ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ମଣିଚୁଳ କଥା

ଦିନକର କଥା – ଦୁଇ ସାଙ୍ଗଙ୍କର ମନ ହେଲା ଭ୍ରମଣ କରିବାକୁ । ଭ୍ରମଣ କରିବା ନିମନ୍ତେ ଧଳା କଳା ରଙ୍ଗର ଦୁଇଟି ଘୋଡାରେ ଦୁଇ ମିତ୍ର ଚଢି ଭ୍ରମଣ କରିବାକୁ ବାହାରି ଗଲେ । ଏମିତି ଗମନ କାଳରେ ରାସ୍ତାରେ ନଦୀ ନାଳ, ପାହାଡ ପର୍ବତ, ଘଂଚ ଅରଣ୍ୟାଦି ପଡିଲା । ସେସବୁକୁ ପାର୍ ହୋଇ ସେମାନେ ଆଗକୁ ଆଗକୁ ଚାଲିଲେ । କିଛି ପଥ ଅତିକ୍ରାନ୍ତ ହୋଇ ଯିବା ପରେ ଝରଶାଟିଏ ସେମାନେ ଦେଖିଲେ । ଝରଣା ନିକଟକୁ ଲାଗି ସେମାନେ ଏକ ପ୍ରକାଣ୍ଡ ଗଣ୍ଡ ଦେଖିଲେ । ଗଣ୍ଡ ମଧ୍ୟରେ ପ୍ରବେଶ କରିବା ଲାଗି ଗୋଟିଏ ସୁନ୍ଦର ପାବଚ୍ଛ ମଧ୍ୟ ସେମାନେ ଦେଖିଲେ ।

ଏପରି ମନୋରମ ସୁନ୍ଦର ବୃକ୍ଷଲତା ଦେଖି ଦୁଇ ସାଙ୍ଗ ସେହି ଠାରେ ଅଶ୍ୱରୁ ଅବତରଣ କରି ଅଶ୍ୱ ଦୁଇଟିକୁ ଚରିବା ନିମନ୍ତେ ଛାଡି ଦେଲେ । ତା’ପରେ ଝରଣାର କୂଳେ କୂଳେ ବୁଲି ସମସ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଫଳ ମୂଳ ମଧ୍ୟ ଖାଇଲେ । ଝରଣା ମଧ୍ୟରେ ପଶି ଜଳପାନ କରି ଚିନ୍ତା କଲେ ଯେ ଏହି ସ୍ଥାନଟି ଖୁବ୍ ଉତ୍ତମ ହୋଇ ଥିବାରୁ ଏଠାରେ ଆମେ ବିଶ୍ରାମ ନେବା ।

ତା’ପରେ ସେମାନେ ସେଠାରେ ବିଶ୍ରାମ କଲେ । ଘୋଡାମାନେ ସହଜେତ ପଶୁ ଜାତି । ହଠାତ୍ କୌଣସି ଉଚ୍ଚ ଶବ୍ଦ ସେମାନଙ୍କ କାନରେ ପଡିଲେ ସେମାନେ ସଙ୍ଗେ ସଙ୍ଗେ ତରକି ଉଠନ୍ତି । ସେହି ପରି କୌଣସି ଏକ ଶବ୍ଦ ଶୁଣିବାରୁ ଘୋଡା ମାନେ ଖୁବ୍ ଜୋର୍ରେ ରାଜା ପୁଅ ଓ ମନ୍ତ୍ରୀ ପୁଅଙ୍କ ବିଶ୍ରାମ ସ୍ଥାନକୁ ପଳାଇ ଆସିଲେ ।

