ଋଷି କହିଲେ – ତୁମ ମନରେ ଯେବେ ସେହି କନ୍ୟାଟି ଲାଗି ଦୟା ହେଉଛି, ତେବେ ତାକୁ ଉଦ୍ଧାର କରିବାକୁ ହେଲେ ଆଗ ମଣିଚୁଳକୁ ହତ୍ୟା କରିବାକୁ ହେବ । ମନ୍ତ୍ରୀ ପୁଅ କହିଲା ମଣିଚୁଳକୁ ହତ୍ୟା କରି ଦେଲେ କନ୍ୟା ଲାଗି କି ଲାଭ ହେବ କହିଲେ ।
ଋଷି କହିଲେ – ତୁମେ ଯେବେ ସେହି ରାଜ କନ୍ୟାଟିକୁ ମଣିଚୁଳ ନିକଟରୁ ଉଦ୍ଧାର କରିବାକୁ ଚାହୁଁଛ ତାହା ହେଲେ ତୁମେ ଗଭୀର ଗଣ୍ଡ ମଧ୍ୟକୁ ଯିବ କିପରି । କାରଣ ସେହି ମଣିଚୁଳକୁ ହତ୍ୟା କଲେ ମଣିଚୁଳ ମସ୍ତକରେ ଥିବା ମଣିଟି ତୁମକୁ ପ୍ରାପ୍ତ ହେବ । ସେହି ମଣିକୁ ଧରି ଗଭୀର ଗଣ୍ଡରେ ପ୍ରବେଶ କଲେ ଗଣ୍ଡରେ ଥିବା ସମସ୍ତ ଜଳ ଦୁଇ ଭାଗ ହୋଇ ଯିବା ଦ୍ୱାରା ତୁମେ ସହଜରେ ଗଣ୍ଡ ମଧ୍ୟକୁ ଯାଇ ସେ ରାଜ କନ୍ୟାକୁ ଉଦ୍ଧାର କରି ପାରିବ ।
ମନ୍ତ୍ରୀ ପୁଅ କହିଲା – ତାହା ହେଲେ ତ ମଣିଚୁଳକୁ ହତ୍ୟା କରିବା ସହଜ ହେବ ।
ମନ୍ତ୍ରୀ ପୁଅ ଠାରୁ ଏକଥା ଶୁଣି ଋଷି କହିଲେ – ମଣିଚୁଳକୁ ମାରିବା ଏତେ ସହଜ ନୁହେଁ । ମଣିଚୁଳକୁ ମାରିବାକୁ ହେଲେ ବନଦେବୀଙ୍କୁ ପୂଜା କରି ଦେବୀଙ୍କ ଠାରୁ ଖଡ୍ଗ ଆଣିବାକୁ ହେବ ।
ଏହା ପରେ ଋଷି ମନ୍ତ୍ରୀ ପୁଅକୁ ମନ୍ତ୍ରଟି ବତାଇ ଦେଲେ । ଦୁଇ ବନ୍ଧୁ ମନ୍ତ୍ର ଜାଣି ବନସ୍ତକୁ ଗଲେ । ବନସ୍ତ ମଧ୍ୟରେ ଏକ ପବିତ୍ର ସ୍ଥାନ ଦେଖି ଶିଳା ଗୋଟିକୁ ବନ ଦେବୀ ଭାବରେ ସ୍ଥାପନ କରି ସେହି ମନ୍ତ୍ରରେ ପୂଜା ଆରମ୍ଭ କରି ଦେଲେ ।
ଏହି ପରି ଭାବରେ ପୂଜା କରୁ କରୁ ତିନି ଗୋଟି ଦିବସ ଅତିବାହିତ ହେଲା । ତିନି ଦିନ ପରେ ଦେବୀ ଏକ କୁମାରୀ ରୂପରେ ସାକ୍ଷାତ ଦେଇ କହିଲେ ବତ୍ସ! ତୁମର ପୂଜାରେ ମୁଁ ସନ୍ତୁଷ୍ଟ ହୋଇଛି । ମୁଁ ତୁମକୁ ଏହି ଖଡ୍ଗ ପ୍ରଦାନ କରୁଛି, ଏହି ଖଡ୍ଗ ଦ୍ୱାରା ତୁମର ସମସ୍ତ କାର୍ଯ୍ୟ ସିଦ୍ଧି ହେବ । ହେଲେ ଆଉ ଗୋଟିଏ କଥା ମନେ ରଖି ଥିବ । ଜଳ ମଧ୍ୟରେ ତୁମେ ଦୁହେଁ ଯେତେବେଳେ ବିଜୟ ଲାଭ କରିବ ସେତେବେଳେ ସେହି କନ୍ୟା ଯାହାଙ୍କୁ ପ୍ରଥମେ ଦେଖିବ ତାକୁ ହିଁ ବିଭା ହେବ । ଦେଖ ମନ୍ତ୍ରୀ ପୁଅ କନ୍ୟାତ ତୁମକୁ ନିଶ୍ଚୟ ଆଗ ଦେଖିବ । ତୁମକୁ ସେହି କନ୍ୟା ଯେତେବେଳେ ବିବାହ କରିବ, ରାଜା ପୁଅ ଅଯଥାରେ ତୁମକୁ ସନ୍ଦେହ କରି ତୁମର ବିଦ୍ରୋହୀ ହେବ ।
ମନ୍ତ୍ରୀ ପୁଅ ମାଆଙ୍କ ଆଗରେ ହସ୍ତ ଯୋଡି ବିନତୀ ହୋଇ ପଚାରିଲା ତାହା ହେଲେ ଏଥିରେ ମୁଁ କି ଉପାୟ କରିବି ମାଆ ।
ବନ ଦୁର୍ଗା କହିଲେ – କପାଳ ଲିଖନ କେ କରିବ ଆନ । ଜନ୍ମ କାଳରେ ବିଧାତା ତୁମ କପାଳରେ ଯାହା ଯାହା ଲେଖି ଦେଇ ଛନ୍ତି ତାହାହିଁ ତ ତୁମକୁ ଭୋଗ କରିବାକୁ ହେବ । ସେହି ରାଜ କନ୍ୟା ବିବାହ କରି ମାତ୍ର ଗୋଟିଏ ବର୍ଷ ସଂସାରରେ ରହିବ । ତା’ର କନ୍ୟା ଗୋଟିଏ ଜନ୍ମ ହେବା ପରେ ରାଜା ତାକୁ ଅବିଶ୍ୱାସ କରି ମାରି ଦେବେ । ସେତେବେଳେ ସେହି ଅବସ୍ଥାକୁ ଦେଖି ତୁମେ ପାଷାଣର ମୂର୍ତ୍ତି ହୋଇ ଯିବ ।
ଏ କଥା ଶୁଣି ରାଜା ପୁଅ କାନ୍ଦି ପକାଇ ମା’ବନଦୁର୍ଗାଙ୍କ ଆଗରେ ବିନତୀ ହୋଇ କହିଲେ ଏପରି ଦଣ୍ଡ ମୋତେ ଦିଅ ନାହିଁ ମାଆ । ଦେବୀ କହିଲେ – ଯାହା ବିଧାତାଙ୍କର ବିଧାନ ମୁଁ ତ ତୁମକୁ ସେହି କଥା ହିଁ କହୁଛି । ରାଜ କନ୍ୟା ଠାରୁ ଯେଉଁ କନ୍ୟା ହେବ ସେ ଯେଉଁ ଦିନ ଷୋଡଶୀ ସୁନ୍ଦରୀ ହେବ ସେତେବେଳେ ସେହି କନ୍ୟା ଉଲଗ୍ନ ହୋଇ ପାଷାଣ ମୂର୍ତ୍ତିକୁ ଆଲିଙ୍ଗନ କଲେ ମନ୍ତ୍ରୀ ପୁଅ ପୁଣି ନିଜର ପୂର୍ବ ରୂପକୁ ଫେରି ପାଇବ । ଆଉ ମଧ୍ୟ ସେହି କନ୍ୟା ତାକୁ ବିବାହ କରି ରାଜ୍ୟ ଭୋଗ କରିବ । ଏହା ପରେ ରାଜ ପୁତ୍ର ତତ୍କ୍ଷଣାତ୍ ଦେହ ତ୍ୟାଗ କରି ସ୍ୱର୍ଗକୁ ଯିବ ।
ଏପରି ସମସ୍ତ କଥା ବୁଝାଇ ଦେଇ ମା’ ବନ ଦୁର୍ଗା ଅନ୍ତର୍ଦ୍ଧାନ ହୋଇ ଗଲେ । ଏଥୁ ଅନ୍ତେ ମନ୍ତ୍ରୀ ପୁଅ ପାତାଳରେ ପ୍ରବେଶ କରି ରାଜ କୁମାରୀ ମଣି ରତ୍ନାଙ୍କୁ ସମସ୍ତ କଥା ବୁଝାଇ ଦେଇ ରାଜା ପୁଅ ସହିତ ରାଜ କୁମାରୀ ମଣି ରତ୍ନାର ବିବାହ କରାଇ ଦେଲା ।
