାର ବାସିନ୍ଦା, ପଥଚଲା ଲୋକ ଓ ମନ୍ଦିରରୁ ଫେରୁ ଥିବା କେତେକ ଭକ୍ତଙ୍କୁ ବୋଲକରା ଏହି ବିଷୟରେ ପଚାରିବାରୁ ସେମାନଙ୍କ ଠାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ପାରିଲା ନାହିଁ । ଏହା ବ୍ୟତୀତ ସେଠାରେ ଅନେକ ଲୋକ ବଙ୍ଗଳା ଭାଷାରେ କଥା କହୁ ଥିବାରୁ ବୋଲକରା ତାଙ୍କର ସେହି ବଙ୍ଗଳା ଭାଷାକୁ ବୁଝି ନପାରି ତରବରିଆ ହୋଇ ଫେରି ଆସିଲା ଉପଦେଷ୍ଟାଙ୍କ ପାଖକୁ ।

ବୋଲକରା କଚାଡିବା ପରି ଦୋକାନ ସଉଦାକୁ ଥୋଇ ଦେଇ ଚାହିଁଲା । ସେ ଦେଖିଲା ଚତୁର ବ୍ୟଙ୍ଗକାର ଏବେ ନିଜର ସ୍ନାନାଦି ଶୌଚ କାର୍ଯ୍ୟ ସମାପନ କରି କୋଥଳି ସେବାରେ ବ୍ୟସ୍ତ ଅଛନ୍ତି । ବୋଲକରା ଦେଖି ଥିବା ନାରୀ ମୂର୍ତ୍ତି ସମ୍ପର୍କରେ ବୁଝିବା ଲାଗି ଯାଇ ଉପଦେଷ୍ଟାଙ୍କୁ ସେହି କଥା ପଚାରନ୍ତେ  ଚତୁର ବ୍ୟଙ୍ଗକାର କହିଲେ –

ରହି ଯାଅ ପୁଅ ଅସ୍ଥିର ନହୁଅ

ପଚାରିବା ପ୍ରଶ୍ନ ଜଟିଳ ନୁହଁ

ଜଣା ସବୁ କଥା ରଖ ବ୍ୟାକୁଳତା

ନିତ୍ୟ କର୍ମ ସାରେ କରିଦେବା କଥା ।

 ଚତୁର ବ୍ୟଙ୍ଗକାର ଏପରି କଥା କହନ୍ତେ ବୋଲକରା ଆଉ କାଳ ବିଳମ୍ବ ନକରି ପାଖରେ ଥିବା ମୃତିକା ମାଠିଆରେ ପାଣି ମାଠିଆଟିଏ ଆଣି ଥୋଇ ଦେଇ ଉପଦେଷ୍ଟାଙ୍କ ସମ୍ମୁଖରେ ବସି ପରିବା କାଟିବା ଆରମ୍ଭ କରି ଦେଲା ।

ଉପଦେଷ୍ଟାଙ୍କର ଅଳ୍ପ କ୍ଷଣ ପରେ ନିତ୍ୟ କର୍ମ କାର୍ଯ୍ୟ ସରି ଯାଆନ୍ତେ ଧ୍ୟାନ ସମାପ୍ତରେ ମୁଖ ଖୋଲିଲେ –

ଆରେ ବୋଲକରା କଥାତ ନଖରା

                                ଆସ ବସ ଏଠି ଶୁଣ

ଶଙ୍ଖ ମଲ ମଲ ପଥର କୁମାରୀ

                                କହିବା ତାହାର ଗୁଣ ।

ପ୍ରାଚୀନ କାଳରେ ଏହି ରାଜ୍ୟର ନାମ ଥିଲା ଚିତ୍ର ନଗରୀ । ଏହି ନଗରୀରେ ରାଜୁତି କରୁ ଥିଲେ ଯେଉଁ ରାଜା ତାଙ୍କ ନାମ ଥିଲା ଚିତ୍ର ସେନ । ଚିତ୍ର ସେନ ରାଜାଙ୍କର ପୁଅ ଅନିଲ ଓ ସେହି ରାଜ୍ୟର ମନ୍ତ୍ରୀଙ୍କର ଏକମାତ୍ର ପୁଅ ସୁତରଶଙ୍କ ସହିତ ଏକ ପ୍ରକାର ନିବିଡ ବନ୍ଧୁତ୍ୱ ଥିଲା । ଦୁହେଁ ସାଥୀ ହୋଇ ସମସ୍ତ କାର୍ଯ୍ୟ କରୁ ଥିଲେ । ଯଥା – ପାଠ ଶାଳାରେ ପାଠ ପଢିବା, ଆଶ୍ରମକୁ ଯାଇ ଅସ୍ତ୍ର ଶିକ୍ଷା କରିବା, ଆଖଡାକୁ ଯାଇ ଘୋଡା ଚଢା ଅଭ୍ୟାସ କରିବା ସହିତ ସମସ୍ତ ବିଦ୍ୟାରେ ସାଥି ହୋଇ ପାରଙ୍ଗମତା ଅର୍ଜନ କରି ଥିଲେ ସେମାନେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