ଏପରି ଅତର୍କିତ ଘୋଡାର ଟାପୁ ଶବ୍ଦ ଶୁଣି ଆଗ ମନ୍ତ୍ରୀ ପୁଅର ନିଦ ଭାଙ୍ଗି ଗଲା । କ’ଣ ହେଲା, କ’ଣ ହେଲା ଭାବି ତରବାରି ଧରି ଠିଆ ହୋଇ ପଡି ଦେଖିଲା ସେଠାରେ ଏକ ଅସ୍ୱାଭାବିକ ଘଟଣା ଘଟୁଛି । ସେମାନଙ୍କର ବିଶ୍ରାମ ନେଇ ଥିବା ସ୍ଥାନର ଅନତି ଦୂରରେ ବିରାଟ ଏକ ମଣି ଥୁଆ ହୋଇଛି । ତାର ଆଲୋକରେ ଚତୁର୍ଦିଗ ଆଲୋକିତ ମଧ୍ୟ ହେଉଛି । ଆଉ ମଧ୍ୟ ତା ନିକଟବର୍ତୀ ସ୍ଥାନରେ ଗୋଟିଏ ବିରାଟକାୟ ନାଗ ସେମାନଙ୍କର ଦୁଇ ଗୋଟି ଘୋଡା ମଧ୍ୟରୁ ଗୋଟିଏ ଘୋଡାକୁ ଅର୍ଦ୍ଧ ଯାଏଁ ଗ୍ରାସ କରି ସାରିଲାଣି । ଏ କଥା ଦେଖି ମନ୍ତ୍ରୀ ପୁଅର ହଲକ ଶୁଖି ଗଲା । ଭୟରେ ଦେହଟା ତା’ର ଥରିବାକୁ ଲାଗିଲା । ଆଗକୁ ଯେ ସେମାନଙ୍କ ଉପରକୁ ବିପଦ ନ ଆସିବ ସେ କଥା କିଏ କହିବ । ତେଣୁ ତରବର ହୋଇ ରାଜା ପୁଅକୁ ନିଦ୍ରାରୁ ଉଠାଇ ଦେଇ ପ୍ରାଣ ବିକଳରେ ଦୁହେଁ ନିକଟରେ ଥିବା ଏକ ବୃକ୍ଷ ଉପରକୁ ଚଢି ଗଲେ ।

ବୃକ୍ଷ ଉପରେ ରାଜା ପୁଅ ଓ ମନ୍ତ୍ରୀ ପୁଅ ଭୟରେ ବସି ଏସବୁ ଘଟଣା ଦେଖୁ ଥାଆନ୍ତି । ସେତେ ବେଳେ ସେମାନଙ୍କ ମୁଣ୍ଡରେ କିଛି ବି ବୁଦ୍ଧି ପଶିଲା ନାହିଁ । କିଛି ସମୟ ମଧ୍ୟରେ ନାଗଟି ଦୁଇ ଗୋଟି ଘୋଡାକୁ ଉଦରସ୍ଥ କରି ତା’ର ମଣିକୁ ମଥାପରେ ସ୍ଥାପନ କରି ସେହି ହ୍ରଦ ମଧ୍ୟକୁ ଚାଲି ଗଲା ।

ଏଥୁ ଅନ୍ତେ ରାଜା ପୁଅ ଆଉ ମନ୍ତ୍ରୀ ପୁଅ ରାତି ପାହି ଯିବାରୁ ଗଛରୁ ଓହ୍ଲାଇଲେ । ଘୋଡା ଦୁଇଟିକୁ ତ ନାଗ ଗିଳି ଦେଲା । ଏବେ ସେମାନେ ଚାଲି ଚାଲି କିଛି ଦୂର ଚାଲି ଯାଆନ୍ତେ ଗୋଟିଏ ଆଶ୍ରମ ଦେଖିଲେ । ସେମାନେ ଆଶ୍ରମ ମଧ୍ୟକୁ ଯାଇ ଦେଖିଲେ ଜଶେ ଋଷି ଧ୍ୟାନରେ ବସି ଛନ୍ତି । ଋଷିଙ୍କର ଧ୍ୟାନ ଭଗ୍ନ ନକରି ପ୍ରଥମେ ସେମାନେ ଋଷିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ।

ଋଷିଙ୍କର ଧ୍ୟାନ ଭଗ୍ନ ହୁଅନ୍ତେ ସେମାନଙ୍କ ଘୋଡା ଦୁଇଟିକୁ ସେ ନାଗ କିପରି ଉଦରସ୍ଥ କଲା ତାହା ବର୍ଣ୍ଣନା କଲେ ।

ଋଷି ରାଜା ପୁଅ ଓ ମନ୍ତ୍ରୀ ପୁଅ ଠାରୁ ନାଗ ଓ ଘୋଡା ଦୁଇଟିକୁ ଗିଳି ଦେବା ଜାଣି ହସି ହସି କହିଲେ – ସେଇଟା ନାଗ ନୁହଁ କୁମର । ସେ ହେଉଛି ନାଗ ରୂପି ଏକ ଗନ୍ଧର୍ବ । ତାକୁ ଅଭିଶାପ ହୋଇ ଥିବାରୁ ସେ ନାଗ ହୋଇଛି । ସେ କେବଳ ତୁମର ଘୋଡା ନୁହଁ ଏହା ମଧ୍ୟରେ ସେ ଏକ ରାଜ୍ୟକୁ ଗ୍ରାସ କରି ସାରିଲାଣି । ଆଉ ମଧ୍ୟ ଗ୍ରାସ କରିଥିବା ରାଜ୍ୟର ରାଜ କୁମାରୀଙ୍କୁ ମଧ୍ୟ ବନ୍ଦୀ କରି ନିଜ ପାଖରେ ରଖିଛି ।