ରାଜା ପୁଅ ବିଭା ହୋଇ ଯିବାର ବର୍ଷଟିଏ ବିତିଲା । ଚାହୁଁ ଚାହୁଁ ମା’ ବନ ଦୁର୍ଗାଙ୍କ ସମସ୍ତ କଥା ଫଳିଲା । ରାଜ କନ୍ୟାଙ୍କର କନ୍ୟାଟିଏ ଜନ୍ମ ହେବା ପରେ ରାଜ କୁମାରୀ ମଣି ରତ୍ନାକୁ ମନ୍ତ୍ରୀ ପୁଅ ଭଲ ପାଉଥିବା ଜାଣି ସତକୁ ସତ ନିଜର ତରବାରୀ ସାହାଯ୍ୟରେ ରାଜ କନ୍ୟା ମଣି ରତ୍ନାକୁ ହତ୍ୟା କରି ଦେଲା । ମଣି ରତ୍ନା ଯେମିତି ମରି ଗଲା ମନ୍ତ୍ରୀ ପୁଅ ମଧ୍ୟ ସେତିକି ବେଳେ ପୂର୍ବ କଥା ମନେ ପକାଇବାରୁ ସେ ମଧ୍ୟ ପାଷାଣ ହୋଇ ଗଲା ।
ରାଜ ପୁତ୍ର ଏଥର ଦୁଃଖରେ ଭାଙ୍ଗି ପଡିଲେ । ଦୁହିଁଙ୍କୁ ନେଇ ଏକ ସ୍ଥାନରେ ସାମାଧି ଦେଇ ତା’ ଉପରେ ଗୋଟିଏ ସୁନ୍ଦର ମନ୍ଦିର ନିର୍ମାଣ କଲେ । ଚାହୁଁ ଚାହୁଁ ତାଙ୍କର କନ୍ୟା ଷୋଡଶୀ କୁମାରୀ ହୋଇ ସୁନ୍ଦରୀ ଦେଖା ଗଲା । ରାଜ ପୁତ୍ର କନ୍ୟାର ଉପଯୁକ୍ତ ହେବା ଜାଣି ଘଟିଥିବା ସମସ୍ତ ଅତୀତ କଥାକୁ କନ୍ୟାକୁ ଜଣାଇ ଦେଲେ ।
ଦିନେ କନ୍ୟା ନିଜର ଲାଜକୁ ପରିତ୍ୟାଗ କରି ଉଲଗ୍ନ ହୋଇ ମୂର୍ତ୍ତିଟିକୁ ଆଲିଙ୍ଗନ କରନ୍ତେ ସେହି ମୂର୍ତ୍ତି ଜୀବନ୍ତ ମନ୍ତ୍ରୀ ପୁଅ ହୋଇ ଆବିର୍ଭାବ ହେଲା । ଏ କଥା ଜାଣି ସମସ୍ତେ କନ୍ୟାକୁ ଧନ୍ୟ ଧନ୍ୟ କରି ମନ୍ତ୍ରୀ ପୁଅ ସାଥିରେ ବିବାହ କରାଇ ଦେଲେ ।
ସେହି ଦିନ ଠାରୁ ଜାଣ ରାଜ କନ୍ୟାର ମୂର୍ତ୍ତି ଗୋଟିଏ ସେହି ସମାଧି ପୀଠ ଉପରେ ରହିଲା – ଏହା ପରେ ସେହି ପଥର ମୂର୍ତ୍ତିକୁ ଦେବୀ ଭାବରେ ସମସ୍ତେ ମାନିଲେ ଓ ତାଙ୍କୁ ପୂଜା ମଧ୍ୟ କଲେ ।
ଶୁଣିଲୁ ବୁଝିଲୁରେ ବୋଲକରା
ଆଉକି କହିବା ଗୁଣ
ଉଠ ବୋଲକରା ବସ ବୋଲକରା
ଆଣତୁ ଭାତ ତିଅଣ
ଖାଇବା ଶୋଇବା ପୁଣିତ ଉଠିବା
ରାତି ପାହି ହେଲେ ଖରା
ପୁଣି କେତେ ପଥ ଯିବାଆରେ ବାପ
ତୀର୍ଥ ସରି ନାହିଁ ପରା ।