ଋଷିଙ୍କ ଠାରୁ ଏ କଥା ଶୁଣି ମନ୍ତ୍ରୀ ପୁଅ ପଚାରିଲେ ସେ ତ ରାଜ୍ୟ ସାରାର ପଶୁ ପକ୍ଷୀ, ମନୁଷ୍ୟ ମାନଙ୍କୁ ଗ୍ରାସ କଲା । ତେବେ ରାଜ କନ୍ୟାଙ୍କୁ ଗ୍ରାସ ନକରି ବନ୍ଦୀ କରି ରଖିଛି କାହିଁକି?

ଋଷି କହିଲେ – ସେହି କଥା ଜାଣିବ ଯେବେ ତାହା ହେଲେ ଶୁଣ, ମୁଁ ତୁମକୁ ସେହି କଥା କହୁଛି । ଋଷି କହିଲେ ଏହା ଏ ସମୟର କଥା ନୁହେଁ । ପ୍ରାଚୀନ ଯୁଗରେ ମଣିଚୁଳ ନାମରେ ଜଣେ ଗନ୍ଧର୍ବ ଥିଲେ । ସେ ଗନ୍ଧର୍ବ ମଣିଚୁଳର ମାତାଙ୍କ ସହିତ ସମ୍ଭୋଗ କ୍ରୀଡାରେ ରତ ଥିବା ଅବସ୍ଥାକୁ ଦିନେ ସ୍ଥାନୀୟ ଦେବତା ମାନେ ଦେଖି ପକାଇ ତାକୁ କ୍ରୋଧିତ ହୋଇ ଏପରି ଅଭିଶାପ ଦେଲେ ଯେ ସେହି ଅଭିଶାପ ପାଇ ଗନ୍ଧର୍ବ ମଣିଚୁଳ ଭାବରେ ପରିଚିତ ହେଲା । ଗନ୍ଧର୍ବ ଯେତେବେଳେ ମଣିଚୁଳ ହେଲା ତା’ର ରାଗ ବଢିଲା । ତେଣୁ ସେ କ୍ରୋଧିତ ହୋଇ ଏ ସବୁ କାର୍ଯ୍ୟ କରି ଗଣ୍ଡ ମଧ୍ୟରେ ବାସ କରୁଛି ।

ମନ୍ତ୍ରୀ ପୁଅ କହିଲା ତା’ପରେ ରାଜ କନ୍ୟା?

ଋଷି କହିଲେ – ଗନ୍ଧର୍ବ ସିନା ସର୍ପ ହୋଇ ଗଲା, ହେଲେ ସେ ମନୁଷ୍ୟ ମାନଙ୍କର ସମସ୍ତ କଥା ବୁଝି ପାରୁ ଥିଲା । ଯେତେବେଳେ ଜାଣିଲା କନ୍ୟାଟି ତା’ର ଔରଷ ଜାତ ସନ୍ତାନ ନିଜେ ପିତା ହୋଇ ନିଜର ସନ୍ତାନକୁ ଗିଳନ୍ତାବା କିପରି? ସେଇଥି ଲାଗି ତାକୁ ମାରିଲା ନାହିଁ କି ଗିଳିଲା ନାହିଁ ମଧ୍ୟ । ତାକୁ ନେଇ ନିଜ ପାଖରେ ରଖିଲା । ଯେତେ ଦିନ ହେଲା ଏହି କନ୍ୟାଟି ମଣିଚୁଳ ପାଖରେ ଅଛି ସେତେଦିନ ଯାଏଁ କନ୍ୟାର ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।

ମନ୍ତ୍ରୀ ପୁଅ କହିଲା – ତାହା ହେଲେ ସେହି କନ୍ୟାଟି କ’ଣ ମଣିଚୁଳ ପାଖରେ ସର୍ବଦା ରହିଥିବ? ସେ କ’ଣ ଆଉ କେବେ ମନୁଷ୍ୟ ସମାଜକୁ ଆସିବ ନାହିଁ । ତା’ର ମନୁଷ୍ୟ ଜନ୍ମ ପାଇବା କ’ଣ ବୃଥାରେ ଯିବ?


ଗପ ସାରଣୀ

ତାଲିକାଭୁକ୍ତ ଗପ